କୃଷକ ମନ୍ଦିରରେ ଅକ୍ଷୟ ତୃତୀୟା ପାଳିତ

ଭୁବନେଶ୍ୱର: ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ବୈଶାଖମାସ ଶୁକ୍ଲପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଥାଏ। କୃଷକମାନେ ଭଲ ଫସଲ ଅମଳ ଆଶାରେ ଏହିଦିନ ଭୂମିପୂଜା ଓ ଶସ୍ୟ ପୂଜା କରି ନିଜ ବିଲରେ ଅଖିମୁଠି ନେଇ ଧାନ ବୁଣି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ଭାରତର ପ୍ରଥମ କୃଷକ ମନ୍ଦିର କଟକ ଜିଲାର ମାହାଙ୍ଗା ଥାନା ଅନ୍ତର୍ଗତ ମଣିଜୋରି ଗ୍ରାମ କୃଷକ ମନ୍ଦିରରେ ଏକ ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଏହି ଅବସରରେ ଚାଷୀମାନଙ୍କ ଜୟ ଯବାନ ଓ ଜୟ କିଷାନ ଧ୍ୱନିରେ ଅଞ୍ଚଳଟି ପ୍ରକମ୍ପିତ ହୋଇଥିଲା। ସକାଳୁ ଚାଷୀମାନେ କୃଷକ ମନ୍ଦିରରୁ ଅକ୍ଷିମୁଠି ଧରି ବିଲକୁ ନେବା ସହ ବିଲରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ।

କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ପ୍ରଥମ କୃଷକ ମନ୍ଦିର ମାହାଙ୍ଗାର ମଣିଜୋରି ଗ୍ରାମରେ ପ୍ରତିଷ୍ଠା କରିଥିବାରୁ ଏହାର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ କୃଷକ ମନ୍ଦିର ଅଶୀର୍ବାଦରୁ ଚାଷୀମାନେ ଭଲ ଫସଲ ଅମଳ କରିଥାନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଜିଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଯେ ଅକ୍ଷୟ ତୃତୀୟା ହେଉଛି ଚାଷୀମାନଙ୍କ ଏକ ମହାନ୍ ପର୍ବ। ଏହି ପର୍ବ ଚାଷୀମାନଙ୍କୁ ଚାଷକାର୍ଯ୍ୟ କରିବା ଉତ୍ସାହିତ କରିଥାଏ। ଚାଷୀମାନେ ଦେଶକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇଥାନ୍ତି। ଯାହାଫଳରେ ଚାଷୀଠାରୁ ବଡ଼ ଏ ଦୁନିଆରେ କେହି ନାହାଁନ୍ତି। ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ମହାନ୍ତି ବାବୁ, ବରାହିଁପୁର ସରପଞ୍ଚ ରଶ୍ମିତା ସ୍ୱାଇଁ, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ସାହୁଙ୍କ ସମେତ ୧୧ଟି ୱାର୍ଡ଼ର ୱାର୍ଡ଼ମେମ୍ବର ଯୋଗଦେବା ସହ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପଞ୍ଚାୟତ ସଭାପତି ଧୀରେନ୍ଦ୍ର କୁମାର ସ୍ୱାଇଁ ନଳିନୀକାନ୍ତ ନାୟକ, ଭ୍ରମରବର ଦାସ, ସୁନାକର ସାହୁ, ତ୍ରିଲୋଚନା ସାହୁ, ବୈରାଗୀ ବାରିକ, ମନୋଜ କୁମାର ସାହୁ, ଜନ୍ମେଜୟ ସାହୁ, ମହାବୀର ଯୁବ ପରିଷଦ, ମା ବୁଢୀ ଜାଗୁଳାଇ ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.