Patra electronics

ଲକ୍ଷାଧିକ ଭକ୍ତ ଗହଣରେ ସିଂହଦ୍ୱାରକୁ ବାହୁଡ଼ିଲେ ତିନିଠାକୁର

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଭଉଣୀ ସୁଭଦ୍ରା ଓ ସାନଭାଇ ଶ୍ରୀଜଗନ୍ନାଥଙ୍କୁ ସଙ୍ଗରେ ଧରି ମାଉସୀ ମା’ ମନ୍ଦିରରୁ ଲକ୍ଷାଧିକ ଭକ୍ତଙ୍କ ଗହଣରେ ବୁଧବାର ସନ୍ଧ୍ୟାରେ ବଳଦେବଜୀଉ ମନ୍ଦିର ସିଂହଦ୍ୱାରକୁ ବାହୁଡ଼ିଛନ୍ତି। ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ଅପରାହ୍ନ ପ୍ରାୟ ୨ଟାରେ ଧାଡିପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇ ୪ଟାରେ ରଥାରୁଢ ହୋଇଥିଲେ। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜ୍ଞାନୋଦୟମଣ୍ଡଳ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ତାଳଧ୍ୱଜ’କୁ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ଓ ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ରଥ ସମ୍ମୁଖରେ ଉନ୍ମୋଚନ କରିଥିଲେ। ରାଜ ପୁରୋହିତ ପ୍ରସନ୍ନ ନନ୍ଦ ଓ ବଡପଣ୍ଡା ରାଜକିଶୋର ପଣ୍ଡା, ବ୍ରହ୍ମା ଗଙ୍ଗାଧର ମିଶ୍ରଙ୍କ ଉପସ୍ଥିତିରେ କେନ୍ଦୁଝରର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ରଥ ଉପରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ସାଢ଼େ ୪ଟା ୪୫ଟାରେ ଘଣ୍ଟୁଆଙ୍କ ଘଣ୍ଟବାଦ୍ୟ, ଶଙ୍ଖ, ହୁଳହୁଳି ଓ ହରିବୋଲି ସହ ଜୟ ଜଗନ୍ନାଥ ଧ୍ୱନିରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ସିଂହଦ୍ୱାର ସମ୍ମୁଖରେ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ସୁରୁଖୁରୁରେ ପହଞ୍ଚିଥିଲା।

ଦେବୋତ୍ତର ଅଧିକାରୀ ତଥା କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି କେନ୍ଦୁଝର ସଦର ତହସିଲଦାର ଆଶିଷ ମହାପାତ୍ର, ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ, ଡେପୁଟି କଲେକ୍ଟର ସୁରଞ୍ଜିକା ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ରଶ୍ମୀତା ସ୍ୱାଇଁ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଆଇନଶୃଙ୍ଖଳା ଦାୟିତ୍ୱ ନିର୍ବାହ କରିଥିଲେ। ଝିପିଝିପି ବର୍ଷା ଯୋଗୁଁ କିଭଳି ବାହୁଡ଼ା ଯାତ୍ରା ସମ୍ପନ୍ନ ହେବ ସେ ନେଇ ପ୍ରଶାସନଠାରୁ ଭକ୍ତ ସମସ୍ତେ ଆଶଙ୍କାରେ ଥିବାବେଳେ ଅପରାହ୍ନରେ ପାଗରେ ପରିବର୍ତ୍ତନ ଯୋଗୁଁ ନିର୍ଦ୍ଧାରିତ ସମୟରେ ଭକ୍ତ ବଡଦାଣ୍ଡରେ ରୁଣ୍ଡ ହୋଇ ତିନି ଠାକୁର ବିଜେ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’କୁ ଆନନ୍ଦର ସହ ଟାଣି ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚାଇଥିଲେ। ଜିଲାପାଳ ଆଶିଷ ଠାକରେ ଓ ଏସ୍‌ପି ନିତିନ କୁଶଲକର, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଟକୋ କୁଜୁର ଭକ୍ତଙ୍କ ଗହଣରେ ଉପସ୍ଥିତ ରହି ସିଂହଦ୍ୱାର ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ବିମଳ ଚନ୍ଦ୍ର ରାଉତ, ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ଟାଉନ ଥାନା ଅଧିକାରୀ ସୁନୀଲ କରଙ୍କ ସମେତ ୪ଜଣ ଡିଏସ୍‌‌ପି, ୮ଜଣ ଇନ୍ସପେକ୍ଟର, ୧୮ଜଣ ସବ୍‌‌ଇନ୍ସପେକ୍ଟର ଓ ୨୦ଜଣ ଏଏସଆଇଙ୍କ ସମେତ ୧୬ ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଇଲେଭେନ ବୁଲେଟ କ୍ଲବ ପକ୍ଷରୁ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କୁ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଜିଲା ଯୁବ ରେଡକ୍ରସ୍‌‌ ବାହୀନି ପକ୍ଷରୁ ଭକ୍ତଙ୍କୁ ସହାୟତା ଓ ସୁରକ୍ଷା ପ୍ରଦାନ କରାଯାଇଥିଲା। ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ସଞ୍ଜୀବ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଣ୍ଡିତ ମଧୁସୂଦନ ମିଶ୍ର, ଇନ୍ଦୁମତୀ ପାତ୍ର, ପଣ୍ଡିତ ଅନନ୍ତ ପ୍ରସାଦ ଦେବତା ଓ ଡ.ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଭକ୍ତଙ୍କୁ ଜଗନ୍ନାଥ ତତ୍ତ୍ୱ ଓ ସଂସ୍କୃତି ବିଷୟରେ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିଲେ।

Comments are closed.