ସରପଞ୍ଚଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

0

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଟି ପଞ୍ଚାୟତର ସରପଞ୍ଚମାନେ ଦେଇଥିବା ପ୍ରସ୍ତାବ ମଧ୍ୟରୁ ୩୦ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ସମସ୍ତ ପ୍ରକଳ୍ପରେ ୧କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ହେବ। କେନ୍ଦ୍ରାପଡ଼ା ଜିଲାର ବାରୋ, ଅନୁଗୋଳ ଜିଲାର ସାନ ତ୍ରିବିଡ଼ା, ଝାରସୁଗୁଡ଼ା ଜିଳାର କୁଡ଼ାଲୋଇ ଏବଂ କନ୍ଧମାଳ ଜିଲାର ଗୁଦାରୀ ପଞ୍ଚାୟତର ଭିତ୍ତିଭୂମି ବିକାଶ ପାଇଁ ଏହି ସମସ୍ତ ପକଳ୍ପ କାର୍ଯ୍ୟକ୍ଷମ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିବା ସହ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର୍ର ଏବଂ ଭଲଭାବରେ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଶୁକ୍ରବାର ଭିଡିଓ କନଫରେନ୍ସ ଦ୍ୱାରା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପରୋକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ। ସେମାନଙ୍କଠାରୁ ଗାଁର ଭିତ୍ତିଭୂମି ବିକାଶ ସମ୍ପର୍କିତ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ତୁରନ୍ତ ମଞ୍ଜୁର କରିଛନ୍ତି। ବାରୋ ପଞ୍ଚାୟତ ପାଇଁ ୩୫ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପ, ସାନ ତ୍ରିବିଡ଼ା ପାଇଁ ୩୫ଲକ୍ଷ ଟଙ୍କାର ୮ଟି, କୁଡ଼ାଲୋଇ ପାଇଁ ୩୫ଲକ୍ଷ ଟଙ୍କାର ୯ଟି, ଗୁଦାରୀ ପାଇଁ ୩୫ଲକ୍ଷ ଟଙ୍କାର ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି। ଗାଁର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ପାଇଁ ଜନସାଧାରଣ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ମାର୍ଚ୍ଚ ୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି। ସରପଞ୍ଚଙ୍କ ପ୍ରସ୍ତାବକୁ ବିଚାରକୁ ନେଇ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ଦେଉଛନ୍ତି।
ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଏବଂ ସମ୍ପୃକ୍ତ ଜିଲାର ଜିଲାପାଳମାନେ ଯୋଗଦେଇଥିଲେ।

Leave A Reply