ଖୋ-ଖୋ ପ୍ରତିଯୋଗୀତା ପାଇଁ ଖେଳାଳି ଚୟନ ଶିବିର

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ସିନ୍ଦୁରପଙ୍କ ସ୍ଥିତ ଜନାର୍ଦ୍ଦନ ପୂଜାରୀ ଉଚ୍ଚ ବିଦ୍ୟାଳୟଠାରେ ଆଗାମୀ ୫୫ତମ ରାଜ୍ୟସ୍ତରୀୟ ବରିଷ୍ଠ ଖୋ ଖୋ ପ୍ରତିଯୋଗୀତା ପାଇଁ ଏକ ଖେଳାଳି ଚୟନ ଶିବିର ଆୟୋଜିତ ହୋଇଯାଇଛି । ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ଆୟୋଜିତ ହେବାକୁ ଥିବା ଉଭୟ ପୁରୁଷ ଓ ମହିଳା ବର୍ଗର ସମ୍ବଲପୁର ଜିଲା ଦଳ ନିମନ୍ତେ ରବିବାର ଏହି ଚୟନ ଶିବିର ଆୟୋଜିତ ହୋଇଥିଲା । ଜିଲା କ୍ରିଡା ସଂଘର ଆନୁକୂଲ୍ୟରେ ଆୟୋଜିତ ଏହି ଜିଲାସ୍ତରୀୟ ଚୟନ ଶିବିରରେ ବାମରା, କୁଚିଣ୍ଡା, କୁଲୁଣ୍ଡି, ମାନେଶ୍ୱର, ହୀରାକୁଦ, ସିନ୍ଦୁରପଙ୍କ ସମେତ ବିଭିନ୍ନ ବ୍ଲକରୁ ୭୦ ଜଣ ପୁରୁଷ ଓ ମହିଳା ଖେଳାଳି ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହିପାଳ ସ୍ୱାଇଁ, ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ଜଗବନ୍ଧୁ ବେହେରା, ରାଜ୍ୟ ଖୋ ଖୋ ସଂଘର ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ କୁମାର ନାଥ ଓ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ସେଠ, ଜିଲା କ୍ରିଡା ସଂଘର ଖେଳ ସମ୍ପାଦକ ରାଜେଶ ସେଠ, ଅବଦୁଲ ଗଫାର ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି ଚୟନ ଶିବିରର ଶେଷରେ ଉଭୟ ପୁରୁଷ ଓ ମହିଳା ବିଭାଗରୁ ସମୁଦାୟ ୨୪ ଜଣ ଖେଳାଳିଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ନାରାୟଣ ପ୍ରଧାନ, ଚିତ୍ତରଞ୍ଜନ ପଣ୍ଡା, ସତ୍ୟରଞ୍ଜନ ପଣ୍ଡା, ଉମେଶ ପାଣିଗ୍ରାହୀ, ସସ୍ମିତା ଓଝା, ସୁମିତ୍ରା ଛତର, ଶିଶିଲିଆ ତିର୍କୀ, ଚିନ୍ତାମଣି ବେହେରା ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।

Comments are closed.