ତୀର୍ଥ ଯାତ୍ରାରେ ଗଲେ ୧୭୪ଜଣ ବରିଷ୍ଠ ନାଗରିକ
କେନ୍ଦୁଝରଗଡ଼: ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଜିଲାର ୧୭୪ଜଣ ଆଗ୍ରା ଓ ମଥୁରା ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାନୁସାରେ ଶୁକ୍ରବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି ଓ ସହନିର୍ଦ୍ଦେଶକ ପର୍ଯ୍ୟଟନ କେନ୍ଦୁଝର ରମେଶ ଚନ୍ଦ୍ର ନାୟକ ପତାକା ହଲାଇ ତୀର୍ଥ ଯାତ୍ରା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ତୀର୍ଥ ଯାତ୍ରାରେ ସାମିଲ ଜିଲାର ୧୭୪ଜଣ ବରିଷ୍ଠ ନାଗରିକଙ୍କ ଯାତ୍ରା ଆନନ୍ଦଦାୟକ ଓ ଶୁଭମୟ ହେଉ ବୋଲି ଅତିଥିଗଣ କାମନା କରିଥିଲେ।
ଆର୍ଥିକ ଦୁର୍ବଳଶ୍ରେଣୀର ବରିଷ୍ଠ ନାଗରିକ ମାନଙ୍କ ତୀର୍ଥ ଯାତ୍ରା ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ତୀର୍ଥ ଯାତ୍ରାରେ ସାମିଲ ବରିଷ୍ଠ ନାଗରିକଗଣ ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ଏହା କହିଛନ୍ତି। ଶୁକ୍ରବାର ଅପରାହ୍ନରେ ୪ଟି ବସ୍ ଯୋଗେ ଏହି ବରିଷ୍ଠ ନାଗରିକ ସେମାନଙ୍କ ତୀର୍ଥ ଯାତ୍ରା ଆରମ୍ଭ କରି ବାଲେଶ୍ୱରରେ ପହଞ୍ଚି ରାତ୍ରିକାଳୀନ ବିଶ୍ରାମ କରିବେ।
ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ମି.ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ ମାଧ୍ୟମରେ ତୀର୍ଥ ଯାତ୍ରାକୁ ଶୁଭାରମ୍ଭ କରିବା ପରେ ଏକ ସ୍ୱତନ୍ତ୍ର ଟ୍ରେନରେ ଏହି ତୀର୍ଥଯାତ୍ରୀ ମାନେ ଆଗ୍ରା ଓ ମଥୁରା ଅଭିମୁଖେ ଯାତ୍ରା କରିବେ ଏବଂ ଯାତ୍ରା ସାରି ଆସନ୍ତା ୭ତାରିଖ ରାତିରେ କେନ୍ଦୁଝର ଠାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ତୀର୍ଥ ଯାତ୍ରାରେ ସାମିଲ ବରିଷ୍ଠ ନାଗରିକଙ୍କ ସୁବ୍ୟବସ୍ଥା ପାଇଁ ସରକାରଙ୍କ ପକ୍ଷରୁ ବୀହିତ ପଦକ୍ଷେପ ଗ୍ରହଣ କରାଯାଇଛି।
ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ଋଷିକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଏକ ୫ ଜଣିଆ ସରକାରୀ କର୍ମଚାରୀ ଏହି ତୀର୍ଥ ଯାତ୍ରାରେ ସାମିଲ ହୋଇ ବରିଷ୍ଠ ନାଗରିକଙ୍କ ସମସ୍ତ ପ୍ରକାର ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି କୁହାଯାଇଛି। ତୀର୍ଥ ଯାତ୍ରା ପାଇଁ ମୋଟ ୭୧୭ଜଣ ବରିଷ୍ଠ ନାଗରିକ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୬୮ଜଣ ସାମିଲ ହୋଇ ଥୀର୍ଥ ଯାତ୍ରା କରି ସାରିଥିବା ବେଳେ ମାର୍ଚ୍ଚ ୧ରେ ଆବେଦନକାରୀଙ୍କ ମଧ୍ୟରୁ ଅବଶିଷ୍ଟ ୧୭୪ଜଣ ବରିଷ୍ଠ ନାଗରିକ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟରେ ଆଗ୍ରା ଓ ମଥୁରା ପରିଦର୍ଶନରେ ଯାଇଥିବା ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ଶ୍ରୀ ନାୟକ କହିଛନ୍ତି।
Comments are closed.