କୋହଲି ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍‌

ଦୁବାଇ : ଭାରତୀୟ ଦଳର ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ମାସର ଶ୍ରେଷ୍ଠ କ୍ରିକେଟର୍‌ ଭାବେ ମନୋନୀତ କରାଯାଇଛି। ଅକ୍ଟୋବର ମାସ ପାଇଁ କୋହଲିଙ୍କୁ ଏହି ପୁରସ୍କାର ମିଳିଛି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୋହଲି ଚମତ୍କାର ପ୍ରଦର୍ଶନ କରି ଭାରତକୁ ସେମିଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି।
ସୂଚନାଥାଉକି ବିଶ୍ବକପ୍‌ରେ କୋହଲି ନେଦରଲାଣ୍ଡ୍‌ସ ଏବଂ ପାକିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍‌ ଦୌଡ଼ରେ ଥିବା ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର ଓ ଜିମ୍ବାୱେର ସିକନ୍ଦର ରାଜାଙ୍କୁ ପଛରେ ପକାଇ କୋହଲି ଏହି ପୁରସ୍କାର ହାସଲ କରିବାକୁ ସକ୍ଷମ ​‌େ​‌ହାଇଛନ୍ତି। ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍‌ ଭାବେ ମନୋନୀତ ହେବା ପରେ ନିଜ ପ୍ରତିକ୍ରିୟାରେ କୋହଲି କହିଥିଲେ ଏହା ତାଙ୍କ ପାଇଁ ଗୌରବର ବିଷୟ। ତାଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଥିବାରୁ ସାଥୀ ଖେଳାଳିଙ୍କୁ କୋହଲି ଧନ୍ୟବାଦ ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ପାକିସ୍ତାନର ବରିଷ୍ଠ ଅଲରାଉଣ୍ଡର ନିଡା ଦାର୍‌ ଆଇସିସି ମାସର ଶ୍ରେଷ୍ଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏସିଆ କପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏସିଆ କପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଦଳ ୩୩ ରନ୍‌ରେ ୩ଟି ୱିକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ନିଦା ଦାର୍‌ ଅପରାଜିତ ୫୬ ରନ୍‌ କରିଥିଲେ। ପରବର୍ତ୍ତୀ ସମୟରେ ସେ ବୋଲିଂ କରି ଭାରତର ହରମନପ୍ରୀତ କୌର୍‌ ଓ ଜେମିମା ରୋଡ୍ରିଗେଜ୍‌ଙ୍କ ୱିକେଟ୍‌ ହାସଲ କରିଥିଲେ। ଅକ୍ଟୋବରରେ ସେ ୧୪୫ ରନ୍‌ କରିବା ସହ ୮ଟି ୱିକେଟ୍‌ ହାସଲ କରିଥିଲେ। ଭାରତର ଜେମିମା ରୋଡ୍ରିଗେଜ୍‌ ଓ ଦିପ୍ତୀ ଶର୍ମା ଏହି ପୁରସ୍କାର ଦୌଡ଼ରେ ରହିଥିବା ବେଳେ ସେମାନଙ୍କୁ ପଛରେ ପକାଇ ନିଡା ଦାର୍‌ ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ହାସଲ କରିବାକୁ ମନୋନୀତ ହୋଇଥିଲେ।

Comments are closed.