କେନ୍ଦୁଝରରେ ବୃହତ୍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଘୋଷଣା; ପ୍ରତିଶ୍ରୁତି ନା ପ୍ରତାରଣା ?

କେନ୍ଦୁଝରଗଡ଼: ରାଜ୍ୟ ଓ କେନ୍ଦ୍ର ରାଜକୋଷକୁ ସର୍ବଦା ସମୃଦ୍ଧ କରି ଆସୁଥିବା ଖଣି ବହୁଳ କେନ୍ଦୁଝର ଜିଲାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ, ବୃହତ୍ ଇସ୍ପାତ ପ୍ରକଳ୍ପ, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ, ଜୁଡିଆଠାରେ କୃଷି ବିଶ୍ୱ ବିଦ୍ୟାଳୟ ଏବଂ ଆନନ୍ଦପୁର, ଚମ୍ପୁଆକୁ ରେଳ ସଂଯୋଗ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ପକ୍ଷରୁ ୯ ଫେବୃୟାରୀ ୨୦୧୫ରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନର ୫୯ଦିନ ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆନ୍ଦୋଳନ ମଞ୍ଚରେ ଉପସ୍ଥିତ ହୋଇ ଜିଲାରେ ସରକାରୀ ମେଡିକାଲ ସ୍ଥାପନ ଖୁବ୍ ଶୀଘ୍ର କରାଯିବା ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେହିବର୍ଷ ନଭେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ମେଡିକାଲ କଲେଜ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥି ସହ ତୁରନ୍ତ ଜିଲାରେ ଏକ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା ମଧ୍ୟ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ଅନୁମୋଦନକ୍ରମେ ଖଣିବହୁଳ କେନ୍ଦୁଝର ଜିଲାରେ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୬ ଜୁଲାଇ ୨୦୨୧ରେ ମଞ୍ଜୁରୀ ମିଳିଥିବା ତତ୍କାଳୀନ ଇସ୍ପାତ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଜଣାଇବା ପରେ ଜିଲାବ୍ୟାପୀ ଖୁସିର ଲହରୀ ଖେଳି ଯାଇଥିଲା। ସମସ୍ତଙ୍କ ସହଯୋଗ ରହିଲେ କେନ୍ଦୁଝରରେ ୮ହଜାର କୋଟି ଟଙ୍କା ବ୍ୟୟରେ ଖୁବ୍ ଶୀଘ୍ର ଏକ ବୃହତ୍ ଇସ୍ପାତ କାରଖାନା ନିର୍ମାଣ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ୯ ଜୁଲାଇ ୨୦୨୧ ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ଦରବାରହଲଠାରେ ଆୟୋଜିତ ସମ୍ମିଳନୀରେ କେନ୍ଦୁଝରବାସୀଙ୍କୁ ଉଦ୍ବୋଧନ ଛଳରେ ଘୋଷଣା କରିଥିଲେ। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜିଲା ଗସ୍ତରେ ଆସି କେନ୍ଦୁଝରରେ ମେଡିକାଲ କଲେଜ ଓ ହସ୍ପିଟାଲର ଶୁଭ ଉଦ୍ଘାଟନ ସାଙ୍ଗକୁ ଧରଣୀଧର ବିଶ୍ୱବିଦ୍ୟାଳୟ ଘୋଷଣା ଜିଲାବାସୀଙ୍କୁ କିଛିଟା ଆଶ୍ୱସ୍ତି ଆଣି ଦେଇଛି। ତେବେ ଜିଲାବାସୀଙ୍କୁ ନିଯୁକ୍ତି ସୁଯୋଗ ସହ ଆର୍ଥିକ ଓ ସାମାଜିକ ଉନ୍ନତି ଆଣିବାକୁ ହେଲେ ଜିଲାରେ ବୃହତ୍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଜିଲାବାସୀଙ୍କ ପାଇଁ କେବଳ ଘୋଷଣା, ପ୍ରତିଶ୍ରୁତି ଓ ପ୍ରତାରଣାରେ ରହି ଆସିଥିବା ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ଅବସରରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଖଣିବହୁଳ କେନ୍ଦୁଝର ଜିଲାରେ ୭୯୨୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୬ ଜୁଲାଇ ୨୦୨୧ରେ ଘୋଷଣା କରିବା ୨ଦିନ ପରେ ଅର୍ଥାତ ୯ତାରିଖ ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଦରବାରହଲଠାରେ ଅନୁଷ୍ଠିତ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଶାସକ ବିଜେଡି ଦଳର ସାଂସଦ ଓ ବିଧାୟକ, ଜିଲାପରିଷଦ ସଭାପତି, ଚମ୍ପୁଆର ଦୁଇ ପୂର୍ବତନ ବିଧାୟକ ଏବଂ କେନ୍ଦୁଝର ନାଗରିକ ମଞ୍ଚ ସଭାପତି ଓ ଜିଲା ବଣିକ ସଂଘ ସଭାପତି ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ମଧ୍ୟ ପ୍ରଦାନ କଲେ। ଧନ୍ୟବାଦ ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ରହିଲେ ଖୁବ୍ ଶିଘ୍ର କେନ୍ଦୁଝରରେ ଇସ୍ପାତ କାରଖାନା ନିର୍ମାଣ ଆରମ୍ଭ ସହ ଜିଲାରେ ଏକ ସେବିକା ମହାବିଦ୍ୟାଳୟ ଓ ପରିବେଶୀୟ ପର୍ଯ୍ୟଟନକେନ୍ଦ୍ର କାର୍ଯ୍ୟକ୍ଷମ ନେଇ ଘୋଷଣା ମଧ୍ୟ କରିଥିଲେ। ତେବେ ଅତୀତରେ ଜିଲାରେ ବୃହତ୍ ଇସ୍ପାତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆର୍ସେଲର ମିତ୍ତଲ, ଷ୍ଟେରଲାଇଟ ଓ ଉତ୍ତମଗାଲଭା ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସହ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷର କରି ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ସହ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ଜମି ଅଧିଗ୍ରହଣ ନିମନ୍ତେ ଉତ୍ତମଗାଲଭା ଓ ଷ୍ଟେରଲାଇଟ୍ କମ୍ପାନୀ ପକ୍ଷରୁ ୩ଟି ଗ୍ରାମ ପାଇଁ ୬(କ) ଘୋଷଣାନାମା ମଧ୍ୟ ପ୍ରକାଶ ପାଇସାରିଥିଲା। ଏହାସତ୍ତ୍ବେ ଜିଲାରେ ଏହି ୩ ବୃହତ୍ ପ୍ରକଳ୍ପ ପ୍ରତିଷ୍ଠା ନେଇ ସରକାରୀସ୍ତରରେ ଆନ୍ତରିକତା ପ୍ରକାଶ ନପାଇବାରୁ ଶେଷରେ ଏହି ୩ ପ୍ରମୁଖ କମ୍ପାନୀ ପ୍ରକଳ୍ପ ପ୍ରତିଷ୍ଠାରୁ ଓହରି ଯିବା ଜିଲାବାସୀ ଏବେବି ସୁଦ୍ଧା ଭୁଲି ପାରିନାହାନ୍ତି। ଏଭଳିସ୍ଥିତିରେ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ଜିଲାରେ ଇସ୍ପାତ ପ୍ରକଳ୍ପ ପ୍ରକୃତରେ ପ୍ରତିଷ୍ଠା ହେବ ନା ଏହା କେବଳ ନିର୍ବଚନୀ ବୈତରଣୀ ପାରିହେବା ପାଇଁ ଜିଲାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ତାହା ଆଗାମୀ ଦିନରେ ସମୟ ହିଁ କହିବ ବୋଲି ସେତେବେଳେ ଜିଲାବ୍ୟାପୀ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଜିଲାରୁ ଉତ୍ତୋଳିତ ଲୁହାପଥର ରାଜ୍ୟ ଓ ଦେଶ ବାହାରକୁ ରପ୍ତାନୀ ହୋଇ ୬୦ପ୍ରତିଶତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ଆସୁଥିବା ବେଳେ ଜିଲାରେ ୩ ନିୟୁତ ଟନ୍ ଇସ୍ପାତ କାରଖାନା ପ୍ରତିଷ୍ଠା ହେଲେ କେତେ ବେକାରୀ ନିଯୁକ୍ତି ପାଇବେ ଏବଂ କେତେ ପରିମାଣର ଲୁହାପଥର ବିନିଯୋଗ ହେବ ତାହା ଜିଲାବାସୀଙ୍କୁ କେବଳ ପ୍ରତାରିତ କରିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସ୍ୱର୍ଗତଃ ବିଜୁବାବୁଙ୍କ ଉଦ୍ୟମରେ ଗଢ଼ି ଉଠିଥିବା ଜିଲାର ପ୍ରଥମ ଇସ୍ପାତ ଶିଳ୍ପ କଳିଙ୍ଗ ଆଇରନ ୱାର୍କସ୍ ବନ୍ଦ ପଡ଼ିଥିବା ବେଳେ ଏହାର ପୁନଃ କାର୍ଯ୍ୟକ୍ଷମ ନେଇ ସରକାରଙ୍କ ସାମାନ୍ୟ ଆନ୍ତରିକତା ନଥିବାବେଳେ ଜିଲାରେ ବୃହତ୍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କେବଳ ଯେ, ନିର୍ବାଚନୀ ସ୍ଲୋଗାନରେ ସୀମିତ ରହିଛି ତାହା ବହୁବାର ପ୍ରମାଣିତ ହୋଇଆସିଛି ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରତିଷ୍ଠାତା ସଦସ୍ୟ ସଞ୍ଜୀବ କୁମାର ବେହେରା କ୍ଷୋଭର ସହ ଏହା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆର୍ସେଲର ମିତ୍ତଲ, ଜେଏସ୍ଡବ୍ଲ୍ୟୁ. ଜେଏସ୍ପିଏଲ, ଆଦିତ୍ୟ ବିର୍ଲା, ରୁଙ୍ଗଟା ଭଳି ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ କେନ୍ଦୁଝର ଜିଲାରେ ଲୌହ ଖଣି ହାତେଇ ଜିଲା ଓ ରାଜ୍ୟ ବାହାରେ ବୃହତ୍ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରି ସେମାନଙ୍କର ବ୍ୟାବସାୟିକ ସାମ୍ରାଜ୍ୟ ଅଭିବୃଦ୍ଧି କରୁଛନ୍ତି। ହେଲେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଆଳରେ ଦୀର୍ଘବର୍ଷ ଧରି ଖଣି ହାତେଇ ବାର୍ଷିକ ହଜାର ହଜାର କୋଟି ଟଙ୍କା ମୁନାଫା କମାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲାରେ ଏକ ବୃହତ୍ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଜିଲାବାସୀଙ୍କ ପାଇଁ କେବଳ ଦିବା ସ୍ୱପ୍ନରେ ହିଁ ରହିଆସିଛି।

Comments are closed.