କନିଷ୍ଠ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧୪.୮୧ ଲକ୍ଷ ଟଙ୍କା, ୪୭ ଗ୍ରାମ ସୁନା ଅଳଙ୍କାର   

ରାୟଗଡା: ଭିଜିଲାନ୍ସ ଜାଲରେ ପଡିଥିବା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ରାୟଗଡାସ୍ଥିତ ବାସଭବନରୁ ଆଜି ନଗଦ ୧୪ ଲକ୍ଷ ୮୧ ହଜାର ୩୦୦ ଟଙ୍କା ଜବତ ହୋଇଛି । ଗତକାଲି ଅପରାହ୍ନରେ ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀଙ୍କୁ ଧରିଥିଲେ। ତା’ପରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ଭଲ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଆଜି ଭବାନୀପାଟଣାରୁ ଆସିଥିବା ଆଉ ଏକ ଭିଜିଲାନ୍ସ ଟିମ୍ କାଶୀପୁର ବ୍ଲକ କାର୍ଯ୍ୟାଳୟ ଏବଂ ଟିକିରିରେ ଥିବା ଏକ ଦୁଇ ମହଲା କୋଠାରେ ଚଢାଉ କରିଥିବା ସୂଚନା ରହିଛି । ତାଙ୍କ ପତ୍ନୀଙ୍କ ନାମରେ ରାୟଗଡାରେ ଏକାଧିକ ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ବିଭାଗ। ତାଙ୍କ ଘରୁ ୪୭ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି। ରବିବାର ବି ଚଢାଉ ଜାରି ରହିଛି । ଆସନ୍ତାକାଲି ବ୍ୟାଙ୍କ ଲକର ଓ ବ୍ୟାଙ୍କରେ ଥିବା ଟଙ୍କାର ହିସାବ କରାଯିବ।

prayash

ରାୟଗଡ଼ା ସହରର ଫରେଷ୍ଟ କଲୋନୀ ଅଞ୍ଚଳରେ ଥିବା ଯନ୍ତ୍ରୀଙ୍କ ବାସଭବନରେ ଗତକାଲି ଅପରାହ୍ନ ୫ଟାବେଳେ କାଶୀପୁର ବ୍ଲକ ମାଣ୍ଡିବିସି ପଞ୍ଚାୟତର କ୍ଷେତ୍ର ମାଝୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ମନରେଗା ଯୋଜନାରେ ଏକ ରାସ୍ତା କାମର ମାପଚୁପ ଏବଂ ଶ୍ରମିକଙ୍କ ମଜୁରୀ ବିଲ ପାସ୍ କରିବା ପାଇଁ ୬୦ ହଜାର ଟଙ୍କା ଦାବି କରିଥିଲେ କନିଷ୍ଠ ଯନ୍ତ୍ରୀ । ସେ ପ୍ରଥମେ ୩୦ ହଜାର ଟଙ୍କା ତାପରେ ଆଉ ବଳକା ଟଙ୍କା ଦେବା ପାଇଁ ୫ ଦିନ ତଳେ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ଶନିବାର ୨୫ ହଜାର ଟଙ୍କା ଆଣି ତାଙ୍କ ବାସଭବନରେ ଦେବା ବେଳେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ । ଜେଇଙ୍କ ଘରୁ କେମିକାଲ ରଙ୍ଗ ମିଶା ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ ଟିମ । ଜୟପୁର ଭିଜିଲାନ୍ସର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଜୟପୁରର ଭିଜିଲାନ୍ସ ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ, ସାବିତ୍ରୀ ପ୍ରଧାନ, ସରିତା ତ୍ରିପାଠୀ ଏବଂ ରାୟଗଡ଼ାର ତରୁଲତା ବେହେରାଙ୍କ ସମେତ ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

Comments are closed.