ଆଜିର ବିଶ୍ୱରେ ଉତ୍କଣ୍ଠା, ଅସ୍ଥିରତା ଲାଗି ରହିଛି। ମିତ୍ର ଦେଶମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଛି। ଏଭଳି ସମୟରେ ଭାରତର ବୈଦେଶିକ ନୀତି ଆଦର୍ଶବାଦୀ ନ ହୋଇ ବାସ୍ତବବାଦୀ ଓ ସୁଚିନ୍ତିତ ହେବା ନିହାତି ଆବଶ୍ୟକ। ଏହା କେବଳ ଭାବନା ଉପରେ ଆଧାରିତ ନ ହୋଇ ରଣନୀତିଗତ ଭାବରେ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇବାର କ୍ଷମତା ଉପରେ ପର୍ଯ୍ୟବସିତ ହେବା ଉଚିତ୍। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ବହୁମୁଖୀ ସମ୍ପର୍କ ଆହ୍ୱାନ ଏହି ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ଏହି ପଦ୍ଧତି ବିଶ୍ୱ ବ୍ୟବସ୍ଥାର ବଦଳୁଥିବା ବାସ୍ତବତାକୁ ସ୍ୱୀକାର କରେ ଏବଂ କୌଣସି ଗୋଟିଏ ଶକ୍ତି ସହିତ କଠୋର ଭାବରେ ଯୋଡ଼ି ହୋଇ ରହିବାକୁ ମନାକରେ। କୌଣସି ଏକ ବଡ଼ ଶକ୍ତି ସହିତ ଅନ୍ଧ ଭାବରେ ମିଶିବା ପରିବର୍ତ୍ତେ, ଭାରତ ବିଭିନ୍ନ ସହଭାଗୀମାନଙ୍କ ସହିତ ନିଜ ଇଚ୍ଛା ଅନୁସାରେ ସମ୍ପର୍କ ସ୍ଥାପନ କରି ନିଜର ବିକଳ୍ପଗୁଡ଼ିକୁ ବାଛିବା ଉଚିତ୍।
ଜୟଶଙ୍କରଙ୍କ ଏହି ମତ ଭୂ-ରାଜନୈତିକ ପରିସ୍ଥିତିର ପରିବର୍ତ୍ତନର ପ୍ରତ୍ୟକ୍ଷ ଉତ୍ତର। ପାରମ୍ପରିକ ମେଣ୍ଟଗୁଡ଼ିକ, ଯାହା ଦଶନ୍ଧି ଧରି ଗଢ଼ା ହୋଇଥିଲା, ସେଗୁଡ଼ିକରେ ବର୍ତ୍ତମାନ ଫାଟ ଦେଖାଯାଉଛି। ବିଶ୍ୱର ସବୁଠାରୁ ଦୀର୍ଘସ୍ଥାୟୀ ସମ୍ପର୍କଗୁଡ଼ିକ ଅପରିବର୍ତ୍ତିତ ରହିବ ବୋଲି ଯେଉଁ ଧାରଣା ଥିଲା, ତାହା ଭୁଲ ପ୍ରମାଣିତ ହୋଇଛି। ଏହି କାରଣରୁ ଭାରତକୁ ନିଜର ରଣନୀତିଗତ ନମନୀୟତା ବଜାୟ ରଖିବା ଆବଶ୍ୟକ ଏବଂ କୌଣସି ଗୋଟିଏ ଗୋଷ୍ଠୀରେ ନିଜକୁ ଆବଦ୍ଧ କରି ରଖିବା ଉଚିତ୍ ନୁହେଁ। ବଦଳୁଥିବା ସ୍ୱାର୍ଥ ଏବଂ ବାହ୍ୟ ପରିସ୍ଥିତି ଅନୁଯାୟୀ ସମ୍ପର୍କଗୁଡ଼ିକୁ ପୁନଃ ନିର୍ଦ୍ଧାରଣ କରିବାର ଅଛି। ଭାରତର ଦୀର୍ଘକାଳୀନ ସ୍ୱାର୍ଥ ପାଇଁ କୌଣସି ଏକ ଶକ୍ତି ପ୍ରତି ଅଟଳ ନିଷ୍ଠା ଠାରୁ ଏହା ଅଧିକ ଭଲ ହେବ।
ବହୁମୁଖୀ ସମ୍ପର୍କ କେବଳ ଏକ ଅମୂର୍ତ୍ତ ଆଦର୍ଶ ନୁହେଁ, ବରଂ ଏକ ବାସ୍ତବ ଆବଶ୍ୟକତା। ଭାରତର ବୈଦେଶିକ ନୀତି ବିଭିନ୍ନ ଦେଶ ସହିତ ସହଯୋଗ ପାଇଁ ଖୋଲା ରହିବା ଉଚିତ୍ ତାହା ଆମେରିକା ଏବଂ ଇଣ୍ଡୋ-ପାସିଫିକ୍ରେ ଥିବା ଏହାର ଗଣତାନ୍ତ୍ରିକ ସହଯୋଗୀ ହୁଅନ୍ତୁ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ରୁଷିଆ ଭଳି ଦେଶ ହଉ କିମ୍ବା ଆଫ୍ରିକା ଓ ଲାଟିନ୍ ଆମେରିକାରେ ଉଦୀୟମାନ ଶକ୍ତିଗୁଡ଼ିକ ହୁଅନ୍ତୁ। ଏହି ସମ୍ପର୍କଗୁଡ଼ିକ ସବୁବେଳେ ସ୍ଥାୟୀ ନ ହୋଇ ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ ସାଧାରଣ ସ୍ୱାର୍ଥ ଉପରେ ଆଧାର କରି ବଦଳିପାରେ।
ଏହି ପଦ୍ଧତିରେ ଭାରତର ସଫଳତାର ମୂଳମନ୍ତ୍ର ହେଉଛି ବିଚାର ଏବଂ ବିବେକ। କେତେବେଳେ ଏକ ସମ୍ପର୍କ ଭାରତର ଲକ୍ଷ୍ୟ ସହିତ ମେଳ ଖାଉଛି ଏବଂ କେତେବେଳେ ନୁହେଁ, ତାହା ଚିହ୍ନଟ କରିବା ଅତ୍ୟାବଶ୍ୟକ। ଏହି ନମନୀୟତା ଭାରତକୁ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ଅଧିକ ପ୍ରଭାବଶାଳୀ କରିବ, ତାହା ବିଶ୍ୱ ଶାସନ, ଜଳବାୟୁ ଆଲୋଚନା କିମ୍ବା ସୁରକ୍ଷା ସହଯୋଗ ହେଉ। ଏହା ଛଡ଼ା, ବହୁମୁଖୀ ସମ୍ପର୍କ ନିଶ୍ଚିତ କରେ ଯେ ଭାରତକୁ କୌଣସି ଏକ ଦ୍ୱିପାକ୍ଷିକ ମୁକାବିଲାରେ କାହା ପକ୍ଷ ନେବାକୁ ବାଧ୍ୟ କରାଯିବ ନାହିଁ ଏହା ସବୁବେଳେ ନିଜର ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସ୍ୱାଧୀନ ଭାବରେ କାର୍ଯ୍ୟ କରିପାରିବ। ଜୟଶଙ୍କରଙ୍କ ବହୁମୁଖୀ ସମ୍ପର୍କର ଦୂରଦୃଷ୍ଟି ନିଶ୍ଚିତ କରେ ଯେ ଭାରତ କେବଳ ବିଶ୍ୱସ୍ତରୀୟ ପରିବର୍ତ୍ତନଗୁଡ଼ିକ ଉପରେ ପ୍ରତିକ୍ରିୟାଶୀଳ ନ ହୋଇ, ସକ୍ରିୟ ଭାବରେ ନିଜର ଭବିଷ୍ୟତକୁ ନିଜେ ଗଢ଼ିବ ଏବଂ ଏକ ପ୍ରଭାବଶାଳୀ ବିଶ୍ୱ ଶକ୍ତି ଭାବରେ ନିଜର ସ୍ଥିତିକୁ ସୁରକ୍ଷିତ କରିପାରିବ।



