ଟ୍ରାଫିକ୍‍ ସମସ୍ୟା ଯୋଗୁଁ ବୃଦ୍ଧି ପାଉଛି ଦୁର୍ଘଟଣା

କେନ୍ଦୁଝରଗଡ଼: ଜିଲା ମୁଖ୍ୟାଳୟର ପ୍ରମୁଖ ରାସ୍ତା ଗତ କିଛିବର୍ଷ ଧରି ପରିବା ଓ ଫଳ ବ୍ୟବସାୟୀଙ୍କ କବ୍‍ଜାରେ ରହି ଆସିଥିବା ବେଳେ ଏଥିଯୋଗୁଁ ଉତ୍କଟ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବା ନେଇ ସହରର ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଛି। ବିଶେଷକରି ଜିଲାପାଳଙ୍କ କାର୍ଯ୍ୟାଳୟ ଛକରୁ ଗାନ୍ଧିଛକ ପର୍ଯ୍ୟନ୍ତ ସହରର ପ୍ରମୁଖ ରାସ୍ତାର ଉଭୟପାଶ୍ୱର୍ ଫୁଟ୍‍ପାଥକୁ ଅବରୋଧ କରି କେତେବ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ଜାରି ରଖିଛନ୍ତି।

ବାହାରର କେତେକ ଫଳ ବ୍ୟବସାୟୀ ରାସ୍ତା ଉପରେ ଠେଲା ଗାଡ଼ି ଲଗାଇ ବର୍ଷତମାମ୍‍ ରାସ୍ତା ଅବରୋଧ କରୁଛନ୍ତି। ଫଳରେ ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ସେହିଭଳି ଜିଲାପାଳ ଓ ଏସ୍‍.ପି.କାର୍ଯ୍ୟାଳୟ ଦେଇ ଯାଇଥିବା ଅଣଓସାରିଆ ରାସ୍ତାରେ ଥିବା ଏସପି.କାର୍ଯ୍ୟାଳୟ ପାଚେରୀକୁ ଲାଗିଥିବା ଫୁଟ୍‍ପାଥକୁ ଅବରୋଧ କରି ବର୍ଷତମାମ ପରିବାର ବ୍ୟବସାୟୀ ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ସେମାନଙ୍କ ବ୍ୟବସାୟ ଜାରି ରଖୁଥିବାରୁ ଗ୍ରାହକ ମାନଙ୍କ ଦ୍ୱାରା ରାସ୍ତା ଅବରୋଧ ହୋଇ ସଦାସର୍ବଦା ଟ୍ରାଫିକ୍‍ ସମସ୍ୟା ସହରବାସୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଉକ୍ତ ରାସ୍ତା ଦେଇ ସମଗ୍ରଶିକ୍ଷା ଅଭିଯାନ, ସଦର ବ୍ଲକ ଶିକ୍ଷା ଅଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ, ଏନ.ଏସ୍‍.ପୁଲିସ ହାଇସ୍କୁଲ, ଧରଣୀଧର ବିଶ୍ୱବିଦ୍ୟାଳୟ, ଲର୍ଡ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ ରେଳ ଷ୍ଟେସନ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ, ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆଦି ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଥିବାବେଳେ ଦୈନଦିନ ଜୀବନରେ ଉକ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନ ସହ ଜଡିତ ବ୍ୟକ୍ତିବିଶେଷ ଯାତାୟାତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

କେନ୍ଦୁଝର ସହରରେ ପାର୍କିଂ ବ୍ୟବସ୍ଥା ଆଦୌ ନଥିବାରୁ ବଜାରକୁ ଆସୁଥିବା ଲୋକେ ବାଧ୍ୟ ହୋଇ ସେମାନଙ୍କ ଦୁଇଚକିଆ ଓ ଚାରିଚକିଆ ଯାନକୁ ରାସ୍ତା ଉପରେ ପାର୍କିଂ କରି ଦୋକାନ ବଜାରକୁ ଯାଉଥିବା ବେଳେ ଏହି ଦୁଇ ଓ ଚାରିଚକିଆ ଯାନ ମାଲିକଙ୍କୁ ବେଆଇନ ପାର୍କିଂ ଦର୍ଶାଇ ଇ-ଚାଲାଣ ଯୋଗେ ଜୋରିମାନା ଆଦାୟ କରିବା କେତେଦୁର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.