OMC 1 banner

କୋଟିଆ ପ୍ରସଙ୍ଗରେ ପ୍ରସ୍ତାବ

ଭୁବନେଶ୍ଵର:  ନିରନ୍ତର ବିକାଶ ପଥକୁ ସୁଗମ କରିବା ରାଜ୍ୟ ସରକାରଙ୍କ ପ୍ରଥମ ଦାୟିତ୍ବ। ଆମର ସମସ୍ତ ବିଧି, ବିଧାନ ଓ ସମ୍ବିଧାନ ଏପରି ଭାବେ ପ୍ରଣୀତ ହୋଇଛି। ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ନଷ୍ଟ ଏ​‌େ​‌ବ ପ୍ରଦୂଷଣ ଭଳି ବିପଜ୍ଜନକ ପ୍ରସଙ୍ଗକୁ ମୁକାବିଲା କରିବା ତଥା ନିରନ୍ତର ବିକାଶ ପଥକୁ ସୁଗମ କରିବା ପାଇଁ ୨୦୧୦ ମସିହାରେ କେନ୍ଦ୍ର ସରକାର ଜାତୀୟ ସୋଲାର ମିଶନ ଆରମ୍ଭ କଲେ। ମିଶନକୁ ଆର୍ଥିକ ସହାୟତା ଦେବାପାଇଁ କୋଇଲା ଉପରେ ଟନ୍‌ ପିଛା ୫୦ ଟଙ୍କା ସବୁଜ ପରିବେଶ ସେସ ଅାଦାୟ କଲେ। କୋଇଲାରୁ ଆଦାୟ ସବୁଜ ସେସକୁ ଜାତୀୟ ସ୍ବଚ୍ଛ ବିଦ୍ୟୁତ ଫଣ୍ଡ (ଏନସିଇଏଫ)ରେ ରହିବା ପାଇଁ ବ୍ୟବସ୍ଥା କଲେ। ସବୁଜ ବିଦ୍ୟୁତ ବିକାଶ ପାଇଁ ଏନସିଇଏଫ ବ୍ୟବହାର କରିବା ନିୟମ ହେଲା। ୨୦୧୫ରେ ସେସ ପରିମାଣକୁ ବୃଦ୍ଧିକରି ଟନ ପିଛା ୨୦୦ କଲେ ଓ ପରବର୍ଷ ୨୦୧୬ରେ ପୁଣି ବୃଦ୍ଧିକରି ଟନ ପିଛା ୪୦୦ ଟଙ୍କା ଧାର୍ଯ୍ୟ ହେଲା। ୨୦୧୦ରୁ କୋଇଲାରୁ ଅଦାୟ ସବୁଜ ସେସ ପାଇଁ ଓଡ଼ିଶା ବିଦ୍ୟୁତ୍‌ ଉପଭୋକ୍ତା ବିଦ୍ୟୁତ ବିଲ୍‌ରେ ୟୁନିଟ ପିଛା ପ୍ରାୟ ୨୫ ପଇସା ଅଧିକ ଭରଣା କରି ଆସୁଛନ୍ତି; କିନ୍ତୁ ବିଡ଼ମ୍ବନା ହେଲା ଏନସିଇଏଫ ଜାତୀୟ ସୋଲାର ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ରୁଫ ଟପ ସୋଲାର (ଆରଟିଏସ) କାର୍ଯ୍ୟକ୍ରମରେ ଠିକ୍‌ଭାବେ ଖର୍ଚ୍ଚ ହୋଇପାରିଲା ନାହିଁ। ଫଳରେ ଏନସିଇଏଫରେ ଗଚ୍ଛିତ ଜମା ବର୍ଷକୁ ବର୍ଷ ବୃଦ୍ଧି ପାଇଲା। ୨୦୧୭ରେ କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା କର (ଜିଏସଟି) ଆଇନ ପ୍ରଣୟନ କରି ଜିଏସଟି ଆଦାୟ କରିବା ସହିତ ଏକ ଜିଏସଟି କ୍ଷତିପୂରଣ ସେସ ପ୍ରଣୟନ କରି ଆଦାୟ କଲେ। ଜିଏସଟି କ୍ଷତିପୂରଣ ସେସ ଆଦାୟ ଅବଧି ଜୁନ ୨୦୨୨ ରହିଲା ଓ ଏଥିରୁ ଆଦାୟ ଅର୍ଥକୁ ଜିଏସଟି ପ୍ରଣୟନରେ କ୍ଷତି ସହୁଥିବା ରାଜ୍ୟଗୁଡ଼ିକୁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କଲେ। ଏନସିଇଏଫରେ ଗଚ୍ଛିତ ଅଣବ୍ୟବହୃତ ଜମାରାଶିକୁ ଦୃଷ୍ଟିରେ ରଖି ସବୁଜ ପରିବେଶ ସେସକୁ ଜିଏସଟି କ୍ଷତିପୂରଣ ସେସରେ ସମାହିତ କରିଦେଲେ। ଅର୍ଥାତ୍‌ ଯେଉଁ ଲକ୍ଷ୍ୟ ପୂରଣ ପାଇଁ କୋଇଲା ଉପରେ ସବୁଜ ପରିବେଶ ସେସ ଆଦାୟ କରାଯାଉଥିଲା ତାହା ୨୦୧୭ରେ ପରାହତ ହେଲା। ପୁନଶ୍ଚ ସବୁଜ ପରିବେଶ ସେସ ବନ୍ଦ କରିଦେବା ଫଳରେ ଆରଟିଏସ ସ୍କିମକୁ ଆବଶ୍ୟକ କେନ୍ଦ୍ରୀୟ ସହାୟତା ମିଳିଲା ନାହିଁ। ଆରଟିଏସ ସ୍କିମକୁ ଆଶାନୁରୂପ ସଫଳତା ନମିଳିବା ପଛର ମୁଖ୍ୟ କାରଣ ଥିଲା ଦୁର୍ବଳ ଆର୍ଥିକ ସହାୟତା ଓ ନିୟାମକ ବିଧିବ୍ୟବସ୍ଥା। ବିଡ଼ମ୍ବନା ହେଉଛି ୨୦୨୨ ଜୁନରେ ଜିଏସଟି କ୍ଷତିପୂରଣ ସେସ ଆଦାୟ ଅବଧି ସରିଯିବା ପରେ ବି ପୁଣି ଏହାକୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି।
ଦୁର୍ବଳ ଆର୍ଥିକ ସହାୟତା ଓ ନିୟାମକ ବିଧିବ୍ୟବସ୍ଥା ଜାତୀୟ ସୋଲାର ମିଶନ ପ୍ରଗତିରେ ବାଧା ସୃଷ୍ଟିକରି ରାଜ୍ୟର ନିରନ୍ତର ବିକାଶ ପ୍ରକ୍ରିୟାକୁ ପ୍ରଭାବିତ କରିଛି। କେନ୍ଦ୍ର ସରକାର ଏହାକୁ ୨୦୨୪ରେ ହୃଦୟଙ୍ଗମ କରି ସୁଧାର ଆଣିଲେ। ସାଧାରଣ ନିର୍ବାଚନ-୨୦୨୪ ଅବ୍ୟବହିତ ପୂର୍ବରୁ ଫେବୃଆରୀ ୨୦୨୪ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ନାମରେ ଏକ ନୂତନ ତିନିବର୍ଷୀୟ ଆରଟିଏସ ଯୋଜନା ପ୍ରଣୟନ କଲେ ଯାହାର ଅବଧି ମାର୍ଚ୍ଚ ୨୦୨୭ ରଖିଲେ। ପୁରୁଣା ଆରଟିଏସ ସ୍କିମରେ ଥିବା ଆର୍ଥିକ ଓ ନିୟାମକ ଦୁର୍ବଳତାକୁ ସବଳ କରିବା ପାଇଁ କେନ୍ଦ୍ରୀୟ ବଜେଟ ସହାୟତା ରାଶିକୁ ପ୍ରଚୁର ବୃଦ୍ଧିକରି ୭୫୦୨୧ କୋଟି ଟଙ୍କା ମଞ୍ଜୁର କଲେ। ନିୟାମକ ବ୍ୟବସ୍ଥାକୁ ସବଳ କରିବା ପାଇଁ ସୂର୍ଯ୍ୟଘର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ବଳକା ବିଦ୍ୟୁତ୍‌ ବିକ୍ରୟ ପାଇଁ ସୁଯୋଗ ଦେଲେ। ଅର୍ଥାତ୍‌ ନିୟାମକ ଓ ଆର୍ଥିକ ଉଭୟ ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ କେନ୍ଦ୍ର ସରକାର ୨୦୨୪ରେ ସବଳ କଲେ। ପିଏମ ସୂର୍ଯ୍ୟଘର ଯୋଜନା ପାଇଁ କେନ୍ଦ୍ର ଅକ୍ଷୟଶକ୍ତି ମନ୍ତ୍ରଣାଳୟ ଜାରି କରିଥିବା ନି‌େ​‌ର୍ଦଶାବଳୀ ଅନୁସାରେ ୩ କିଲୋୱାଟ ଉପଭୋକ୍ତାଙ୍କୁ ୭୮ ହଜାର ଟଙ୍କା କେନ୍ଦ୍ରୀୟ ସହାୟତା ମିଳିବ। ଓଡ଼ିଶାରେ ଏହାର ଅଗ୍ରଗତି ପାଇଁ ରାଜ୍ୟ ସରକାର ଚଳିତବର୍ଷ ୬୦ ହଜାର ଟଙ୍କା ରାଜ୍ୟ ସହାୟତା ଯୋଗାଇ ଦେଲେ ବି ଆଜି ପର୍ଯ୍ୟନ୍ତ ନିୟାମକ ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ସବଳ କରିପାରିଲେ ନାହିଁ। ଫଳରେ ବଳକା ବିଦ୍ୟୁତ୍‌ ବିକ୍ରୟ ପାଇଁ ଓଡ଼ିଶା ଉପଭୋକ୍ତାଙ୍କ ପାଖରେ କୌଣସି ସୁଯୋଗ ନାହିଁ। ୨୦୧୬ରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ଜାରି କରିଥିବା ଦୁର୍ବଳ ନେଟ ମିଟରିଂ ନିୟମକୁ ଆୟୁଧ କରି ଆବଣ୍ଟନ କମ୍ପାନୀଗୁଡ଼ିକ ସୂର୍ଯ୍ୟଘର ଉପଭୋକ୍ତାଙ୍କୁ ଶୋଷଣ କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ଦୁର୍ବଳ ନିୟାମକ ବ୍ୟବସ୍ଥାରେ ଘରୋଇ ଉପଭୋକ୍ତାଟି କାହିଁକି ସୂର୍ଯ୍ୟଘର ଯୋଜନା ପ୍ରତି ଆକର୍ଷିତ ହେବ?
ସୂର୍ଯ୍ୟଘର ଯୋଜନାକୁ ଓଡ଼ିଶାରେ ଏକବର୍ଷ ପୂରଣ ହୋଇ ଯାଇଥିଲେ ବି କେଉଁ ଟାରିଫ୍ ଆଧାରରେ ଉପଭୋକ୍ତାଟି ବଳକା ବିଦ୍ୟୁତ୍ ଆବଣ୍ଟନ କମ୍ପାନୀକୁ ବିକ୍ରି କରିବ ଏ ପର୍ଯ୍ୟନ୍ତ ଓଡ଼ିଶା ଆୟୋଗ ସ୍ଥିର କରିନାହାନ୍ତି। କେନ୍ଦ୍ର ସରକାର ଉନ୍ମୋଚନ କରିଥିବା ଜାତୀୟ ପୋର୍ଟାଲର ଦୈନିକ ତଥ୍ୟ (୧୩.୦୬.୨୦୨୫) ଅନୁସାରେ ପିଏମ ସୂର୍ଯ୍ୟଘର ଯୋଜନାରେ ଭାରତରେ ୫୩,୦୪,୧୫୮ ଉପଭୋକ୍ତା ଦରଖାସ୍ତ ପଇଠ କରିଥିବା ବେଳେ ସେଥିରୁ ୧୦,୮୬,୩୭୮ ଉପଭୋକ୍ତାଙ୍କ ଘରେ ଆରଟିଏସ ପ୍ଲାଣ୍ଟ ବସିଛି; ଅର୍ଥାତ୍ ଆବେଦନର ୨୦ ପ୍ରତିଶତ ଉପଭୋକ୍ତା ଉପକୃତ ହୋଇଛନ୍ତି। ଓଡ଼ିଶାରେ ଏହାର ପ୍ରଗତି ବହୁତ ମନ୍ଥର ଅଛି। ଓଡ଼ିଶାରେ ଆବେଦନ ହୋଇଥିବା ଦରଖାସ୍ତର ମାତ୍ର ୫ ପ୍ରତିଶତ ଉପଭୋକ୍ତା ଉପକୃତ ହୋଇଛନ୍ତି। ଓଡ଼ିଶାରେ ୧,୧୫,୩୭୬ ଉପଭୋକ୍ତା ଆବେଦନ କରିଥିବାବେଳେ ମାତ୍ର ୬,୩୫୪ ଉପଭୋକ୍ତା ଉପକୃତ ହୋଇଛନ୍ତି।
କେନ୍ଦ୍ର ଅକ୍ଷୟଶକ୍ତି ମନ୍ତ୍ରଣାଳୟ ଜାରି କରିଥିବା ନି‌େର୍ଦଶାବଳୀ ଅନୁସାରେ ୩ କିଲୋୱାଟ ସୂର୍ଯ୍ୟଘର ପ୍ରକଳ୍ପର ବେଞ୍ଚମାର୍କ ବା ମାନଦଣ୍ଡ ମୂଲ୍ୟ ୧ ଲକ୍ଷ ୪୫ ହଜାର ଥିଲାବେଳେ ଓଡ଼ିଶାରେ ଘରୋଇ ଉପଭୋକ୍ତାଟି ପଇଠ କରୁଛି ପ୍ରାୟ ୨ ଲକ୍ଷ ଟଙ୍କା। ଓଡ଼ିଶା ଉପଭୋକ୍ତାଟି କେନ୍ଦ୍ର ଧାର୍ଯ୍ୟ ମୂଲ୍ୟଠାରୁ କିପରି ଓ କାହିଁକି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଓ ଅନ୍ୟ ରାଜ୍ୟର ଉପଭୋକ୍ତାମାନେ କେତେ ଖର୍ଚ୍ଚ କରୁଛନ୍ତି ତାହା ଅନ୍ୟ ଏକ ପ୍ରସଙ୍ଗ। ଏଠି ପ୍ରସଙ୍ଗଟି ହେଉଛି ଓଡ଼ିଶା ଉପଭୋକ୍ତାଟି ସୂର୍ଯ୍ୟଘର ପ୍ଳାଣ୍ଟରେ ଅଧିକ ୫୫ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ବି ତାହା ଉପରେ ଅତିରିକ୍ତ କେନ୍ଦ୍ରୀୟ ସହାୟତା ୨୫ ହଜାର ଟଙ୍କା ପାଉନାହିଁ। ୩ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବେଞ୍ଚମାର୍କ ମୂଲ୍ୟ ୧ ଲକ୍ଷ ୪୫ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି ଓ ତାହା ଉପରେ ଉପଭୋକ୍ତାଙ୍କୁ କେନ୍ଦ୍ରୀୟ ସହାୟତା ରାଶି ୭୮ ହଜାର ଟଙ୍କା ଦିଆଯାଉଛି। କେନ୍ଦ୍ର ଅକ୍ଷୟଶକ୍ତି ମନ୍ତ୍ରଣାଳୟ ୦୭.୦୬.୨୦୨୪ରେ ଜାରି କରିଥିବା ନି​‌େ​‌ର୍ଦଶାବଳୀ ଅନୁଯାୟୀ ସୋଲାର ପାନେଲ କିମ୍ବା ଏହାର ଆନୁଷଙ୍ଗିକ ଯନ୍ତ୍ରପାତିର ବଜାର ମୂଲ୍ୟ ବୃଦ୍ଧି ଘଟିଲେ ମଧ୍ୟବର୍ତ୍ତିକାଳୀନ ସମୀକ୍ଷା କରାଯିବ କିମ୍ବା ତା’ର ପୂର୍ବରୁ ଆବଶ୍ୟକ ପଡ଼ିଲେ ବେଞ୍ଚମାର୍କ ମୂଲ୍ୟ ସଂଶୋଧନ କରାଯାଇ ବଜେଟ ସହାୟତା କରାଯିବ। ଓଡ଼ିଶା ସୂର୍ଯ୍ୟଘର ଉପଭୋକ୍ତା ବେଞ୍ଚମାର୍କ ମୂଲ୍ୟ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ତଥ୍ୟ ଜାତୀୟ ପୋର୍ଟାଲରୁ ଜଣାଯାଏ; କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ଅକ୍ଷୟଶକ୍ତି ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ନେଇ ନାହାନ୍ତି କି ବେଞ୍ଚମାର୍କ ମୂଲ୍ୟ ସଂଶୋଧନ କରିନାହାନ୍ତି। ଫଳସ୍ୱରୂପ ଓଡିଶା ଉପଭୋକ୍ତା ଅତିରିକ୍ତ ୫୫ ହଜାର ଟଙ୍କା ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ବି କେନ୍ଦ୍ରୀୟ ସହାୟତା ରାଶି ନବଢିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେଣୁ ଛାତ ଉପରେ ସୂର୍ଯ୍ୟଘର ସ୍ଥାପନ ପାଇଁ ଓଡ଼ିଶା ଉପଭୋକ୍ତା କାହିଁକି ଆକର୍ଷିତ ହେବେ?
ସୂଚନା ଅନୁସାରେ ମାର୍ଚ୍ଚ ୨୦୨୫ ସୁଦ୍ଧା କୋଇଲା ସେସ ଏବଂ ଅନ୍ୟାନ୍ୟ ସୂତ୍ରରୁ ଅାଦାୟ ହୋଇଥିବା ସମୁଦାୟ ୩ ଲକ୍ଷ ୮୨ ହଜାର କୋଟି ଟଙ୍କା ଜିଏସଟି କ୍ଷତିପୂରଣ ସେସ କେନ୍ଦ୍ରରେ ଗଚ୍ଛିତ ଅଛି। ଗଚ୍ଛିତ ଜିଏସଟି ସେସକୁ ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବିନିଯୋଗ କରିବା ତଥା ନିରନ୍ତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଧିବିଧାନ ରହିଛି। ତେଣୁ କେନ୍ଦ୍ର ସରକାର ଅବିଳମ୍ବେ ବେଞ୍ଚମାର୍କ ମୂଲ୍ୟ ସଂଶୋଧନ କରନ୍ତୁ ଏବଂ ଓଡ଼ିଶାର ସୂର୍ଯ୍ୟଘର ଉପଭୋକ୍ତାଙ୍କୁ ଅତିରିକ୍ତ ୨୫ ହଜାର ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରନ୍ତୁ। ସେହିପରି ରାଜ୍ୟ ସରକାର ଦୁର୍ବଳ ନିୟାମକ ବ୍ୟବସ୍ଥାକୁ ସବଳ କରିବା ପାଇଁ ଓଇଆରସିଙ୍କୁ ନି​‌େ​‌ର୍ଦଶ ଦିଅନ୍ତୁ ଓ ଉପଭୋକ୍ତାଙ୍କୁ ବଳକା ବିଦ୍ୟୁତ୍‌ ବିକ୍ରିପାଇଁ ସୁଯୋଗ ଦିଅନ୍ତୁ।

Comments are closed.