www.samajalive.in
Monday, December 15, 2025
16.1 C
Bhubaneswar

ୱାକଫ୍‌ ସଂଶୋଧନ ବିଲ୍ ନେଇ ବିଜେଡି ଦୁଇଫାଳ

ଭୁବନେଶ୍ବର: ରାଜ୍ୟସଭାରେ ୱାକଫ୍‌ ସଂଶୋଧନ ବିଲ୍‌ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହି ବିଲ୍‌କୁ ବିରୋଧ କରାଯିବ ବୋଲି ବିଜେଡି ପୂର୍ବରୁ ନିଷ୍ପତ୍ତି ନେଇଥିବାବେ‌େ‌ଳ ହଠାତ୍ କାହିଁକି ଆଭିମୁଖ୍ୟରେ ପରିବର୍ତ୍ତନ ହେଲା; ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ୱାକଫ୍‌ ସଂଶୋଧନ ବିଲ୍‌ ସପକ୍ଷରେ ବିଜେଡିର ରାଜ୍ୟସଭା ସଦସ୍ୟ ଭୋଟ୍‌ ଦେବା ପରେ ଦଳ ଭିତରେ ବିସ୍ଫୋରକ ପରିସ୍ଥିତି ସୃ‌ଷ୍ଟି ହୋଇଛି। ଏହାକୁ ନେଇ ଖୋଲାଖୋଲି ଭାବେ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ନିଷ୍ପତ୍ତି ପରିବର୍ତ୍ତନ ପଛରେ କିଛି ଖେଳ ହୋଇଥିବା ସନ୍ଦେହ କରୁଛନ୍ତି। ଦଳର ଏପରି ପରିବର୍ତ୍ତିତ ଆଭିମୁଖ୍ୟ ବିରୋଧରେ ବରିଷ୍ଠ ନେତାମାନେ ଏକାଠି ହୋଇଥିଲେ। ତେବେ ଧର୍ମନିରପେକ୍ଷ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନି ବୋଲି କହି ବିଜେଡି ସଭାପତି ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରଶମିତ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ହେଲେ ଗଣମାଧ୍ୟମରେ ନେତାଙ୍କ ବୟାନବାଜିରୁ ଅସନ୍ତୋଷ ବାରି ହେଉଛି।
ସୂଚନା ଅନୁସାରେ, ୱାକଫ୍ ସଂଶୋଧନ ବିଲ୍‌କୁ ନେଇ ରାଜ୍ୟସଭାରେ ବିଜେଡି ଦୁଇଭାଗ ହୋଇଯାଇଛି। ଡ. ସସ୍ମିତ୍ ପାତ୍ର ବିଲ୍ ସମର୍ଥନରେ ଭୋଟ ଦେଇଥିବାବେଳେ ମୁନ୍ନା ଖାଁ ବିଲ୍ ବିରୋଧରେ ଭୋଟ୍‌ ଦେଇଛନ୍ତି। ଦେବାଶିଷ ସାମନ୍ତରାୟ ଭୋଟ୍ ଦେଇନାହାନ୍ତି। ଅନ୍ୟ ୪ଜଣଙ୍କ କଥା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେମାନେ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଥିବା ଚର୍ଚ୍ଚା
ହେଉଛି। ଦଳୀୟ ନିଷ୍ପତ୍ତିକ୍ରମେ ଗୁରୁବାର ରାଜ୍ୟସଭା ଆଲୋଚନାରେ ଭାଗନେଇ ବିଲ୍‌କୁ ତୀବ୍ର ବିରୋଧ କରିଥିଲେ ମୁନ୍ନା। ତେବେ ଡ. ପାତ୍ରଙ୍କର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଆସିବା ପରେ ବିଜେଡିର ପୂର୍ବ ନିଷ୍ପତ୍ତି ବଦଳି ଯାଇଥିଲା। ବିବେକାନୁମୋଦିତ ଭୋଟ୍‌ ଦେବା ପାଇଁ ସାଂସଦଙ୍କୁ କୁହାଗଲା। ହ୍ବିପ୍ ଜାରି ହେଲା ନାହିଁ। ଦଳର ଆଭିମୁଖ୍ୟ ହଠାତ୍ କାହିଁକି ବଦଳିଲା, ତାହା ବରିଷ୍ଠ ନେତା ମଧ୍ୟ ଜାଣିପାରିଲେନି। ଏହାକୁ ନେଇ ଶଙ୍ଖ ଭବନରେ ଶୁକ୍ରବାର ବିଜେଡିର ଉପଦେଷ୍ଟାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ୱାକଫ୍ ବିଲ୍‌କୁ ନେଇ ଦଳର ଆଭିମୁଖ୍ୟ ପ୍ରସଙ୍ଗରେ ବୈଠକରେ ଚର୍ଚ୍ଚା ହୋଇଥିଲା।
ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ନେତା ତଥା ବିଧାୟକ ବଦ୍ରିନାରାୟଣ ପାତ୍ର କହିଥିଲେ ଯେ, ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେବା ପଛରେ ନିଶ୍ଚିତ ଖେଳ ହୋଇଛି। ୱାକଫ୍‌ ବିଲ୍‌କୁ ବିରୋଧ କରିବାକୁ ମୁନ୍ନା ଖାଁଙ୍କୁ ୨ଥର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ। ଏହାସତ୍ତ୍ୱେ ସାଂସଦମାନେ କିଭଳି ବିଲ୍‌କୁ ସମର୍ଥନ କଲେ ତାହା ଚିନ୍ତାଜନକ। ଏଥିରେ କିଛି ଖେଳ ନିଶ୍ଚୟ ହୋଇଛି ବୋଲି ବଦ୍ରି କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶଶିଭୂଷଣ ବେହେରା, ଭୂପିନ୍ଦର ସିଂ, ଚନ୍ଦ୍ରଶେଖର ସାହୁ, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଦଳର ସଭାପତିଙ୍କୁ ଭେଟି ଆଲୋଚନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ଏହିକ୍ରମେ ଦଳର ବରି‌ଷ୍ଠ ନେତାମାନେ ସନ୍ଧ୍ୟାରେ ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ।
ଏନେଇ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମରେ କହିଛନ୍ତି ଯେ, ଉପଦେଷ୍ଟା କମିଟି ବୈଠକର ନିଷ୍ପତ୍ତି ସମ୍ପର୍କରେ ଦଳର ସଭାପତିଙ୍କୁ ଅବଗତ କରାଯାଇଛି। ସଂଗଠନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଗଲା। ୱାକଫ୍‌ ବିଲ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ସଭାପତି କହିଥିଲେ, ବିଜେଡି ଏକ ଧର୍ମନିରପେକ୍ଷ ଦଳ। ଏହି ନୀତି ଓ ଆଧାର ଉପରେ ଦଳ ପ୍ରତିଷ୍ଠା ହୋଇଛି। ଧର୍ମନିରପେକ୍ଷ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନି। ସେହିପରି ଆଞ୍ଚଳିକ ଦଳ ଭାବେ ସମଦୂରତ୍ବ ନୀତି ବଜାୟ ରହିଥିବା ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି।
ସସ୍ମିତଙ୍କ ବିରୋଧରେ ନବୀନଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ
ଭୁବନେଶ୍ବର, ୪ା୪ (ଭୁ.ପ୍ର): ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କ ବିରୋଧରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ। ସେ ଉଲ୍ଲେଖ କରିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁଦିନଠୁ ବିଜେଡି ଗଠନ ହୋଇଥିଲା, ସେହିଦିନଠୁ ଆଜିପର୍ଯ୍ୟନ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟ (ମୁସଲମାନ)ର ହିତ ପାଇଁ କାର୍ଯ୍ୟ କରିଆସୁଛି। ଆଗାମୀ ଦିନରେ ମଧ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଆସ୍ଥା, ବିଶ୍ବାସକୁ ନେଇ ଦଳ କାର୍ଯ୍ୟ କରିବ ବୋଲି ଆଶା ଓ ବିଶ୍ବାସ। ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବିଜେଡି କାର୍ଯ୍ୟ କରିଆସୁଛି। ତେବେ ୱାକଫ୍‌ ସଂଶୋଧନ ବିଲ୍-୨୦୨୫ ରାଜ୍ୟସଭାରେ ଗୃହୀତ ହେବା ସମୟରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ତାଙ୍କ ନିଜସ୍ବ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ଦେଇଥିବା ମନ୍ତବ୍ୟ ଦୁଃଖଦାୟକ। ସଂଖ୍ୟାଲଘୁ ସମ୍ପ୍ରଦାୟର ବିଶ୍ବାସଭାଜନ ପରିବ‌େର୍ତ୍ତ ଏଭଳି ବ୍ୟକ୍ତିଗତ ମନ୍ତବ୍ୟ ଦଳକୁ କ୍ଷତି ପହଞ୍ଚାଇବ ବୋଲି ସେ ଅନୁଭବ କରୁଥିବା ଚିଠିରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ପୁନର୍ବିଚାର ବିମର୍ଶ କରି ବିହିତ ପଦକ୍ଷେପ ଗ୍ରହଣ କଲେ ଦଳ ପାଇଁ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories