www.samajalive.in
Monday, December 8, 2025
14.1 C
Bhubaneswar

୨ୟ ସୁପର ଓଭରରେ ପଞ୍ଜାବ ବିଜୟୀ

ଦୁବାଇ : ଚଳିତ ଆଇପିଏଲ୍‌ରେ ରବିବାର ଉଭୟ ମ୍ୟାଚ୍‌ ସୁପର ଓଭରରେ ଫଇସଲା ହୋଇଛି। ତେବେ ଫରକ ଏହା ଯେ ୨ୟ ମ୍ୟାଚ୍‌ରେ ୨ ଥର ସୁପର ଓଭର ଦେଖିବାକୁ ମିଳିଛି। ପ୍ରଥମ ସୁପର ଓଭର ଟାଇ ହେବା ପରେ ୨ୟ ସୁପର ଓଭରରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। କ୍ବିଣ୍ଟନ୍‌ ଡି କକ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‌ସ ୬ ୱିକେଟ ହରାଇ ୧୭୬ ରନ୍ କରିଥିଲା। ପରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୬ ୱିକେଟରେ ସମାନ ୧୭୬ ରନ୍ କରି ପାରିଥିଲା। ଏହାକୁ ମିଶାଇ ୯ମ ମ୍ୟାଚ୍‌ରେ ୩ୟ ବିଜୟ ହାସଲ କରିଛି ପଞ୍ଜାବ। ମୁମ୍ବଇ ୯ମ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗିଛିି।
ମ୍ୟାଚ୍ ଟାଇ ହେବାରୁ ସୁପର ଓଭର ହୋଇଥିଲା। ଯଶପ୍ରୀତ ବୁମ୍‌ରାଙ୍କ ଓଭରରେ ପ୍ରଥମେ ବ୍ୟାଟିଂକରି କିଙ୍ଗ୍‌ସ ଏକାଦଶ ୫ ରନ୍ କରିଥିଲା। ମହମ୍ମଦ ସାମିଙ୍କ ଓଭରରେ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟ ସମାନ ୫ ରନ୍ କରିଥିଲା। ପ୍ରଥମ ସୁପର ଓଭର ଟାଇ ରହିବାରୁ ୨ୟ ଥର ସୁପର ଓଭର ହୋଇଥିଲା। ପଞ୍ଜାବର କ୍ରିସ୍ ଜୋର୍ଡାନ୍ ପକାଇଥିବା ସୁପର ଓଭରରେ ମୁମ୍ବଇ ୧୧ ରନ୍ କରିଥିଲା। ଟ୍ରେଣ୍ଟ ବୋଲ୍‌ଟଙ୍କ ଓଭରରେ ପଞ୍ଜାବର କ୍ରିସ୍ ଗେଲ୍‌ ଓ ମୟଙ୍କ ଅଗ୍ରୱାଲ ୪ଟି ବଲ୍‌ରେ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲେ।

ଟସ୍ ଜିତି ମୁମ୍ବଇ ଇଣ୍ଡିଆନ୍‌ସ ବ୍ୟାଟିଂ ନେଇଥିଲା। ଆରମ୍ଭରୁ ଏହା ବିପର୍ଯ୍ୟୟ ଭୋଗି ୩୮ ରନ୍‌ ସ୍କୋର୍‌ରେ ୩ଟି ୱିକେଟ ହରାଇଥିଲା। ଅଧିନାୟକ ରୋହିତ ଶର୍ମା ୯ ରନ୍‌କରି ଆଉଟ ହୋଇଥିଲେ। ଫର୍ମରେ ଥିବା ମୁମ୍ବଇର ଦୁଇ ବ୍ୟାଟ୍‌ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ୦ ଓ ଈଶାନ୍ କିଷନ୍ ୭ ରନ୍‌କରି ବିଦାୟ ନେଇଥିଲେ। ପରେ ଓପ୍‌ନର କ୍ବିଣ୍ଟନ୍ ଡି କକ୍ ଓ କ୍ରୁନାଲ ପାଣ୍ଡ୍ୟା ଇନିଂସକୁ ସଜାଡ଼ିବାର ପ୍ରୟାସ କରିଥିଲେ। ୪ର୍ଥ ୱିକେଟ ପାଇଁ ୫୮ ରନ୍‌ର ଭାଗିଦାରୀ ପରେ କ୍ରୁନାଲ ପାଣ୍ଡ୍ୟା ଆଉଟ ହୋଇ ଯାଇଥିଲେ। ବାମହାତି କ୍ରୁନାଲ ୩୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୪ ରନ୍ କରିଥିଲେ। ତେବେ ଗୋଟିଏ ପଟୁ ଡି କକ୍ ଭଲ ବ୍ୟାଟିଂ କରିଥିଲେ। ହାର୍ଦିକ ପାଣ୍ଡ୍ୟା ମାତ୍ର ୮ ରନ୍ କରିଥିଲେ। ୩୯ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା କ୍ବିଣ୍ଟନ ଡି କକ୍ ୪୩ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୩ ରନ୍‌କରି ଆଉଟ ହୋଇଯିବା ମୁମ୍ବଇ ପାଇଁ ଶକ୍ତ ଧକ୍କା ଥିଲା। ଶେଷ ୩ ଓଭରରୁ ୫୪ ରନ୍ ହୋଇଥିଲା। ଅବିଭାଜିତ ୭ମ ୱିକେଟ ପାଇଁ କୈରନ୍ ପୋଲାର୍ଡ ଓ ନାଥାନ୍ କୌଲ୍‌ଟର-ନାଇଲ୍‌ ୫୭ ରନ୍ ଯୋଡ଼ିଥିଲେ। କୌଲ୍‌ଟର-ନାଇଲ୍‌ ୧୨ ବଲ୍‌ରୁ ୪ଟି ଚୌକା ସହ ୨୪ ରନ୍‌କରି ଅପରାଜିତ ଥିଲେ। ପୋଲାର୍ଡ ବିସ୍ଫୋରକ ବ୍ୟାଟିଂକରି ୧୨ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ଅପରାଜିତ ୩୪ ରନ୍ କରିଥିଲେ। ମହମ୍ମଦ ସାମି ଓ ଅର୍ସଦୀପ ସିଂହ ୨ଟି ଲେଖାଏଁ ୱିକେଟ ନେଇଥିଲେ।
୧୭୭ ରନ୍ ଲକ୍ଷ୍ୟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୩ ଓଭରରେ ୩୩ ରନ୍ କରିବା ପରେ ୪ର୍ଥ ଓଭରରେ ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ। ମୟଙ୍କ ୧୦ ବଲ୍‌ରୁ ୧୧ ରନ୍ କରିଥିଲେ। ପରେ କ୍ରିସ୍ ଗେଲ୍‌ ଓ ରାହୁଲ ଚମତ୍କାର ବ୍ୟାଟିଂକରି ୨ୟ ୱିକେଟ ପାଇଁ ୪୨ ରନ୍ ଯୋଡ଼ିଥିଲେ। ଗେଲ୍‌ ୨୧ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍ କରିଥିଲେ। ପରେ ୱେଷ୍ଟଇଣ୍ଡିଜ୍‌ର ଅନ୍ୟ ବ୍ୟାଟ୍‌ସମ୍ୟାନ ନିକୋଲାସ୍ ପୁରନ୍ କ୍ରିଜ୍‌କୁ ଆସିବା ମାତ୍ରେ ବାଉଣ୍ଡରୀ ବର୍ଷା କରିଥିଲେ। ପରେ ପଞ୍ଜାବ ଲାଗଲାଗ ୨ଟି ୱିକେଟ ହରାଇଥିଲା। ବାମହାତି ପୁରନ୍ ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ପୁଣି ବିଫଳହୋଇ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ତଥାପି ଗୋଟିଏ ପଟୁ ଅଧିନାୟକ ରାହୁଲ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ଜାରି ରଖିଥିଲେ। ୧୬ ବଲ୍‌ରୁ ପଞ୍ଜାବ ୨୪ ରନ୍ ଆବଶ୍ୟକ କରୁଥିବା ବେଳେ ରାହୁଲ ଆଉଟ ହୋଇ ଯାଇଥିଲେ। ରାହୁଲ ୫୧ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୭୭ ରନ୍ କରିଥିଲେ। ଶେଷ ଓଭରରୁ ପଞ୍ଜାବ ୯ ରନ୍ ଆବଶ୍ୟକ କରୁଥିବା ବେଳେ ୮ ରନ୍ ହେବାରୁ ମ୍ୟାଚ୍ ଟାଇ ହୋଇଥିଲା। ଦୀପକ ହୁଡା ୧୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌କରି ଅପରାଜିତ ଥିଲେ। କ୍ରିସ୍ ଜୋର୍ଡାନ୍ ୮ ବଲ୍‌ରୁ ୧୩ ରନ୍ କରିଥିଲେ। ଯଶପ୍ରୀତ ବୁମ୍‌ରା ୩ଟି ଓ ରାହୁଲ ଚହର ୨ଟି ୱିକେଟ ପାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories