କେନ୍ଦୁଝର ବିକାଶ ନେଇ ଅଣ୍ଟାଭିଡିଲେ ପୂର୍ବତନ ସାଂସଦ ଓ ବିଧାୟକ

କେନ୍ଦୁଝରଗଡ଼: ଶେଷରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ସାମଗ୍ରିକ ବିକାଶ ନେଇ ଅଣ୍ଟାଭିଡିଛନ୍ତି ଜିଲାର ପୂର୍ବତନ ସାଂସଦ ଓ ବିଧାୟକ। କେନ୍ଦୁଝର ସଦରର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକଙ୍କ ଆବାହକତ୍ୱରେ ମଙ୍ଗଳବାର ସର୍କିଟହାଉସ୍‍ଠାରେ ପୂର୍ବତନ ଲୋକପ୍ରତିନିଧି ମଞ୍ଚ ପକ୍ଷରୁ ଅନୁଷ୍ଠିତ ପ୍ରଥମ ବୈଠକରେ ପୂର୍ବତନ ଲୋକସଭା ସଦସ୍ୟ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପୂର୍ବତନ ଚମ୍ପୁଆ ବିଧାୟକ ଧର୍ନୁଜୟ ଲାଗୁରୀ, ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକ, ପୂର୍ବତନ ତେଲକୋଇ ବିଧାୟକ ପ୍ରାଣବଲ୍ଲଭ ନାୟକ, ପୂର୍ବତନ ଆନନ୍ଦପୁର ବିଧାୟକ ମାୟାଧର ଜେନା ପ୍ରମୁଖ ଏକତ୍ରିତ ହୋଇ କେନ୍ଦୁଝର ଜିଲାର ବିକାଶ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ମୁଖ୍ୟମନ୍ତ୍ରୀ ଚଳିତବର୍ଷ ଫେବୃୟାରୀ ୧୩ ତାରିଖରେ କେନ୍ଦୁଝର ଗସ୍ତ କରି ଧରଣୀଧର ବିଶ୍ୱବିଦ୍ୟାଳୟ ଘୋଷଣା ସହ ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ ନପାଇବାରୁ ୨୦୨୩-୨୪ ଶିକ୍ଷାବର୍ଷରେ ଜିଲାର ଛାତ୍ରଛାତ୍ରୀ ପୂର୍ବଭଳି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ ନାମ ଲେଖାଇଥିବାରୁ କେନ୍ଦୁଝରବାସୀଙ୍କ ପ୍ରତି ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଭେଳିକି ବୋଲି ତେଲକୋଇର ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକ।

prayash

ଜିଲାର ଉନ୍ନତି ପାଇଁ ସରକାରୀସ୍ତରରେ ହାତକୁ ନିଆଯାଇଥିବା ବହୁ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡି ରହିବା ସହ ପ୍ରକଳ୍ପ କାର୍ଯ୍ୟ କିଭଳି ଶେଷ ହୋଇ କାର୍ଯ୍ୟକ୍ଷମ ହେବ ସେ ନେଇ ଆଦୌ ଜିଲାସ୍ତରୀୟ ସମୀକ୍ଷା ବୈଠକ କରାଯାଉ ନାହିଁ ବୋଲି ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକ କହିଛନ୍ତି। ଖଣିଜସମ୍ପଦରେ ଭରପୁର କେନ୍ଦୁଝର ଜିଲାରେ ରାଜ୍ୟର ଦ୍ୱିତୀୟ ବୃହତ୍‍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନେଇ ଆଜକୁ ଦୀର୍ଘ ୫୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଏହା କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ସୀମିତ ଥିବାରୁ ଏଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ବାସ୍ତବ ରୂପ ଦେବାସହ ଜିଲାର ବେକାରୀ ସମସ୍ୟା ଦୂରୀକରଣ ସାଙ୍ଗକୁ ଆର୍ଥିକ ଓ ସାମାଜିକ ଉନ୍ନତି ଆଣିବାରେ ସହାୟକ ହେବାକୁ ଆନନ୍ଦପୁରର ପୂର୍ବତନ ବିଧାୟକ ଶ୍ରୀ ଜେନା ଏହା କହିଛନ୍ତି। ସେହିଭଳି ଜିଲାରେ କୃଷି ବିପ୍ଳବ ଆଣିବା ଲକ୍ଷ୍ୟରେ ଦୀର୍ଘ ୪୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ନିର୍ମାଣାଧିନ କାନପୁର ବୃହତ୍‍ ଜଳସେଚନ ପ୍ରକଳ୍ପ ଆଜିପର୍ଯ୍ୟନ୍ତ ଶେଷ ହୋଇ ଚାଷୀଙ୍କ କାମରେ ଲାଗିବା ପୂର୍ବରୁ ଏହା ଯେ, ଜିଲାରେ କାର୍ଯ୍ୟରତ ପୁଞ୍ଜିପତିଙ୍କ ଉଦ୍ଦେଶ୍ରରେ ନିର୍ମାଣ ହୋଇଛି ସେ ନେଇ ଚମ୍ପୁଆର ପୂର୍ବତନ ବିଧାୟକ ଶ୍ରୀ ଲାଗୁରୀ କ୍ଷୋଭ ପ୍ରକାଶ କରିଥିଲେ। ୧୯୭୫ ମସିହାରୁ କାର୍ଯ୍ୟକ୍ଷମ କାଣିଝରୀ ଜଳସେଚନ ପ୍ରକଳ୍ପର ମରାମତି ଓ ଉନ୍ନତିକରଣ କାର୍ଯ୍ୟ ସଠିକ୍‍ ଭାବେ କରାଯାଉ ନଥିବାରୁ ଏହି ଜଳସେଚନ ପ୍ରକଳ୍ପ ଉପରେ ନିର୍ଭରଶୀଳ ଲକ୍ଷାଧିକ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବୋଲି କେନ୍ଦୁଝରର ସଦର ବିଧାୟକ ଶ୍ରୀ ନାଏକ କହିଛନ୍ତି।

ଦଳମତ ନିର୍ବିଶେଷରେ ଏହି ମଞ୍ଚ ଏକ ଅଣରାଜନୈତିକ ସଙ୍ଗଠନ ଭାବେ କାର୍ଯ୍ୟ କରି ଜିଲାର ସ୍ୱାର୍ଥରକ୍ଷା ସହ ଜିଲାକୁ କିଭଳି ବିକାଶ ପ୍ରକ୍ରିୟାରେ ସାମିଲ କରାଯାଇ ପାରିବ ସେ ନେଇ ମଞ୍ଚର ଏକ ପ୍ରତିନିଧିମଣ୍ଡଳୀ ଆଗାମୀ ଦିନରେ ଖୁବ୍‍ ଶିଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବ ବୋଲି ମଞ୍ଚ ଆବାହକ ଶ୍ରୀ ନାଏକ କହିଛନ୍ତି। ଏହି ବୈଠକକୁ ଦଳମତ ନିର୍ବିଶେଷରେ ଜିଲାର ପ୍ରାୟ ସମସ୍ତ ପୂର୍ବତନ ସାଂସଦ ଓ ବିଧାୟକଗଣଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ କେତେକ ନେତା ବିଭିନ୍ନ କାରଣରୁ ପ୍ରଥମ ବୈଠକରେ ସାମିଲ ହୋଇପାରିନଥିବା ବେଳେ ଏମାନେ ପରବର୍ତ୍ତୀ ବୈଠକରେ ଯୋଗଦେବେ ବୋଲି ସୂଚନା ଦେଇଥିବା ଆବାହକ ଶ୍ରୀ ନାଏକ କହିଛନ୍ତି। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶାସକ ବିଜେଡି ଦଳରୁ ଟିକେଟ୍‍ ଆଶାୟୀ ଥିବା କେନ୍ଦୁଝର ସଦରର ପୂର୍ବତନ ଯୁବ ବିଧାୟକ ଅଭିରାମ ନାଏକ, ତେଲକୋଇର ପୂର୍ବତନ ଯୁବ ବିଧାୟକ ବେଦବ୍ୟାସ ନାଏକ, ଚମ୍ପୁଆର ପୂର୍ବତନ ବିଧାୟକ ଧର୍ନୁଜୟ ସିଦ୍ଦୁ, ପୂର୍ବତନ ଲୋକସଭା ସଦସ୍ୟ ତଥା ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ଏହି ମଞ୍ଚରୁ ନିଜକୁ ଦୂରେଇ ରଖିବାରେ ସମର୍ଥ ହୋଇଥିବା ଜଣାପଡିଛି।

Comments are closed.