କେସିଙ୍ଗା ଡକାୟତି ଘଟଣା : ଜଣେ ମହିଳାଙ୍କ ସମେତ ୭ ଗିରଫ
କେସିଙ୍ଗା : କେସିଙ୍ଗା ସହରର ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘରୁ ଗତ ୨୮ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କେସିଙ୍ଗା ପୁଲିସ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ କଳାହାଣ୍ଡି ପୁଲିସ ପକ୍ଷରୁ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ଦିଆଯାଇଛି । ଘଟଣା ଦିନରୁ କେସିଙ୍ଗା ପୁଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଥିଲା ଏବଂ ବିଶେଷକରି କେସିଙ୍ଗା ଏସଡିପିଓ ରୋହିତ ବର୍ମା ନିଜେ ତଦନ୍ତର ତଦାରଖ କରୁଥିଲେ। ବହୁ ପରିଶ୍ରମ ପରେ ପୁଲିସ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ ଗୁର୍ଜିମୁଣ୍ଡା ଗ୍ରାମର ଖିତିଶ ରଣା, ରୁକମନ ରଣା, ବିପେଶ ରଣା, କୁଣ୍ଡାବନ୍ଧ ଗ୍ରାମର ଦୈତାରି କରୁଆଁ, ବବଲୁ ଦୀପ୍ , କିକିଆ ଗ୍ରାମର ଧୋବା ଖର୍ସେଲ ଏବଂ ଏମ୍. ରାମପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମର ଉର୍ମିଲା ରଣା। ଏହି ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଉର୍ମିଲା ବୋଲି କୁହାଯାଉଛି । ଉର୍ମିଲା ସୁଭାଷଙ୍କ ଘରେ ଚାକରାଣି ଭାବରେ କାମ କରୁଥିଲେ। ସେ ହିଁ ଅନ୍ୟମାନଙ୍କୁ ସୁଚନା ଦେଇଥିଲା । ଅଭିଯୁକ୍ତ କେତେଜଣ ତାର ସମ୍ପର୍କୀୟ ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ଡକାୟତିରେ ୬ ଲକ୍ଷ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ ପୁଲିସ ଏକଲକ୍ଷ ୧୨ ହଜାର ଟଙ୍କା ଏମାନଙ୍କ ଠାରୁ ଜବତ କରିଛି । ଅନ୍ୟ ଟଙ୍କା ଏମାନେ ଖର୍ଚ୍ଚ କରିଥାଇ ପାରନ୍ତି କିମ୍ବା କେଉଁଠି ଲୁଚାଇ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଅଳଙ୍କାର ସମ୍ବନ୍ଧରେ ପୁଲିସ କୌଣସି ସୁରାକ ପାଇ ପାରିନାହିଁ । ଅଭିଯୁକ୍ତ ମାନେ ଡକାୟତି ସମୟରେ ବ୍ୟବହାର କରିଥିବା ମାରଣାସ୍ତ୍ର ସହିତ ୪ଟି ମୋବାଇଲ ଏବଂ ଦୁଇଟି ମଟର ସାକେଲକୁବି ପୁଲିସ ଜବତ କରିଛି । ତେବେ ଅଭିଯୁକ୍ତ ମାନଙ୍କର ଏହା ପୁର୍ବରୁ କୌଣସି ଅପରାଧିକ କର୍ଯ୍ୟରେ ସମ୍ପୃକ୍ତି ନଥିବା କୁହା ଯାଉଛି ।
Comments are closed.