କେରଳ-କର୍ଣ୍ଣାଟକରେ ବନ୍ୟା ଓ ଭୂସ୍ଖଳନରେ ୧୧୮ ମୃତ, ଅନେକ ନିଖୋଜ

ଥିରୁଅନନ୍ତପୁରମ/ବେଙ୍ଗାଲୁରୁ : କେରଳ ଏବଂ କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ବନ୍ୟା ଓ ଭୂସ୍ଖଳନରୁ ବିତ୍ପାତ ସୃଷ୍ଟି ହୋଇଛି।
କେରଳର ୮ଟି ଜିଲାରେ ଭୀଷଣ ବନ୍ୟା ଓ ବର୍ଷାରେ ଅଗଷ୍ଟ ୮ରୁ ଏପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ହୋଇଛି। ମଲପୁରମ ଏବଂ ୱାୟନାଡ଼ ଜିଲାରେ ଭୂସ୍ଖଳନରେ ଅନେକ ଘର ମାଟି ତଳେ ପୋତି ହୋଇଯାଇଛି। ଏହି ଦୁଇସ୍ଥାନରେ ଭୂସ୍ଖଳନ ଘଟି ୫୭ ଜଣ ମାଟି ତଳେ ପୋତି ହୋଇରହିଥିବା ଆଶଙ୍କା କରାଯାଉଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ବିସ୍ଥାପିତ ଅଢେଇ ଲକ୍ଷରୁ ଅଧିକ ଲୋକଙ୍କୁ ୧୬୪୦ଟି ରିଲିଫ ଶିବିରରେ ରଖାଯାଇଛି। ୨୫୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ପ୍ରବଳ ବନ୍ୟାରୁ ପାଖାପାଖି ୧୦୦ଟି ସ୍ଥାନରେ ଭୂ-ସ୍ଖଳନ ଘଟିଛି। ରବିବାର ସନ୍ଧ୍ୟାରେ ମଲ୍ଲପୁରମରେ ଭୂସ୍ଖଳନ ଘଟି ୨୩, କୋଝିକୋଡ଼ରେ ୧୭ ଏବଂ ୱାୟନାଡ଼ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ପଲକ୍କଡ ଜିଲାର ପାଖାପାଖି ୧୦ଟି ଆଦିବାସୀ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଅନେକ ସ୍ଥାନରେ ରେଳ ଧାରଣା ଉପରେ ଗଛ ଉପୁଡ଼ି ପଡ଼ିବା ସହ ଛାତିଏ ଉଚ୍ଛର ପାଣି ଚାଲୁଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେରଳରେ ଗତ ବର୍ଷ ପ୍ରଳୟଙ୍କରୀ ବନ୍ୟାରେ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା।
ସେପେଟ କର୍ଣ୍ଣାଟକର ୧୭ଟି ଜିଲା ବନ୍ୟାର ପ୍ରକୋପ ଦେଖାଯାଇଛି। ଏଠାରେ ଗତ ୧୨ ଦିନ ମଧ୍ୟରେ ବର୍ଷା ଓ ବନ୍ୟାରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୪ ଜଣ ନିଖୋଜ ଅଛନ୍ତି। ସେନା ଏବଂ ଏନଡିଆରଏଫ ଦଳ ରାଜ୍ୟର ବନ୍ୟା ପ୍ରଭାବିତ ୫ ଲକ୍ଷ ୮୧ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବନ୍ୟା ପୀଡ଼ିତଙ୍କ ପାଇଁ ୧୧୬୮ଟି ରିଲିଫ ଶିବିର ଖୋଲାଯାଇଛି। ରବିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। କର୍ଣ୍ଣାଟକ ସରକାର ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୫ ଲକ୍ଷ ଓ ଆହତଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏହାକୁ ରାଜ୍ୟର ୪୫ ବର୍ଷର ସବୁଠୁ ବଡ଼ ବିପଦ ବୋଲି କହିଛନ୍ତି। ସେ ଏଥିପାଇଁ କେନ୍ଦ୍ରକୁ ୩ ହଜାର କୋଟି ଟଙ୍କାର ସହାୟତା ମାଗିଛନ୍ତି।

kalyan agarbati

Comments are closed.