ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ସାଂସଦ ପଦ ରଦ୍ଦ

0

ଇସଲାମାବାଦ : ପାକିସ୍ତାନ ରାଜନୀତିରେ ଆସିଥିବା ଭୂମିକମ୍ପ ଥମିବାର ନାମ ନେଉନାହିଁ । ଜଣକ ପରେ ଜଣେ ବରିଷ୍ଠ ନେତା ସରକାରରୁ ବିଦା ହେବାରେ ଲାଗିଛନ୍ତି । ପାନାମା ପେପର ପ୍ରଘଟ ମାମଲାରେ ପ୍ରଥମେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପଦ ହରାଇବାକୁ ପଡିଥିଲା । ଏବେ ବିଦେଶ ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଉପରେ ଇସଲାମାବାଦ ହାଇକୋର୍ଟଙ୍କ ଖଣ୍ଡା ପଡିଛି । ହାଇକୋର୍ଟ ନିର୍ବାଚନ ପ୍ରାର୍ଥିପତ୍ର ଦାଖଲ ସମୟରେ ୟୁଏଇରେ ଚାକିରି ନେଇ ତଥ୍ୟ ଲୁଚାଇବା ଅଭିଯୋଗରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ସାଂସଦ ପଦକୁ ରଦ୍ଦ କରିଦେଇଛନ୍ତି । ଇମରାନ ଖାନଙ୍କ ନେତୃତ୍ୱାଧୀନ ତେହରିକ୍‌ ଇ ଇନସାଫର ନେତା ଉସମାନ ଦାର ଖ୍ୱାଜା ଆସିଫଙ୍କ ବିରୋଧରେ ଆବେଦନ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ୨୦୧୩ ନିର୍ବାଚନ ବେଳେ ଖ୍ୱାଜା ଆସିଫ୍‌ ପ୍ରାର୍ଥିପତ୍ରରେ ୟୁଏଇର ୱାର୍କ ପରିମିଟ୍‌ ଭିସା ଏବଂ ସେ ନେଇ କୌଣସି ତଥ୍ୟ ଦେଇନଥିଲେ । ଏହାର ବିଚାର କରି ଇସଲାମାବାଦ ହାଇକୋର୍ଟ ଖ୍ୱାଜା ଆସିଫଙ୍କ ସଂସଦ ପଦକୁ ରଦ୍ଦ କରିଦେଇଛନ୍ତି । ପ୍ରକାଶ ଯେ ଉସମାନ ଦାର ୨୦୧୩ ନିର୍ବାଚନରେ ଏନ୍‌ଏ୧୧୦ ନିର୍ବାଚନ ମଣ୍ଡଳୀରୁ ଖ୍ୱାଜା ଆସିଫଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ । ପାକିସ୍ତାନ ସମ୍ବିଧାନର ଧାରା ୬୨ ଏବଂ ୬୩ ଅନୁସାରେ ନିର୍ବାଚନ ବେଳେ ଚାକିରି ନେଇ ତଥ୍ୟ ପ୍ରଘଟ କରିନଥିବାରୁ ଆସିଫଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଛି। ଖ୍ୱାଜା ଆସିଫ ୨୦୧୧ରୁ ୟୁଏଇରେ ଆଇଏମ୍‌ଇସିଏଲ ନାମକ ଏକ କମ୍ପାନୀରେ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ ଚାକିରି କରିଥିଲେ । ଚାକିିରି ବାବଦ ସେ ମାସକୁ ୫୦ ହଜାର ୟୁଏଇ ଦିନାର ପାଉଥିଲେ । କିନ୍ତୁ ଆସିଫ ନିର୍ବାଚନ ବେଳେ ଏନେଇ କୌଣସି ତଥ୍ୟ ଦେଇନଥିଲେ । ଯାହା ତାଙ୍କ ପାଇଁ ମହଙ୍ଗା ପଡିଛି ଓ ପଦ ହରାଇବାକୁ ପଡ଼ିଛି ବୋଲି କୁହାଯାଉଛି ।

Leave A Reply