ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ଖୋଲିବ ସହାୟତା କେନ୍ଦ୍ର: ରାଜସ୍ୱମନ୍ତ୍ରୀ
କର୍ମଚାରୀଙ୍କୁ ମିଳିବନି ପୁନଃ ନିଯୁକ୍ତି
ଭୁବନେଶ୍ୱର : ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଜନସାଧାରଣଙ୍କ ଆସ୍ଥାଭାଜନ କରିବାପାଇଁ ରାଜସ୍ୱ ବିଭାଗ ପକ୍ଷରୁ ପୁଣି ଏକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କିଛି ମାସ ମଧ୍ୟରେ ଅନ୍ଲାଇନ ପଞ୍ଜୀକରଣ, କ୍ୟାସ୍ ଲେସ ପଞ୍ଜୀକରଣ ଭଳି ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ବାସ୍ତବରେ ପଞ୍ଜୀକରଣ ବେଳେ ଲୋକେ ହୀନସ୍ତା ହେଉଥିବା ଅଭିଯୋଗକୁ ନେଇ ସରକାରଙ୍କ ପକ୍ଷରୁ ସବୁ ପଞ୍ଜୀକରଣ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ଖୋଲିବ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଉ ପୁନଃ ନିଯୁକ୍ତି ମିଳିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସ୍ପଷ୍ଟ କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଜମିଜମା ପଞ୍ଜୀକରଣ କ୍ଷେତ୍ରରେ ମଧ୍ୟସ୍ଥିମାନଙ୍କ ଭୂମିକାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଇନ୍ସପେକ୍ଟର ଜେନେରାଲ ଓ ରେଜିଷ୍ଟ୍ରେସନ୍ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଅନୁଯାୟୀ ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ସ୍ଥାପନକୁ ଏଣିକି ବାଧ୍ୟତାମୂଳକ କରାଯିବ। ଏହି ସହାୟତା କେନ୍ଦ୍ର ମାଧ୍ୟମରେ ପଞ୍ଜୀକରଣ ନିମନ୍ତେ ଆସୁଥିବା ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଏଥିସହିତ ଅନ୍ଲାଇନ ମାଧ୍ୟମରେ ନଥି ଦାଖଲ କରିବା ସହ ପଞ୍ଜୀକରଣ ନିମନ୍ତେ ସବ୍ରେଜିଷ୍ଟ୍ରୋର ସହିତ ସାକ୍ଷାତ ନିମନ୍ତେ ସମୟ ନିର୍ଦ୍ଧାରିତ କରିପାରିବେ। ଜମିଜମା ସଂକ୍ରାନ୍ତ କାଗଜପତ୍ର ପୋଷ୍ଟାଲ ମାଧ୍ୟମରେ ପଠାଇବାର ବନ୍ଦୋବସ୍ତ କରାଯିବ। ଅତିରିକ୍ତ ଜିଲାପାଳ ତଥା ଜିଲା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପରିଚୟ ପତ୍ର ପ୍ରଦାନ କରାଯିବ। ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିିବ ନାହିଁ। ଏ ଦିଗରେ ସମସ୍ତ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟରେ ବାଓମେଟ୍ରିକ୍ ଉପସ୍ଥାପନ ପ୍ରଚଳନ କରାଯାଇଛି। ଏହାକୁ ଆଧାର ସଂଯୋଗ କରାଯିବାକୁ ସୁପାରିସ କରାଯାଇଛି। ୩ ବର୍ଷରେ ପଞ୍ଜୀକରଣ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଜିଲା ମଧ୍ୟରେ ବଦଳି କରାଯିବ। ଏହାସହିତ ସିସିଟିଭି ଫୁଟେଜ୍କୁ ନିୟମିତ ଭାବରେ ପ୍ରତି ୧୫ ଦିନରେ ଥରେ ଅତିରିକ୍ତ ଜିଲାପାଳ ଅନୁଧ୍ୟାନ କରାଯିବ।
ପଞ୍ଜୀକରଣ ନିମନ୍ତେ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ କୌଣସି ମଧ୍ୟସ୍ଥିଙ୍କ ନିକଟକୁ ନଯିବା ପାଇଁ ଏବଂ ଅନଲାଇନ୍ ମାଧ୍ୟମରେ ରେଜିଷ୍ଟ୍ରେସନ୍ର ସୁବିଧା ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯିବ ପାଇର୍ ଟିଭି, ରେଡିଓ ଓ ସମ୍ବାଦପତ୍ର ବିଜ୍ଞାପନ ଦିଆଯିବ। ଏଥିସହିତ ସମସ୍ତ କାର୍ଯ୍ୟାଳୟରେ ହୋର୍ଡିଂ ମାଧ୍ୟମରେ ଏ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ। ଅନ୍ଲାଇନ୍ ରେଜିଷ୍ଟ୍ରେସନ ବାବଦରେ ରେଜିଷ୍ଟ୍ରାର କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପେଶାଦାର ଏଜେନ୍ସି ମାଧ୍ୟମରେ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। କମିଟିର ଏହି ସୁପାରିଶ କାର୍ଯ୍ୟକାରୀ ହେବା ଦ୍ୱାରା ପଞ୍ଜୀକରଣ କାର୍ଯ୍ୟାଳୟରେ ମଧ୍ୟସ୍ଥତାକୁ ଦୂର କରି ଏକ ସୁସ୍ଥ ଓ ସ୍ୱଚ୍ଛ ରାଜସ୍ୱ ପ୍ରଶାସନ ଯୋଗାଇ ଦିଆଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ପ୍ରକାଶ କରଛନ୍ତି।