କଲମପୁର : ସରକାର କା ମାଲ ଦରିଆମେ ଦାଲ। ଏଭଳି ଏକ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି କଲମପୁର ବ୍ଲକ ଅଧିନସ୍ଥ ବିଜମରାର ନିର୍ମାଣଧିନ ଆଦର୍ଶ ଧାନ ମଣ୍ଡିରେ। ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଧାନ ମଣ୍ଡି କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଚାଷୀ ଦୁଇ ଦିନ ଧରି କାର୍ଯ୍ୟକୁ ବନ୍ଦ କରିଛନ୍ତି। ଏହାସହ ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସୁଚନା ଅନୁସାରେ ବିଜମରା ଧାନ ମଣ୍ଡି ନିର୍ମାଣ ପାଇଁ ପ୍ରାୟ ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି। ବିଜମରା ଏବଂ ଦୁଲକିବନ୍ଧର ଚାଷୀ ଏହି ଧାନ ମଣ୍ଡି ମାଧ୍ୟମରେ ଧାନ ବିକ୍ରିୟ କରି ପାରିବେ।
କିନ୍ତୁ ପରିତାପର ବିଷୟ କୋଟି କୋଟି ଟଙ୍କାର ବ୍ୟୟ ଅଟକଳରେ ମଣ୍ଡି ନିର୍ମାଣ କରାଯାଉଥିଲେ ମଧ୍ୟ ନିମ୍ନମାନର ସାମଗ୍ରୀ, ବାଲି ବଦଳରେ କ୍ରସର (ପଥର) ଗୁଣ୍ଡ ଏବଂ ଲୁହା ଛଡ ବାନ୍ଧିବାରେ ଦୂରତ୍ୱ ନେଇ ବ୍ୟାପକ ଅନିୟମିତତା କରାଯାଉଥିବା ଚାଷୀ ଦେଖିଥିଲେ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। କିଛି ସ୍ଥାନର ସିମେଣ୍ଟ କଂକ୍ରିଟ ଉଠିଯାଉଥିବା ବେଳେ ଭଲ ଭାବେ ପାଣି ସିଂଚନ କରାଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି।
ଏପରିକି ନିର୍ମାଣ କାର୍ଯ ନସରୁଣୁ ଟ୍ରାକ୍ଟର ଚାଲିବା ପରେ ସିମେଣ୍ଟ ଖଳା ଦବିଯାଉଛି। ମଣ୍ଡି କାର୍ଯ୍ୟକାରୀ ହେବା ପରେ ପ୍ରାୟ ୨୦ରୁ ୩୦ ଟନ ଓଜନ ବିଶିଷ୍ଟ ଧାନ ବୋଝେଇ ଟ୍ରକ ଏହି ଧାନ ମଣ୍ଡିର ଖଳାରେ ଚଳାଚଳ କରିବ। ସେତେବେଳେ ଏହି ଧାନ ମଣ୍ଡିର ସ୍ଥିତି କଣ ରହିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଏହାସହ ଏକ ସୁରକ୍ଷା କାନ୍ଥ ମଧ୍ୟ ଭୁଷୁଡି ପଡିଥିବା ଅଭିଯୋଗ ହେଇଛି। ତେଣୁ ତୁରନ୍ତ ଏହାର ଏକ ନିରପେକ୍ଷ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅଂଚଳର ଚାଷୀ ଧର୍ମଗଡ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଏନେଇ ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏନେଇ ସେ ଅବଗତ ରହିଥିବା ସ୍ୱୀକାର କରିଥିଲେ। ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ତୁରନ୍ତ ବୈଷୟିକ ଜ୍ଞାନ ଥିବା ଅଧିକାରୀ ମାନଙ୍କ ମାଧ୍ୟମରେ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସୁଚନା ଦେଇଛନ୍ତି।
ବିଜମରା ଧାନ ମଣ୍ଡି ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ
Popular Categories



