ଶ୍ରୀରାମ ନବମୀ ମହୋତ୍ସବ, ୧୮ରେ ନଗର ପରିକ୍ରମା ଓ ସଙ୍କୀର୍ତ୍ତନ ମହୋତ୍ସବ

କେନ୍ଦୁଝରଗଡ଼: ରଘୁନାଥଜୀଉ ମନ୍ଦିର ମାଇନିଂରୋଡ ପକ୍ଷରୁ ମଙ୍ଗଳବାରରୁ ୫୪ତମ ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ୯ଦିନବ୍ୟାପୀ ପବିତ୍ର ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ନିମନ୍ତେ ଆୟୋଜନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ମଙ୍ଗଳବାର ସନ୍ଧ୍ୟା ୭ଘଟିକାରେ ପ୍ରଦୀପ ପ୍ରଜ୍ୱଳନ ପରେ ଯାଜପୁର ଜିଲା ଜାରକାରୁ ଆସିଥିବା ପ୍ରବଚକ ବିଭୁତିଭୂଷଣ ପାଲ ଶିବ ପାର୍ବତୀ ବିବାହ ଉତ୍ସବ ପ୍ରସଙ୍ଗରେ ଶ୍ରଦ୍ଧାଳୁଙ୍କୁ ପ୍ରବଚନ ଶୁଣାଇବେ। ପ୍ରବଚକ ଶ୍ରୀ ପାଲ ୧୦ ତାରିଖରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଓ ବାଲ୍ୟଲୀଳା, ୧୧ ତାରିଖ ସୀତାରାମ ବିବାହ ଓ ପର୍ଶୁରାମ ଭେଟ, ୧୨ତାରିଖରେ ଶ୍ରୀରାମଙ୍କ ବନଗମନ ଓ କୈବର୍ତ୍ତ ପ୍ରସଙ୍ଗ ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ପ୍ରବଚନ ଶୁଣାଇବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି।

କଟକ ଖ୍ରୀଷ୍ଟ ମହାବିଦ୍ୟାଳୟର ଅଧ୍ୟାପକ ଡ. ଶାରଦା ପ୍ରସନ୍ନ କର ୧୩ ତାରିଖରେ ଭରତ ମିଳନ , ୧୪ ତାରିଖରେ ସୀତା ହରଣ ଓ ଜଟାୟୁ ପ୍ରସଙ୍ଗ, ୧୫ ତାରିଖରେ ଶ୍ରୀ ହନୁମାନ ଭେଟ ଓ ବାଳିବଧ ଓ ୧୬ ତାରିଖ ମେଘନାଦ ବଧ ଓ ରାବଣ ବଧ ସମ୍ପର୍କିିତ ପ୍ରବଚନ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ବେଳେ ୧୭ ତାରିଖ ସନ୍ଧ୍ୟା ୭ଟା ୩୦ମି.ରେ ଜଗତସିଂହପୁରର ପ୍ରବଚକ ସମ୍ବିତ କୁମାର ମିଶ୍ର ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ପ୍ରସଙ୍ଗରେ ପ୍ରବଚନ ଦେବେ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ଅପ୍ରେଲ ୯ରୁ ରୁ ୧୭ ତାରିଖ ପ୍ରତ୍ୟହ ସକାଳ ୭ଘଟିକାରୁ ଷୋଡଶ ଉପଚାର ପୂଜା, ସୂର୍ଯ୍ୟ ପୂଜା ଓ ଗୋ-ମାତା ପୂଜା ଏବଂ ପ୍ରତ୍ୟହ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ପାଠ କାର୍ଯ୍ୟକ୍ରମ ରହିଛି। ଅପ୍ରେଲ ୧୮ତାରିଖ ଅପରାହ୍ନ ୪ଟାରୁ ପ୍ରଭୁ ଶ୍ରୀରାମଙ୍କ ନଗର ପରିକ୍ରମା ଓ ସଙ୍କୀର୍ତ୍ତନ ମହୋତ୍ସବ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି। ପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ତନ, ମନ, ଧନ ଅର୍ପଣ ପୂର୍ବକ ପ୍ରଭୁ ଶ୍ରୀରାମଙ୍କ କୃପା ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ଉପସ୍ଥିତି କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed.