ଓଡ଼ିଶାରେ ଦୁର୍ଘଟଣା ସଂଖ୍ୟା ଜାତୀୟ ହାର ଠାରୁ ଅଧିକ

0

ଭୁବନେଶ୍ୱର : ଓଡ଼ିଶାରେ ସଡ଼କ ଦୁର୍ଘଟଣା ହାର ସର୍ବଭାରତୀୟ ହାର ଠାରୁ ଯଥେଷ୍ଟ ଅଧିକ। ସଡ଼କ ଦୁର୍ଘଟଣା ଏବେ ଉଦ୍‍ବେଗ ଜନକ ସ୍ଥିତିରେ ପହଞ୍ଚିଛି। ଏହା ଆମ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ପ୍ରତିବନ୍ଧକ ସାଜିଛି। ତେବେ କେବଳ ସରକାର ଚାହିଁଲେ ଦୁର୍ଘଟଣା କମିବ ନାହିଁ, ଏଥିପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ ବୋଲି ଜୟଦେବ ଭବନ ଠାରେ ଅନୁଷ୍ଠିତ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଉଦ୍‍ଯାପନୀ ଦିବସରେ ମତପ୍ରକାଶ ପାଇଛି। ଚଳିତ ମାସ ୨୩ରୁ ୩୦ ତାରିଖ ମଧ୍ୟରେ ଚାଲିଥିବା ସଡ଼କ ସୁରକ୍ଷା ସପ୍ତାହ ଉଦ୍‍ଯାପନୀ ସମାରୋହରେ ଯୋଗଦେଇ ପରିବହନ ମନ୍ତ୍ରୀ ଡ଼ା ନୃସିଂହ ଚରଣ ସାହୁ କହିଥିଲେ, ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଅନ୍ୟୁନ ୧୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟୁଥିବା ବେଳେ ବର୍ଷକୁ ଏହି ସଂଖ୍ୟା ୪ ହଜାରରେ ପହଞ୍ଚିଛି। ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରା ଗଠିତ ଜଷ୍ଟିସ୍‍ ରାଧାକୃଷ୍ଣନ କମିଟିର ସୁପାରିଶ ଅନୁସାରେ ରାଜ୍ୟରେ ଦୁର୍ଘଟଣା ହାର ୧୦% ହ୍ରାସ କରିବା ପାଇଁ ସରକାର ପଦକ୍ଷେପ ନେଇଥିବା ସତ୍ତ୍ବେ ଏଥିରେ ସୁଧାର ଆସିପାରୁ ନାହିଁ। ଏଥିରେ ସମ୍ପୂର୍ଣ୍ଣ ଭାବେ ଜନସାଧାରଣଙ୍କ ସହଯୋଗ ଦରକାର। ମନ୍ତ୍ରୀ କହିଥିଲେ ଯେ ସଡ଼କ ସୁରକ୍ଷା ସଚେତନତାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏଥିରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ପାଇଁ ସ୍ଥିର ହୋଇଛି। ବିଭିନ୍ନ ଜିଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଉତ୍ପାଦନ କମିଶନର ଗଗନ ଧଳ କହିଥିଲେ ଯେ ଦୁର୍ଘଟଣାରେ ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାର ‘ଗୁଡ୍‍ ସାମାରିଟାନ ପଲିସି-୨୦୧୮’ ଆଗତ କରିଛନ୍ତି। ଏହା ସହିତ ଦୁର୍ଘଟଣା ସହ ଜଡିତ ପାଞ୍ଚଟି ଗୋଲ୍ଡେନ୍‍ ରୁଲ୍‍, ଗାଡ଼ି ଚାଳନା ସମୟରେ ଉଭୟ ଗାଡ଼ି ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ବ୍ୟବହାର କରିବା, ମୋବାଇଲ୍‍ ବ୍ୟବହାର ବନ୍ଦ କଲେ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ। ସାଂସଦ ଡ଼ ପ୍ରସନ୍ନ ପାଟ୍ଟଶାଣୀ କହିଥିଲେ, ଏବେ ରାସ୍ତାରେ ଥିବା ସ୍ପିଡ୍‍ ବ୍ରେକର ଓ ରମ୍ବଲର୍‍ ଦୁର୍ଘଟଣା ହ୍ରାସ କରିବା ବଦଳରେ ଦୁର୍ଘଟଣାର କାରଣ ପାଲଟୁଛି।
ରାଜ୍ୟରେ ଏବେ ଚିହ୍ନଟ ହୋଇଥିବା ୨୮୬ଟି ବ୍ଲାକ୍‍ ସ୍ପଟ୍‍କୁ ଖୁବ୍‍ ଶିଘ୍ର ମରାମତି କରିବା ଜରୁରୀ ବୋଲି ସେ କହିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗ ଶାସନ ସଚିବ ଜି. ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପରିବହନ ଆୟୁକ୍ତ ମଧୁସୂଦନ ପାଢ଼ୀ, ଅତିରିକ୍ତ ପୁଲିସ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ।

Leave A Reply