କେରଳକୁ ସମୃଦ୍ଧ କରୁଛନ୍ତି ପ୍ରବାସୀ, ପଠାଇଛନ୍ତି ୨ ଲକ୍ଷ କୋଟି

ନୂଆଦିଲ୍ଲୀ: କେରଳକୁ ଧନୀ କରୁଛନ୍ତି ପ୍ରବାସୀ। କେନ୍ଦ୍ର ସରକାର ଖାଦ୍ୟ ରିଆତି ଉପରେ ୨.୦୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିବା ବେଳେ ପ୍ରବାସୀ କେରଳୀ ଗତବର୍ଷ ଘରକୁ ୨.୧୬ ଲକ୍ଷ କୋଟି ଟଙ୍କା ପଠାଇଛନ୍ତି। ଏହା ପୂର୍ବ ବର୍ଷ ପ୍ରବାସୀ କେରଳୀ ୧.୯ ଲକ୍ଷ କୋଟି ଟଙ୍କା ପଠାଇଥିଲେ। ଏହା ପୂର୍ବର ତଥ୍ୟ ଦେଖିଲେ ବ୍ୟାଙ୍କ ସ୍ଥାୟୀ ଜମା ଠାରୁ ମଧ୍ୟ ପ୍ରବାସୀ କେରଳୀ ଘରକୁ ପଠାଉଥିବା ଟଙ୍କା ପରିମାଣ ଦ୍ରୁତ ଗତିରେ ବଢ଼ୁଛି।

୨୦୧୭-୧୮ରେ ପ୍ରବାସୀ କେରଳୀ ଘରକୁ ୧.୧୪ ଲକ୍ଷ କୋଟି ଟଙ୍କା ପଠାଇଥିବାବେଳେ ୨୦୧୮-୧୯ରେ ବନ୍ୟା ପ୍ରଭାବରେ କେରଳ ଭୀଷଣ ଭାବେ ପ୍ରଭାବିତ ହୋଇଥିବାବେଳେ ୧.୧୪ ଲକ୍ଷ କୋଟି ଟଙ୍କା ପଠାଇଥିଲେ। ସେହିପରି ୨୦୨୧-୨୨ କୋଭିଡ୍‌ ପରବର୍ତ୍ତୀ ସମୟରେ ୧.୪୪ ଲକ୍ଷ କୋଟି ଟଙ୍କା ଘରକୁ ପଠାଇଥିଲେ। ରାଜ୍ୟର ଅର୍ଥନୀତି ପାଇଁ ଏହା ଏକ ଶୁଭ ସଙ୍କେତ। ପ୍ରବାସୀ ପଠାଉଥିବା ଟଙ୍କା କେରଳର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଏକ ଚତୁର୍ଥାଂଶ(୨୩.୨%)। ଏହି ପରିମାଣର ଟଙ୍କା ଆସିବା ଫଳରେ ରାଜ୍ୟରେ ମୁଣ୍ଡ ପିଛା ଆୟ ୨ ଲକ୍ଷ ୬୩ ହଜାର ୯୪୫ ଟଙ୍କାରେ ପହଞ୍ଚିଛି। ତେବେ କେରଳରେ ଥିବା ପରିବାର ସଂଖ୍ୟାକୁ ହିସାବକୁ ନେଲେ ପ୍ରବାସୀ ପଠାଇଥିବା ଟଙ୍କା ଅଧିକ ପ୍ରାସଙ୍ଗିକ ଲାଗୁଛି। ୨୦୧୮ରେ ପ୍ରବାସୀ ପଠାଉଥିବା ଟଙ୍କା ପରିବାର ପିଛା ୯୬,୧୫୬ ଟଙ୍କା ଥିଲା। ତେବେ ପାଞ୍ଚ ବର୍ଷ ପରେ ୨୦୨୩ରେ ଏହା ଦୁଇଗୁଣରୁ ବି ଅଧିକ ହୋଇ ୨.୨୩ ଲକ୍ଷ କୋଟିରେ ପହଞ୍ଚିଛି।

୨୦୨୩ରେ କେରଳର ରାଜ୍ୟ ସରକାର ପ୍ରବାସୀ ସର୍ବେକ୍ଷଣ କରିଥିଲେ, ଯାହା ଦର୍ଶାଇଥିଲା ଯେ, ପ୍ରବାସୀ ମାସକୁ ୭୩.୩% ଟଙ୍କା ଘରକୁ ପଠାଉଥିବା ବେଳେ ୧୯.୩% ତିନିମାସରେ ଥରେ ପଠାନ୍ତି। ୨୦୧୮ରେ ୨୧ ଲକ୍ଷ କେରଳୀ ବିଦେଶ ଯାଇଥିବା ବେଳେ ୨୦୨୩ରେ ୨୨ ଲକ୍ଷ କେରଳୀ ବିଦେଶ ଯାଇଛନ୍ତି। ସର୍ବେକ୍ଷଣ ସମୟରେ ଦେଖାଯାଇଥିଲା ଯେ ବହୁ ଘର ବନ୍ଦ ହୋଇଛି, କାରଣ ସମସ୍ତ ପରିବାର ବିଦେଶ ଚାଲିଯାଇଛନ୍ତି। ପ୍ରାୟ ୪.୨ ଲକ୍ଷ ପରିବାର ବିଦେଶରେ ରହୁଛନ୍ତି। ବିଶ୍ବରେ ୫୦ ଲକ୍ଷ ପ୍ରବାସୀ କେରଳୀ ଅଛନ୍ତି, ଯାହା ସର୍ବାଧିକ। ଏଥିସହ ୩୦ ଲକ୍ଷ କେରଳୀ ରାଜ୍ୟ ବାହାରେ ରହୁଛନ୍ତି। ପ୍ରତି ୫ ପରିବାରରୁ ଦୁଇ ପରିବାରର ସଦସ୍ୟ ପ୍ରବାସରେ ରହୁଛନ୍ତି। ଅଧିକାଂଶ କେରଳୀ ସଂଯୁକ୍ତ ଆରବ ଅମିରାତ, ସାଉଦି ଆରବ ଏବଂ କତାରରେ ରହୁଛନ୍ତି। ୧୯୯୮ରେ ୯୪ଧ କେରଳୀ ଏହି ସବୁ ଦେଶରେ ରହୁଥିଲେ। ତେବେ କେରଳୀ ଏବେ ପଶ୍ଚିମ ରାଷ୍ଟ୍ରକୁ ମଧ୍ୟ ଯାଉଛନ୍ତି।

ସ୍ପିନ୍‌ ଜାଲରେ ଛନ୍ଦିହେଲା ଇଂଲଣ୍ଡ, ଫାଇନାଲରେ ଭାରତ

Comments are closed.