ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ କିଟ୍‌ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ

ଭୁବନେଶ୍ଵର: ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶ ଅନୁଯାୟୀ କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ସଦସ୍ୟମାନେ ତାଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା ଜେରା କରିଥିବା ସୂଚନା ମିଳିଛି।

ଆଜି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ୱରର ନୂତନ ଆନେକ୍ସ ବିଲ୍ଡିଂ, ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ। ସନ୍ଧ୍ୟା ୬.୩୦ ସମୟରେ ଭୁବନେଶ୍ୱରର ନୂତନ ଆନେକ୍ସ ବିଲ୍ଡିଂ, ରାଜ୍ୟ ଅତିଥି ଭବନରେ ମିନି ସମ୍ମିଳନୀ ହଲ୍‌ରେ ଉଚ୍ଚସ୍ତରୀୟ କମିଟି ସଦସ୍ୟମାନେ ତାଙ୍କୁ ଜେରା କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ସଦସ୍ୟମାନଙ୍କ ସମ୍ମୁଖରେ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିବା ସୂଚନା ମିଳିଛି।

ଶୁକ୍ରବାର ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟି ଶୁଣାଣୀ ଆରମ୍ଭ କରିଥିଲେ। ପ୍ରଥମେ ବୟାନ ରେକର୍ଡ ପାଇଁ ୪ଜଣ କର୍ମଚାରୀ ହାଜର ହୋଇଥିଲେ। ନିଲମ୍ବିତ କର୍ମଚାରୀ ମଞ୍ଜୁସା ପାଣ୍ଡ ଓ ଜୟନ୍ତୀ ନାଥଙ୍କ ସମେତ ୪ଜଣ କର୍ମଚାରୀ ହାଜର ହୋଇଥିଲେ। ଏହାପରେ କୁଳପତି ପ୍ରଫେସର ସରନଜିତ ସିଂହ ଏବଂ କୁଳସଚିବ ଗୁରୁତ୍ୱପୂର୍ଣ୍ଣ କାଗଜାତ ସହ ବୟାନ ରେକର୍ଡ ପାଇଁ ପହଞ୍ଚିଥିଲେ। ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଥିଲେ।

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ୮ଜଣଙ୍କୁ ସମନ ଜାରି କରିଥିଲା। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହିତ ସମସ୍ତ କର୍ମଚାରୀ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଥିଲେ। ତେବେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ସଦସ୍ୟମାନେ ସେମାନଙ୍କୁ କ’ଣ ପ୍ରଶ୍ନ କରିଥିଲେ ଏବଂ ସେମାନେ କ’ଣ ଉତ୍ତର ଦେଇଛନ୍ତି ତାହା ଜଣାପଡ଼ିନାହିଁ।

Comments are closed.