କୋଟିଆବାସୀଙ୍କ ମୁହଁତୋଡ଼ ଜବାବ : ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଅପଦସ୍ତ
ଭୁବନେଶ୍ବର/ପଟାଙ୍ଗି : କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍ କୋଟିଆ ଗ୍ରାମପୁଞ୍ଜ ଏବେ ପାଲଟିଛି ରାଜନୀତିର ପ୍ରୟୋଗଶାଳା। କିଏ ସ୍ଥାନୀୟ ଅଧିବାସୀଙ୍କ ହୃଦୟ ଜିତିବ ସେଥିପାଇଁ ଚାଲିଛି ଓଡ଼ିଶା ଓ ପଡୋଶୀ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ରୀତିମତ ପ୍ରତିଯୋଗିତା। ଦୀର୍ଘବର୍ଷ ଧରି ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆନ୍ଧ୍ରପ୍ରଦେଶ ଏଠାରେ ଏକାଧିକ ଅବୈଧ କାର୍ଯ୍ୟକଳାପ ଜାରି ରଖିବା ସହ ଏକାଧିକ ଗ୍ରାମକୁ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ। ନିଜ ରାଜ୍ୟ ମାନଚିତ୍ରରେ ଏକାଧିକ କୋଟିଆ ଗାଁକୁ ସାମିଲ କରିବା, କୋଟିଆରେ ଏକଚାଟିଆ ଜବରଦସ୍ତ ପଞ୍ଚାୟତ ନିର୍ବାଚନ କରାଇବାକୁ ସକ୍ଷମ ହୋଇଥିଲେ। କୋଟିଆକୁ ନେଇ ଗଣମାଧ୍ୟମରେ ଏକାଧିକ ଖବର ପ୍ରକାଶ ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଥିଲା। କୋଟିଆ ପାଇଁ ଘୋଷଣା ହୋଇଥିଲା ବୃହତ୍ ଆର୍ଥିକ ପ୍ୟାକେଜ୍। ବିକାଶମୂଳକ କାର୍ଯ୍ୟ କେବଳ ଆରମ୍ଭ ହୋଇ ନଥିଲା; ବରଂ ଏହାର ନିୟମିତ ସମୀକ୍ଷା ଲାଗି ସଚିବମାନଙ୍କୁ କ୍ଷେତ୍ରୀୟ ପରିଦର୍ଶନ କରିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ଉଭୟ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନ ଓଡ଼ିଶା କରାଇଥିଲା। ସର୍ବଦଳୀୟ ପ୍ରାର୍ଥୀ ଏଠାରେ ନିର୍ବାଚନ ହାରିଲେ ସତ; ଆନ୍ଧ୍ର ସମର୍ଥିତ ଜିଲା ପରିଷଦ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ଏଠାରୁ ଜିତିଲେ। ଆନ୍ଧ୍ର ସରକାର ଭାବିଥିଲେ ନବନିର୍ବାଚିତ ଟିକାଇ ତାଙ୍କୁ ଏଠାରେ ସହଯୋଗ କରିବେ। ମାତ୍ର ସ୍ଥିତି ଏବେ ଓଲଟା ଫଳିଛି। ଖୋଦ୍ ଟିକାଇ ଏବେ ଆନ୍ଧ୍ର ସରକାରଙ୍କୁ ଏଠାରେ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଶୁକ୍ରବାର ଘଟଣାକ୍ରମ ବେଶ୍ ରୋଚକ ରହିଛି। ସାଲୁର ବିଧାୟକ ପି.ରାଜନ ଦୋରା ଓ ତାଙ୍କ ଦଳବଳ କୋଟିଆରୁ ଏଥିପାଇଁ ଆଜି ଅପମାନିତ ହୋଇ ଫେରିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପରେ ସାଲୁର ବିଧାୟକ ପି.ରାଜନ ଦୋରାଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। ସେ ଓଡ଼ିଶାର କୋଟିଆ ଅଞ୍ଚଳରେ ବିଜୟ ଉତ୍ସବ ପାଳନ ପାଇଁ କରିଥିବା ଯୋଜନା କୋଟିଆବାସୀଙ୍କ ଯୋଗୁଁ ଭଣ୍ଡୁର ହୋଇଛି।
ଆଜି ଆନ୍ଧ୍ରର କିଛି ଅଧିକାରୀ ଓ ଉପମୁଖ୍ୟମନ୍ତ୍ରୀ କୋଟିଆରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଲଗାଇଥିଲେ। ମାତ୍ର ଆନ୍ଧ୍ରପ୍ରଦେଶ ସରକାର ଏଠାରେ ମିଛ ପ୍ରତିଶ୍ରୁତି ଦେଇ କାମ ହାସଲ କରିଥିବା ଅଭିଯୋଗ କରି ତାଙ୍କୁ ଲୋକମାନେ ଦୃଢ ବିରୋଧ କରିଥିଲେ। ବାଧ୍ୟହୋଇ ସେମାନଙ୍କୁ ଅଧାବାଟରୁ ଫେରିବାକୁ ପଡିଛି। ଅନେକ ସମୟରେ ସାଲୁର ବିଧାୟକ ରାଜନ ଦୋରା ବାରମ୍ବାର କୋଟିଆକୁ ଅନୁପ୍ରବେଶ କରିବା ସହ ଆନ୍ଧ୍ରର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରୁଥିଲେ। ଏପରିକି ଆନ୍ଧ୍ର ପ୍ରଦେଶ ସାଲୁର ମଣ୍ଡଳମ୍ର ଜଳ ବିଭାଜିକା ବିଭାଗ ପକ୍ଷରୁ କୋଟିଆର ବିଭିନ୍ନ ଅଞ୍ଚଳରେ ବନ୍ଧ(ପୋଖରୀ) ଖୋଳିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ସ୍ଥାନୀୟ ବାସିନ୍ଦା ନିଜ ହାତରୁ ପଇସା ଖର୍ଚ୍ଚ କରି କାମ ଆରମ୍ଭ କରିଥିଲେ; କିନ୍ତୁ ଆନ୍ଧ୍ର ଅଧିକାରୀ ସେମାନଙ୍କୁ ଏବାବଦରେ କୌଣସି ଅର୍ଥ ଦେଇ ନଥିବା ଅଭିଯୋଗ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ଟିକାଇ ଗେମେଲଙ୍କୁ ଏଠି ଆନ୍ଧ୍ର କାରସାଦି କରି ବିଭାଜନର ବିଷମଞ୍ଜି ବୁଣିବାକୁ ଯୋଜନା କରିଥିଲା ଖୋଦ୍ କୋଟିଆର ଏହି ନବନିର୍ବାଚିତ ଜିଲା ପରିଷଦ ସଦସ୍ୟ ଟିକାଇ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କୁ କେବଳ ବିରୋଧ କରି ନଥିଲେ; ବରଂ ବିରୋଧର ନେତୃତ୍ବ ନେଇଥିଲେ। ଦୃଢ ବିରୋଧ ଯୋଗୁଁ ଆନ୍ଧ୍ର ଅଧିକାରୀମାନେ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଆନ୍ଧ୍ର ଅଧିକାରୀ ଓ ନେତାଙ୍କୁ କୋଟିଆବାସୀ ଏମିତି ଅପଦସ୍ତ କରି ଫେରାଇ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପକ୍ଷରେ କୋରାପୁଟ ଓ ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କିଭଳି ଚାଲିଛି ତାହାର ସମୀକ୍ଷା ପାଇଁ ୩ ଦିନିଆ ଦୁଇ ଜିଲା ଗସ୍ତରେ ଅଛନ୍ତି ଏବେ ଖୋଦ୍ ରାଜ୍ୟର ମୁଖ୍ୟ ପ୍ରଶାସନିକ ଅଧିକାରୀ। ପ୍ରଥମଥର ପାଇଁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳକୁ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଗସ୍ତ କରି ଦ୍ବିତୀୟ ଦିନରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
କୋରାପୁଟ ଜିଲାର ଜୟପୁର ସହରକୁ ଆଜି ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଟିଆରେ ଇଂରାଜୀ ମିଡିୟମ ସ୍କୁଲ ଖୋଲାଯିବା ସହ ସିବିଏସଇ ପ୍ରଣାଳୀରେ ପାଠପଢ଼ା ଆରମ୍ଭ ହେବ। ଦେଓମାଳିକୁ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ କରାଯିବ। ଏଥିସହ ୪୫ ଦିନ ମଧ୍ୟରେ ଜୟପୁର ବିମାନବନ୍ଦରରୁ ଆରମ୍ଭ ହେବ ଉଡାଣ। ବହୁ ପ୍ରତୀକ୍ଷିତ ବିମାନବନ୍ଦର କାର୍ଯ୍ୟ, ଜିଲା ଚିକିତ୍ସାଳୟ ଓ ଜଗନ୍ନାଥ ସାଗରକୁ ବୁଲି ଦେଖିଛନ୍ତି। ଶାସନ ସଚିବଙ୍କ ସହ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ଗସ୍ତ କରିଥିଲେ। ଜୟପୁର ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ପ୍ରୟାସ କରା ଯାଉଥିବା ନେଇ କହିଛନ୍ତି। ରାସ୍ତା ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକୁ ଦେଖିଥିଲେ। ଜୟପୁର ଜଗନ୍ନାଥ ସାଗରର ପୁନରୁଦ୍ଧାର କିପରି କରାଯାଇ ପାରିବ ସେ ନେଇ ଜୟପୁର ବିଧାୟକ, ଜିଲାପାଳ, ପୌରପାଳିକାର ଅଧିକାରୀ, ପୌର ଅଧ୍ୟକ୍ଷ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ଜିଲା ଚିକିତ୍ସାଳୟ ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ସହ କ୍ୱାର୍ଟର୍ସର ନିର୍ମାଣ କାମ ଚାଲିଛି। ଦେଢ ବର୍ଷ ଭିତରେ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଲୋକଙ୍କୁ ସେବା ଯୋଗାଇବାରେ ସହାୟକ ହେବ ବୋଲି କହିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ବେଳେ କୋରାପୁଟ ଜିଲାପାଳ ଅଦ୍ଦାଲ ଏମ. ଅଖତର, ପିଡିଡିଆରଡିଏ ହେମକାନ୍ତ ସୟ, ଉପଜିଲାପାଳ ବେଦବର ପ୍ରଧାନ, ଏମଆଇର ନିର୍ବାହୀ ଯନ୍ତ୍ରୀ, ପୌରପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌରପାଳିକାର ନିର୍ବାହୀ ଅଧିକାରୀ ଏସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଥିବା ଚିତ୍ରକୋଣ୍ଡା ଓ ମୋଟୁ ଅଞ୍ଚଳ ଗସ୍ତକରି ଶ୍ରୀ ମହାପାତ୍ର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ଏବଂ ଅଧାପନ୍ତରିଆ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଦୀର୍ଘବର୍ଷ ଧରି ନକ୍ସଲଙ୍କ ଗଡ଼ ଭାବେ ପରିଚିତ ମାଲକାନଗିରି ଜିଲାର ଚ୍ରିତକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଶୁକ୍ରବାର ସଡ଼କପଥରେ ଯାଇ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ରାଜ୍ୟର ବିଚ୍ଛିନ୍ନାଞ୍ଚଳକୁ କୌଣସି ମୁଖ୍ୟ ସଚିବଙ୍କର ଏହା ପ୍ରଥମ ଗସ୍ତ ବୋଲି କୁହାଯାଉଛି।
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲା ଗସ୍ତରେ ଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜି ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଉନ୍ନୟନ ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱାଭିମାନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଅଗ୍ରଗତି ଓ ସୁଫଳ କେତେ ପରିମାଣରେ ଲୋକଙ୍କୁ ମିଳିଛି ତାହା ଅନୁଧ୍ୟାନ କରିଥିଲେ। ସମସ୍ତ ପଞ୍ଚାୟତ ଓ ଗାଁରେ ଭିତ୍ତିଭୂମି ସ୍ଥାପନ ଓ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ବ୍ୟାପକ ତଥା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଞ୍ଚଳରେ ଏବେ ଅଧିକ ସଂଖ୍ୟକ ଲୋକ ମତ୍ସ୍ୟଚାଷ, ବନ ବିଭାଗ ଓ ଉଦ୍ୟାନ କୃଷି ଆଦି କାର୍ଯ୍ୟକୁ ଜୀବିକାର୍ଜନ ପନ୍ଥା ଭାବେ ଗ୍ରହଣ କରିଥିବା କୁହାଯାଇଛି। ଏହି ଅଞ୍ଚଳରେ ୭ଟି ଟେଲି ଟାୱାର କାର୍ଯ୍ୟ କରୁଥିବାବେଳେ ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ସବୁ ଘରକୁ ପ୍ରାୟ ୬ ହଜାର ମୋବାଇଲ ଫୋନ୍ ବଣ୍ଟା ଯାଇଥିବା କୁହାଯାଉଛି। ପ୍ରାୟ ୯୯ ପ୍ରତିଶତ ଅଞ୍ଚଳ ଏବେ ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ ହୋଇଥିବା ସୂଚନା ଦିଆଯାଇଛି।
ଏହି ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ଚିତ୍ରକୋଣ୍ଡାର ଉଦ୍ୟାନ କୃଷି, ଇକୋ ପାର୍କ, ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ, ପାଇପ ଯୋଗେ ପାନୀୟ ଜଳଯୋଗାଣର ଅଗ୍ରଗତି ଓ ୩୩ କେଭି ପାୱାର ସବଷ୍ଟେସନ ଆଦି ସ୍ଥାନ ବୁଲି ଦେଖିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସହ ରାଜସ୍ବ ସଦସ୍ୟ ଜି.କେ. ବେଣୁଗୋପାଳ ମଧ୍ୟ ସାଥୀରେ ଥିବାବେଳେ ଗସ୍ତ ସମୟରେ ଅତିରିକ୍ତ ଜିଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବନ ବିଭାଗ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ଏବେ ସ୍ବାଭିମାନ ଅଞ୍ଚଳବାସୀଙ୍କ ମନରେ ଭରସା ସୃଷ୍ଟି କରିଥିବାବେଳେ କୋଟିଆବାସୀଙ୍କ ହୃଦୟ ଜିତିବା ଆରମ୍ଭ କରିଛି।
Comments are closed.