ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଲୋକଙ୍କ ‘ଜୁଗାଡ଼’ ଆଗରେ ଦୁନିଆର ବଡ଼ ବଡ଼ ଇଞ୍ଜିନିୟର ମଧ୍ୟ ଫେଲ୍ ମାରନ୍ତି। ଏହା ଆମେ କହୁନୁ, ବରଂ ୨୦୧୬ରେ ଫେସ୍ବୁକ୍(ବର୍ତ୍ତମାନ ମେଟା)ର ସିଇଓ ମାର୍କ ଜୁକରବର୍ଗ ଓ ତାଙ୍କ ପ୍ରତିଭାବାନ ଇଞ୍ଜିନିୟର ଟିମ୍ଙ୍କ ବିଷୟରେ ପ୍ରକାଶିତ ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି। ଫେସବୁକର ଜଣେ ପୂର୍ବତନ ଅଧିକାରୀ ସାରାହ ୱିନ୍-ୱିଲିୟମ୍ସ ନିକଟରେ ପ୍ରକାଶ କରିଥିବା ତାଙ୍କ ସ୍ମୃତିରେ ଏହା ଉଲ୍ଲେଖ କରିଛନ୍ତି।
ପୁସ୍ତକରେ ବଡ଼ ଖୁଲାସା:
ସାରାହ ତାଙ୍କ ସ୍ମୃତି ପୁସ୍ତକ ‘କେୟାରଲେସ୍ ପିପଲ୍’ରେ ଲେଖିଛନ୍ତି, କିଭଳି ସାଧାରଣ ପଦବୀରେ କାର୍ଯ୍ୟରତ ଜଣେ ଭାରତୀୟ ସରକାରୀ ବାବୁ ଏକ ଜୁଗାଡ଼ ଦ୍ଵାରା ଫେସ୍ବୁକ୍ର ସିଇଓ ମାର୍କ ଜୁକରବର୍ଗ ଏବଂ ତାଙ୍କ ଟିମ୍ର ସର୍ବାଧିକ ବେତନପ୍ରାପ୍ତ ଇଞ୍ଜିନିୟରମାନଙ୍କୁ ସହଜରେ ମାତ୍ ଦେଇଥିଲେ। ଏହି କାରଣରୁ ଫେସବୁକକୁ ଭାରତରେ ନିୟାମକ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି। ସାରାହଙ୍କ ଏହି ସ୍ମୃତି ପ୍ରକାଶନକୁ ରୋକିବା ପାଇଁ ମେଟା ଅନେକ ଥର ଚେଷ୍ଟା କରିଛି। ସାରାହଙ୍କ କହିବା ମୁତାବକ, ମାର୍କ ଜୁକରବର୍ଗ ଏବଂ ତାଙ୍କ ଟିମ୍ ୨୦୧୬ରେ ଭାରତରେ ଏହାର ବିବାଦୀୟ ଫ୍ରି ବେସିକ୍ସ କାର୍ଯ୍ୟକ୍ରମକୁ ବଞ୍ଚାଇବା ପାଇଁ ଆକ୍ରମଣାତ୍ମକ ଉଦ୍ୟମ କରିଥିଲା। ଏଥିପାଇଁ କମ୍ପାନୀ ଏକ ବ୍ୟାପକ ଇମେଲ ଅଭିଯାନ ମଧ୍ୟ ଚଳାଇଥିଲା, କିନ୍ତୁ ଜଣେ ସରକାରୀ ବାବୁଙ୍କ କ୍ଲିକ୍ ଯୋଗୁଁଁ ଫେସବୁକର ଏହି ଅଭିଯାନ ଓଲଟା ପଡ଼ିଯାଇଥିଲା।
ନେଟ୍ ନ୍ୟୁଟ୍ରାଲିଟି:
ଏହି ସ୍ମୃତି ପୁସ୍ତକରେ ଦାବି କରାଯାଇଛି ଯେ, ଯେତେବେଳେ ଭାରତର ଟେଲିକମ୍ ନିୟାମକ ତଥା ଟ୍ରାଇ ଏହା ଉପରେ ଜନ ପରାମର୍ଶ ଖୋଲି ପଚାରିଲା ଯେ, କ’ଣ ଏଭଳି କାର୍ଯ୍ୟକ୍ରମଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ? ଏହା ଉପରେ ଫେସବୁକ୍ ନେଟ୍ ନ୍ୟୁଟ୍ରାଲିଟି ଓ ଫ୍ରି ବେସିକ୍ସ ବିଷୟରେ ଜନସାଧାରଣଙ୍କ ମତକୁ ପ୍ରଭାବିତ କରିବା ପାଇଁ ରାଜନୈତିକ ପ୍ରଭାବ ସହିତ ନିଜ ଇଞ୍ଜିନିୟରମାନଙ୍କ ସମ୍ପୂର୍ଣ୍ଣ ଟିମ୍କୁ ଲଗାଇ ଦେଇଥିଲା। ଏଥିରେ ଦାବି କରାଯାଇଛି ଯେ, ଫେସବୁକ ଏଥିପାଇଁ ଏକ ଚାପ ଅଭିଯାନ ଯୋଜନା କରିଥିଲା।
ଫେସ୍ବୁକ୍ର ତତ୍କାଳୀନ ସିଓଓ ଶେରିଲ ସ୍ୟାଣ୍ଡବର୍ଗଙ୍କ ବିଷୟରେ ଆଲୋଚନା କରି ୱିନ୍-ୱିଲିୟମ୍ସ କହିଛନ୍ତି ଯେ, ସେ ଆମକୁ ଏକ ଇଣ୍ଟରନାଲ ଇ-ମେଲ୍ ପଠାଇଥିଲେ, ଯେଉଁଥିରେ ଲେଖାଥିଲା ଯେ, ‘‘ଆମେ ଭାଗ୍ୟବାନ ଯେ ଏହା ଏପରି ଏକ ସ୍ଥାନରେ ଘଟୁଛି ଯେଉଁଠାରେ ଆମର ବହୁତ ଗଭୀରତା ରହିଛି, ସରକାରରେ ବରିଷ୍ଠ ସମ୍ପର୍କ ମଧ୍ୟ ଅଛି, କିନ୍ତୁ ତଥାପି ଏହା କଷ୍ଟସାଧ୍ୟ ହେବ।’’ ଆମ ପଲିସି ଟିମ୍ ସିଧାସଳଖ ସରକାର ସହ ଜଡ଼ିତ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟାଳୟ ମଧ୍ୟ ସାମିଲ।
ଜୁଗାଡ଼ ଆଗରେ ସବୁ ଫେଲ୍ ମାରିଲେ:
ୱିନ୍-ୱିଲିୟମ୍ସଙ୍କ ପୁସ୍ତକ ମୁତାବକ, ସର୍ବସାଧାରଣ ସ୍ୱୟଂଚାଳିତ ଇ-ମେଲ ମାଧ୍ୟମରେ ଜନସାଧାରଣଙ୍କ ସମର୍ଥନ ଦେଖାଇବା ଫେସବୁକର ରଣନୀତି ଥିଲା। ଜଣେ ସାଧାରଣ ସରକାରୀ ବାବୁଙ୍କ ‘ଜୁଗାଡ଼’ ଦ୍ବାରା ଭାରତୀୟ ୟୁଜରଙ୍କ ଦ୍ଵାରା ଫେସ୍ବୁକ୍ ସମର୍ଥନରେ ଟ୍ରାଇକୁ ପଠାଯାଇଥିବା ୧୬ ମିଲିୟନ୍ ଅର୍ଥାତ୍ ୧.୬ କୋଟି ଇ-ମେଲ୍କୁ ସାମିଲ କରାଯାଇ ପାରିଲା ନାହିଁ। ଟ୍ରାଇର ଜଣେ ଅଧିକାରୀ ଏହି ଇମେଲଗୁଡ଼ିକୁ ଅପ୍ଟ-ଆଉଟ୍ କରିଦେଇଥିଲେ। ଏହାର ଅର୍ଥ ହେଉଛି ଫେସବୁକ୍ ଦ୍ୱାରା ପଠାଯାଇଥିବା ଇମେଲଗୁଡ଼ିକୁ ଟ୍ରାଇ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲା। ଏହି ଅଧିକାରୀଙ୍କ ଗୋଟିଏ କ୍ଲିକ୍ ଫେସବୁକର ବଡ ଅଭିଯାନକୁ ସମ୍ପୂର୍ଣ୍ଣ ବିଫଳ କରିଦେଇଥିଲା। ଏହା ବ୍ୟତୀତ ଏହି ପୁସ୍ତକରେ ମେଟା ବିଷୟରେ ଆହୁରି ଅନେକ ଖୁଲାସା କରାଯାଇଛି। ତେବେ ମେଟା ଏହି ପୁସ୍ତକକୁ “ପୁରୁଣା ଏବଂ ପୂର୍ବରୁ ରିପୋର୍ଟ କରାଯାଇଥିବା” କହି ଖାରଜ କରିଦେଇଛି।
କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, ଖରାପ ପ୍ରଦର୍ଶନ କାରଣରୁ ସାରାହ ୱିନ-ୱିଲିୟମ୍ସଙ୍କୁ ୮ ବର୍ଷ ପୂର୍ବେ କମ୍ପାନୀରୁ ବାହାର କରିଦିଆ ଯାଇଥିଲା। କିନ୍ତୁ, ନେଟ୍ ନ୍ୟୁଟ୍ରାଲିଟି ନିୟମ ଉଲ୍ଲଂଘନ କରିଥିବାରୁ ଫେସବୁକ୍ର ଫ୍ରି ବେସିକ୍ସ ଉପରେ ଶେଷରେ ଭାରତରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହା ଜୁକରବର୍ଗଙ୍କ ବିଶ୍ଵ ବିସ୍ତାର ଅଭିଳାଷ ପାଇଁ ଏକ ବିରଳ ପରାଜୟ ବୋଲି କୁହାଯାଇପାରିବ।