ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ଖୁଣ୍ଟା : ଖୁଣ୍ଟା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ବାହାନଡା ଶାନ୍ତିନିକେତନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳାରେ ବରିଷ୍ଠ ବର୍ଗରେ ୧୬ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ କନିଷ୍ଠ ବର୍ଗରେ ୩୨ ଓ ଉପକନିଷ୍ଠ ବର୍ଗରେ ୧୬ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବିଜ୍ଞାନ ମେଳାର ଉଦଯାପନୀ ଉତ୍ସବରେ କପ୍ତିପଦା ଆଟିଡିଏର ପ୍ରକଳ୍ପ ପ୍ରଶାସକ ବିଧାନ ଚନ୍ଦ୍ର ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଭାପତି ଏବିଇଓ ସୁକୁମାର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ତଥା ଆୟୋଜକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ବେହେରା ଉପସ୍ଥିତ ଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି, ସରପଞ୍ଚ ଧନେଶ୍ୱର ଟୁଡୁ, ଶାନ୍ତିନିକେତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବନେଶ୍ୱର କର, ସିଆରସିସି ଶଶିଧର ମହାନ୍ତ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସରପଞ୍ଚ ଶ୍ରୀ ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବିଇଓ ଚୈତନ୍ୟ ପ୍ରସାଦ ବାରିକ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସିଦନାଥ ସୋରେନ, ଏବିଇଓ ଶ୍ରୀନୀବାସ ପ୍ରଧାନ ଯୋଗ ଦେଇଥିଲେ। ଅଂଶଗ୍ରହଣ କରିଥିବା ପ୍ରକଳ୍ପ ମଧ୍ୟରୁ ବରିଷ୍ଠ ବର୍ଗରେ ବାସିପିଠା ସରକାରୀ ଏସଏସଡି ହାଇସ୍କୁଲର ପ୍ରିତି ରଞ୍ଜନ ସେଠୀଙ୍କ ପ୍ରକଳ୍ପ ପ୍ରଥମ, କହ୍ନେଇଁ ବନ୍ଧ ଡିକେ ହାଇସ୍କୁଲର ସୁକୁମାରୀ ସୋରେନଙ୍କ ପ୍ରକଳ୍ପ ଦ୍ୱିତୀୟ ଓ ବାଲିମୁଣ୍ଡୁଳି ହାଇସ୍କୁଲର ଧର୍ମପଦ କବାଟଙ୍କ ପ୍ରକଳ୍ପ ତୃତୀୟ ବିବେଚିତ ହୋଇଥିଲା। କନିଷ୍ଠ ବର୍ଗରେ ଟଭାଗଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବର୍ଷା ନାଏକ, ବାସିପିଠା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିକ୍ରମ ସିଂ ଦ୍ୱିତୀୟ ଓ ବାଲିମୁଣ୍ଡଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜୟ କୁମାର ମାରାଣ୍ଡିଙ୍କ ପ୍ରକଳ୍ପ ତୃତୀୟ ବିବେଚିତ ହୋଇଥିଲା। ସେହିପରି ଉପକନିଷ୍ଠ ବର୍ଗରେ ବାଲିମୁଣ୍ଡୁଳି ପ୍ରାଥମିକ ସ୍କୁଲର ଅଲିସା ମିଶ୍ରଙ୍କ ପ୍ରକଳ୍ପ ପ୍ରଥମ, ମହୁଲଡିହି ପ୍ରାଥମିକ ସ୍କୁଲର ପ୍ରଧାନ ମୁର୍ମୁଙ୍କ ପ୍ରକଳ୍ପ ଦ୍ୱିତୀୟ ଓ ଧାନଘେରା ପ୍ରାଥମିକ ବିଦ୍ୟାଳୟର ସୋନାଲୀ ବେହେରାଙ୍କ ପ୍ରକଳ୍ପ ତୃତୀୟ ବିବେଚିତ ହୋଇଥିଲା। କୁଳିଅଳମ ହାଇସ୍କୁଲର ବିଷ୍ଣୁପଦ ଆଚାର୍ଯ୍ୟ, ଅଁଳା ହାଇସ୍କୁଲର ବସନ୍ତ କୁମାର ଦତ୍ତ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ। ବରିଷ୍ଠ ଓ କନିଷ୍ଠ ବର୍ଗର ପ୍ରଥମ ଦୁଇଟି ପ୍ରକଳ୍ପ ଓ ଉପକନିଷ୍ଠ ବର୍ଗର ପ୍ରଥମ ବିବେଚିତ ପ୍ରକଳ୍ପକୁ ମିଶାଇ ମୋଟ ୫ ଗୋଟି ପ୍ରକଳ୍ପ ଜିଲା ସ୍ଥରୀୟ ବିଜ୍ଞାନ ମେଳାରେ ଭାଗ ନେବେ ବୋଲି କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ। କାର୍ଯ୍ୟକ୍ରମରେ ସିଆରସିସି ନରେନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିଆରସିସ ଅଜୟ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।