ଲଡୁଗାଁ : ଚାଲିଛି ଚୈତ୍ର ମାସ। ମାଆ ଘଟରେ ବିରାଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବାପାଇଁ ବାହାରିଛନ୍ତି । ଝୁଣା ଧୂପର ବାସ୍ନାରେ ମହକି ଉଠୁଛି ସାରା ପରିବେଶ। କୋକସରା ଅଧିଷ୍ଠାତ୍ରୀ ଦେବୀ ମାଁ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ସୋମବାର ଆରମ୍ଭ ହୋଇଛି । ଏଥିପାଇ କୋକସରା ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ବର୍ଷ ତମାମ ଭକ୍ତ ମାନଙ୍କୁ ମା’ ନିଜ ମନ୍ଦିରରେ ଦର୍ଶନ ଦେଉଥିବା ବେଳେ ମାଁଙ୍କ ଚୈତ୍ର ପର୍ବ ସମୟରେ କିନ୍ତୁ ମା’ଙ୍କ ପ୍ରତିମା ସ୍ୱରୂପ ଘଟ ମନ୍ଦିରରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତଙ୍କ ନିକଟକୁ ଦର୍ଶନ ଦେବାପାଇଁ ଯାଇଥାନ୍ତି । ମା’ଙ୍କ ଆଗମନକୁ ନେଇ ପ୍ରତ୍ୟେକ ଘର ଅଗଣାକୁ ଗୋବର ଛଡାରେ ମାର୍ଜିତ କରି ଲାଲ ମାଟିର ଆସ୍ଥାନ ଉପରେ ସୁନ୍ଦର ଝୋଟି ଚିତା ଦେଇ ମୁଆଁ, ନଡ଼ିଆ, କଦଳୀ, ଧୂପ ଦୀପ ସଜାଡି ମା’ଙ୍କ ଆସିବା ବାଟକୁ ଚାହିଁ ରହିଥାନ୍ତି ଭକ୍ତ ।
ଯେହେତୁ ବର୍ଷରେ ଥରେ ହିଁ ମା’ ଆସନ୍ତି ଭକ୍ତଙ୍କ ଅଗଣାକୁ ସେଥିଲାଗି ଝୁଣା ଧୂପ ବାସ୍ନାରେ ମହକି ଉଠେ ସାରା ଅଞ୍ଚଳ । ନାଗରା , ମହୁରୀ, ତ୍ରିବିରି ସାଙ୍ଗକୁ ଘଣ୍ଟ, ବାଦ୍ୟ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠେ ସମଗ୍ର ସହର । ଏହି ପର୍ବ ସମୟରେ ଦୁଇ ଜଣ କିଶୋରୀ ମାନଙ୍କ ଦ୍ୱାରା ମାଁ ଠାକୁରାଣୀ ଓ ମାଁ ବାବୁରାଏଙ୍କ ଘଟ ସହରର ସମସ୍ତ ଘରକୁ ଘର ପରିକ୍ରମା କରିଥାନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ, ମା’ଙ୍କ ଯାତ୍ରାର ଦିନେ ପୁର୍ବରୁ ମା’ଙ୍କ ଘଟ(କଳସୀ) କୁ କେଉଁ କୁମାରୀ କନ୍ୟା ବୋହିବ ସେ ଉପରେ ମୂଖ୍ୟ ପୂଜକଙ୍କୁ ସ୍ୱପ୍ନାଦେଶ ଦେଇଥାନ୍ତି ମାଁ ଠାକୁରାଣୀ । ତା’ପରେ ପୂଜକ ସେହି ଘରକୁ ଯାଇ କିଶୋରୀ ମାନଙ୍କୁ ମନ୍ଦିରକୁ ନେଇ ଆସନ୍ତି । ଏହା ପରେ ମା’ଙ୍କ ମନ୍ଦିରରେ ସ୍ଥାନିୟ କିଛି ପୁରୁଷଙ୍କ ଦେହରେ କାଳିଶି ରୂପରେ ଭୀମା ଓ ମାଁ’ଙ୍କ ଆର୍ବିଭାବ ହୋଇଥାଏ ।ପ୍ରଥମେ ଗାଁ ଗୌନ୍ତିଆ ହେମନ୍ତ ପ୍ରଧାନୀ ଘରକୁ ବିଜେ ହୁଅନ୍ତି, ସେଠାରେ ପୂଜାର୍ଚ୍ଚନା ପରେ ଗାଁର ଗଣ୍ଡା ଗୋବର୍ଦ୍ଧନ ବାଗ ଘରକୁ ଯିବା ପରମ୍ପରା ରହିଛି। ଏହା ପରେ ମା’ ଘଟ ରୂପରେ ସହର ଅଭିମୁଖେ ବାହାରିଥାନ୍ତି । ଏହି ସମୟରେ ମା’ଙ୍କ ରୂପ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଙ୍ଗଳବାର ଦିନ ପୁଣି ଗ୍ରାମ ପରିକ୍ରମା କରି ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ପରେ ଶ୍ରଦ୍ଧାଳୁ ମାନେ ଶୁକ୍ଳଭୋଗ ସହ ମାନସିକ ଧାରୀ ମାନେ ବୋଦା,କୁକୁଡ଼ା,ପାରା ବଳି ଦେଇ ମାନସିକ ପୂରଣ କରିଥିବା ଦେଖିବାକୁ ମିଳିଛି । ଯେକୈାଣସି ଶୁଭ କାମ ଆରମ୍ଭ କରିବା ପୁର୍ବରୁ ଅଞ୍ଚଳବାସୀ ପ୍ରଥମେ ମନ୍ଦିରକୁ ଯାଇ ମାଁ’ଙ୍କ ଦର୍ଶନ କରି ଆଶିର୍ବାଦ ଗ୍ରହଣ କରିଥାନ୍ତି । ଯାହା ଫଳରେ କି ସମସ୍ତ କାମରେ ସଫଳତା ମିଳୁଥିବା ବିଶ୍ୱାସ ରହିଛି ବୋଲି କହିଛନ୍ତି ମୂଖ୍ୟ ପୂଜକ ନନ୍ଦ କିଶୋର ଧରୁଆ। ଚୈତ୍ର ଯାତ୍ରାକୁ ଗ୍ରାମର ପୂଜକ ଦିଲୀପ କୁମାର ଧରୁଆ, ଦିଲୁ ସିଂ ଧରୁଆ,ଶିରା ଦାମୋଦର ରାଉତ, ଅନିଲ ରାଉତ ନରିଆ ଅକବଲ ରାଉତ, ସେବକ ପୁରୁଷୋତ୍ତମ ନାଏକ, ପ୍ରମୁଖ ସହଯୋଗ କରିଥିଲେ।
ଖୁବ୍ ନିଆରା କୋକସରା ଚୈତ୍ର ଯାତ୍ରା
Popular Categories



