୧୯୨୬ ମସିହାର ଏକ କଥା। କଳାହାଣ୍ଡିର ମହାରାଜା ଥାଆନ୍ତି ବ୍ରଜମୋହନ ଦେବ। ତାଙ୍କ ଶାସନ ବିରୋଧରେ ଅସନ୍ତୋଷ ପ୍ରକାଶ କରି କେହି ଜଣେ ‘ସମାଜ’ ସଂପାଦକ ଗୋପବନ୍ଧୁ ଦାସଙ୍କ ନିକଟକୁ ଚିଠି ଲେଖିଲେ। ଅଭିଯୋଗ ଥିଲା ଗୁରୁତର। ରାଜୁଡ଼ା ଶାସନର ନିଷ୍ଠୁରତା ଥିଲା ସ୍ବାଭାବିକ ଭାବେ ଏହି ପତ୍ରର ସ୍ବର। ଗୋପବନ୍ଧୁ ଚିଠିକୁ ପଢ଼ିଲେ। ବିଚାରିଲେ ଏହା ପ୍ରକାଶଯୋଗ୍ୟ। ସାଧାରଣ ପ୍ରଜାଙ୍କ ଆପତ୍ତି ଅଭିଯୋଗ ‘ସମାଜ’ରେ ସ୍ଥାନ ପାଇବ ନାହିଁ ତ ଆଉ କ’ଣ ଛପାଯିବ? ହେଲେ ତାଙ୍କ ମନରେ ଦ୍ବନ୍ଦ୍ବ ଥିଲା। ଦ୍ବନ୍ଦ୍ବ ଏଇଥିପାଇଁ ଯେ ଚିଠି ବା ଅଭିଯୋଗ ପତ୍ରର ସତ୍ୟାସତ୍ୟ କେତେ? ଜାଣିବାର ଅବକାଶ ନ ଥିଲା। ଦାସେ ଆପଣେ ସ୍ଥିରକଲେ କଳାହାଣ୍ଡି ମହାରାଜାଙ୍କୁ ଏ ପତ୍ର ବିଷୟରେ ଅବଗତ କରି ତାଙ୍କର ମତାମତ ସଂଗ୍ରହ କରିବେ। ତା’ ପରେ ଉଭୟ ପକ୍ଷର ମତାମତ ଆଧାରରେ ଖବର ‘ସମାଜ’ରେ ବାହାରିବ। ସେ ଚିଠିର ଏକ ନକଲ ରାଜାଙ୍କ ପାଖକୁ ଗୋପବନ୍ଧୁ ପଠାଇଲେ ଏବଂ ସେଥିରୁ ଅଭିଯୋଗକାରୀଙ୍କ ନାମ ବାଦ ଦେଇ ଉତ୍ତର ଅପେକ୍ଷାରେ ରହିଲେ।
ରାଜା ବ୍ରଜମୋହନ ଗୋପବନ୍ଧୁଙ୍କୁ ୧୯୨୬ ଅଗଷ୍ଟ ୨୧ରେ ଏକ ପତ୍ର ଲେଖି ବିଳମ୍ବିତ ଉତ୍ତର ପାଇଁ କ୍ଷମା ମାଗିଲେ। ସେ ଲେଖିଥିଲେ ‘ମୋ ବିରୋଧରେ ମୋର କେହି ଜଣେ ପ୍ରଜା କରିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଆପଣ ଯେଉଁ ନକଲ ଦେଇଛନ୍ତି ତାହା ମୁଁ ପାଇଛି ଏବଂ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ମୁଁ ଭଲ ଭାବେ ଜାଣେ ଯେ ଆପଣଙ୍କ ଭଳି ଜଣେ ସମ୍ମାନାସ୍ପଦ ସାମ୍ବାଦିକ ପ୍ରକୃତ ସତ୍ୟାସତ୍ୟ ଭଲଭାବେ ନ ବୁଝି କୌଣସି ଖବର ପ୍ରକାଶ କରିବେ ନାହିଁ। ମୁଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତରେ ଥିବାରୁ ଉତ୍ତର ଦେବାରେ ବିଳମ୍ବ ହେଲା।’
‘ମୁଁ ସେ ଅଭିଯୋଗ ପତ୍ରଟିକୁ ଧ୍ୟାନପୂର୍ବକ ପଢ଼ିଲି। ଦୁଃଖର ସହିତ ଜଣାଉଛି ଯେ ମୋ ବିରୋଧରେ ଯେଉଁସବୁ ଅଭିଯୋଗ ସେହି ବ୍ୟକ୍ତି ଜଣକ କରିଛନ୍ତି େସ ସବୁ ଭିତ୍ତିହୀନ ଓ କପୋଳକଳ୍ପିତ। ଏଥିରେ ରତିଏ ମାତ୍ର ସତ୍ୟତା ନାହିଁ। କେହି ଖଳ ପ୍ରକୃତିର ଲୋକ ନିଜର ସ୍ବାର୍ଥସାଧନ ପାଇଁ ଏଭଳି ଅସତ୍ୟ ଅଭିଯୋଗମାନ କରିଛି। ଏହି ପରିପ୍ରେକ୍ଷୀରେ ମୁଁ ସୂଚାଇବାକୁ ଚାହେଁ ଯେ ମୋ ରାଜ୍ୟର ଶାସନ ମୁଁ ଦକ୍ଷତାର ସହିତ ଚଳାଇଛି ଏବଂ ଏଥିରେ କୌଣସି ବ୍ୟତିକ୍ରମ ନାହିଁ। ଆପଣ ଜାଣିଛନ୍ତି, ମୁଁ ମୋ ରାଜ୍ୟରୁ ବେଠି ବେଗାରି ବ୍ୟବସ୍ଥାର ଅବସାନ ଘଟାଇଛି। ମୁଁ ମଧ୍ୟ ଶାସକ ଭାବେ ମୋ ପ୍ରଜାଙ୍କଠାରୁ ରସଦ ଓ ଭେଟି ଆଦି ଗ୍ରହଣ କରେନାହିଁ। ମୋ ଗଡ଼ରେ ମୁଁ ଏକ ହାଇସ୍କୁଲ ସ୍ଥାପନ କରି ପିଲାଙ୍କ ପାଠପଢ଼ାର ବ୍ୟବସ୍ଥା କରିଛି। ଆହୁରି ମଧ୍ୟ ମୋ ରାଜ୍ୟରେ ମୁଁ ପ୍ରାଥମିକ ଶିକ୍ଷାକୁ ମୁକ୍ତ ଓ ବାଧ୍ୟତାମୂଳକ କରିଛି। ଏ କଥା ମଧ୍ୟ ଆପଣ ନିଜେ ଲେଖିଥିବା ଚିଠିରେ ସୂଚାଇଛନ୍ତି। ମୁଁ ମୋ ଲୋକଙ୍କ ପାଇଁ କ’ଣ ସବୁ କରିଛି ତାହାର ଏକ ଦୀର୍ଘ ବିବରଣୀ ଆପଣଙ୍କୁ ଦେବାକୁ ଆଗ୍ରହୀ ନୁହେଁ। ମୋ କାମରେ ମୋ ରାଜ୍ୟର ଲୋକେ ସନ୍ତୁଷ୍ଟ ଥିବା କଥା ମୁଁ ଜାଣିଛି ଏବଂ ତାହା ମୋତେ ସର୍ବୋଚ୍ଚ ଆତ୍ମସନ୍ତୋଷ ଦେଉଛି। ତେବେ ଏହା ସତ୍ତ୍ବେ କେହି ଯଦି ନିଜର ସ୍ବାର୍ଥ ପାଇଁ ମୋତେ ସମାଲୋଚନା କରି ଏତେ ତଳକୁ ଖସିଯିବ ସେଥିରେ ମୋର କିଛି ଆପତ୍ତି ନାହିଁ। ସବୁ ଯୁଗରେ, ସବୁ ଶାସନ ବ୍ୟବସ୍ଥାରେ ଏଭଳି ଲୋକ ଥାଆନ୍ତି। ଏଥିରେ ବିବ୍ରତ ହେବାର କିଛି ନାହିଁ। ମୋର ବିବେକ ଯେତେବେଳେ ସ୍ପଷ୍ଟ ସେତେବେଳେ ମୋ ବିରୋଧରେ ଏଭଳି କୁତ୍ସାରଟନାକୁ ମୋର ଖାତିର ନାହିଁ। ମୁଁ ଲୋକଙ୍କ ପାଇଁ ନିଷ୍ଠାର ସହ କାମ କରୁଛି ଏବଂ ସେଥିରେ ହୁଏତ କେଉଁଠି କିଛି ବ୍ୟତିକ୍ରମ ଥାଇପାରେ। ତାହାର ଅର୍ଥ ନୁହେଁ ମୁଁ ଲୋକକଲ୍ୟାଣ କାମ କରୁନାହିଁ।’’
‘‘ଆପଣ ଲେଖିଥିବା ଚିଠିରେ ଯେଉଁ ଭାବ ଓ ବିଚାର ବ୍ୟକ୍ତ କରିଛନ୍ତି ତାହାକୁ ମୁଁ ସ୍ବାଗତ କରୁଛି। ଆପଣଙ୍କ ଶୁଭେଚ୍ଛା ପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି। ମୁଁ ସର୍ବଦା ମୁକ୍ତ ସମାଲୋଚନାକୁ ସ୍ବାଗତ କରେ। ସେହି ସମାଲୋଚନା ଯଦି ଶାଳୀନ ଓ ସଂସ୍କାରଧର୍ମୀ ହୋଇଥାଏ ତାହା ସର୍ବଦା ସ୍ବାଗତଯୋଗ୍ୟ। ତେବେ କାହାର ଚରିତ୍ର ସଂହାର କରିବାଭଳି ସମାଲୋଚନାକୁ ମୁଁ ସର୍ବଦା ଘୃଣାକରେ। ମୋ ମତରେ ସମାଜ ଓ ମାନବଜଗତର ଭଲ ପାଇଁ ଏଭଳି କୁତ୍ସା ଓ ଚୁଗୁଲି ଉପରୁ ପରଦା ହଟାଯିବା ଉଚିତ। ସେଭଳି ଲୋକଙ୍କ ମୁଖା ଖୋଲାଯିବା ଦରକାର। ସେହି ଅଭିଯୋଗର ମୂଳ ଲେଖାଟି ଯଦି ଆପଣ ମୋତେ ପଠାନ୍ତେ ମୁଁ କୃତଜ୍ଞ ହୁଅନ୍ତି। ତାହା ପଢ଼ିସାରି ମୁଁ ତାହାକୁ ଆପଣଙ୍କୁ ଫେରାଇ ଦେବି। ସେ ପତ୍ର ପଢ଼ିବାର ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଏଥିରୁ ମୋ ବିରୋଧରେ ହୋଇଥିବା ଅଭିଯୋଗ ଓ ତାହାର ପୃଷ୍ଠଭୂମି ଏବଂ ଏହା ପଛରେ ଥିବା ଚରିତ୍ରଙ୍କ ସମ୍ପର୍କରେ ଜାଣିବା ଏବଂ ଆପଣଙ୍କୁ ଠିକ୍ ତଥ୍ୟ ଦେବାରେ ସମର୍ଥ ହୁଅନ୍ତି। ସେଥିରୁ ଆପଣ ଅଭିଯୋଗର ସତ୍ୟାସତ୍ୟ ଜାଣିପାରନ୍ତେ। ଏସବୁ ପତ୍ରାଳାପକୁ ମୁଁ ଗୁପ୍ତ ରଖିବି।’‘ଆଶା ଆପଣ କୁଶଳରେ ଥିବେ।’
ସମ୍ମାନର ସହ
ରାଜା ବ୍ରଜମୋହନ ଦେବ, ଭବାନୀପାଟଣା, କଳାହାଣ୍ଡି।
x x x
ଏହା ପରେ କ’ଣ ହେଲା ତାହାର ରେକର୍ଡ ବା ତଥ୍ୟ ପ୍ରମାଣ ନାହିଁ। ଏହି ଘଟଣା ବେଳକୁ ଗୋପବନ୍ଧୁ ‘ଉତ୍କଳମଣି’ ହୋଇ ସାରିଥାନ୍ତି; କିନ୍ତୁ ତାଙ୍କ ଖବରକାଗଜ ଦୈନିକ ହୋଇନଥାଏ। ତେବେ ଏହି ଘଟଣାରୁ ଗୋପବନ୍ଧୁଙ୍କ ଦାୟିତ୍ବପୂର୍ଣ୍ଣ, ଉତ୍ତରଦାୟୀ, ସ୍ପଷ୍ଟ ଓ ବିବେକବାନ୍ ସାମ୍ବାଦିକତାର ସୂଚନା ମିଳେ। ଏକ ପରାଧୀନ ଦେଶେର ଏକ ସାପ୍ତାହିକ ସମ୍ବାଦପତ୍ରର ସଂପାଦକଙ୍କ ଗୋଟିଏ ଚିଠିର ଉତ୍ତର ଏକ ଗଡ଼ଜାତର ଜଣେ ପ୍ରବଳ ପ୍ରତାପୀ ମହାରାଜା ଦେବା ଘଟଣାରୁ ଅନେକ କିଛି ଇଙ୍ଗିତ ମିଳେ। (ତଥ୍ୟ ସୂଚୀ- ଦାସେ ଆପଣେଙ୍କ ଚିଠିପତ୍ର)
ଗୋପବନ୍ଧୁ ଭବନ, କଟକ



