ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧ ଜିଲାର ଦଣ୍ଡଯାତ୍ରା

ବୌଦ୍ଧ: ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରା। ବୌଦ୍ଧ ଜିଲାର ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ବଜାଇ ରଖିଛି। ଏହି ଦଣ୍ଡଯାତ୍ରା ବୌଦ୍ଧ ଜିଲାରେ କେଉଁ ଆବାହନ କାଳରୁ ଆରମ୍ଭ ହୋଇଛି କହିବା କଷ୍ଟ କର। ଏହି ଦଣ୍ଡଯାତ୍ରା ଚୈତ୍ରମାସରେ ହୋଇଥାଏ। ଏହି ଦଣ୍ଡଯାତ୍ରାରେ ଶିବ ଓ ଶକ୍ତିଙ୍କ ଆରାଧନା ଓ ପ୍ରଭୂକୃପା ଲାଭ କରିବା। ବୌଦ୍ଧଜିଲ୍ଲାରେ ମହା ବିଷୁବ ସଂକ୍ରାନ୍ତି ବା ପାଣା ସଂକ୍ରାନ୍ତିର ୨୧ ଦିନ, ୧୬ ଦିନ ଓ ୧୩ ଦିନ ପୂର୍ବରୁ ଯାତ୍ରା ଆରମ୍ଭ ହୋଇଥାଏ। ଯାତ୍ରା ଆରମ୍ଭ ଦିନ ସମାଜର ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକ ହୋଇ ଶିବ ଶାକ୍ତ ପୀଠରୁ ଅତ୍ୟନ୍ତ କାଷ୍ଠାରେ ରହି ହାତରେ ବ୍ରତ ଓ କାନ୍ଧରେ ପଇତା ଧାରଣ କରି ଗୋଟିଏ ପରିବାରର ସଦସ୍ୟ ଭଳି ଏକାକାର ହୋଇଯାନ୍ତି।

ଅତ୍ୟନ୍ତ ନିଷ୍ଠା ଓ କାଷ୍ଠାର ସହ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଶିବ ଶିବାଙ୍କୁ ଆରାଧନା କରି ଥାନ୍ତି। ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ପ୍ରଚଣ୍ଡ ଖରା ଓ ଝାଂଜି ପବନରେ ଛତର, ବାନା, ବୈରଖ ଧରି ଗ୍ରାମକୁ ଗ୍ରାମ ବୁଲିବା ସହ ମନ୍ଦିର ବେଢା କିମ୍ବା ଗଛମୂଳେ ଯେଉଁଠି ସ୍ଥାନ ମିଳିଲା ସେଠାରେ ରହି ଦିନସାରା କେବଳ ପଣାପାଣି ଗ୍ରହଣ କରିଥାନ୍ତି ଏବଂ ରାତ୍ରିରେ ଅନ୍ନଭୋଗ ଗ୍ରହଣ କରିଥାନ୍ତି। ଯେଉଁ ଶ୍ରଦ୍ଧାଳୁ ଭକ୍ତ କିମ୍ବା ଗ୍ରାମବାସୀ ଶିବଶିବାଙ୍କ ପୂଜା କରିବାକୁ ଚାହିଁଥାନ୍ତି ଦଣ୍ଡୁଆମାନେ ବାଜା ବଜାଇ ଠାକୁରଙ୍କୁ ଧରି ସକାଳ ସମୟରେ ଯାଉଥିବା ବେଳେ ସେମାନଙ୍କ ଆଗରେ ପୂଣ୍ଣକୁମ୍ଭ ଥୋଇ କିମ୍ବା ପାଣି ଧାର ପକାଇ ପୁଜା କରିଥାନ୍ତି। ସେହିଦିନ ଠାକୁର ସେଠାରେ ପୂଜା ପାଇଥାନ୍ତି।

ସକାଳ ପୂଜା ସରିବା ପରେ ଅପରାହ୍ନରେ ପ୍ରଚଣ୍ଡ ଖରାରେ ଧୂଳିଦଣ୍ଡ କରାଯାଇଥାଏ। ଡହ ଡହ ଖରାରେ ଗ୍ରାମଦାଣ୍ଡରେ ଶୋଇ, ଗଢି,ନାଚି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଧର୍ମଭାବନା ଜାଗ୍ରତ କରିବା ସହ ନିଜର ଏକାଗ୍ରତା ଭାବକୁ ମଧ୍ୟ ସିଦ୍ଧି କରିଥାନ୍ତି। ଧୂଳିଦଣ୍ଡ ମୁଖ୍ୟତଃ ସାମାଜିକ ନିଛକ ଗ୍ରାମୀଣ ଚଲଣି, କୃଷି ଭିତିକ ଓ ହାସ୍ୟ ବା ମନରଂଜନ ଧର୍ମୀ ଉପରେ ଆଧାରିତ ହୋଇଥାଏ। ସନ୍ଧ୍ୟାରେ ନଦୀ ହେଉ ବା ପୋଖରୀ କୂଳରେ ଦିଅଁଙ୍କୁ ପୂଜା କରାଯାଇଥାଏ। ଏହାକୁ ପାଣିଦଣ୍ଡ ବୋଲି କୁହାଯାଏ। ଠିକ ମଧ୍ୟରାତ୍ରୀରେ ଦଣ୍ଡୁଆମାନେ ଏକତ୍ରିତ ହୋଇ ଗୀତନାଚ କରି ଗ୍ରାମ ମଧ୍ୟକୁ ପ୍ରବେଷ କରିଥାନ୍ତି। ନିଶାରାତ୍ରିରେ ଦେବୀ ମହାକାଳୀଙ୍କୁ ପୂଜାଅର୍ଚ୍ଚନା କରିବା ପରେ ସୁଆଙ୍ଗ ପରିବେଷଣ କରାଯାଇଥାଏ। ବୌଦ୍ଧଜିଲ୍ଲାରେ ଆଜିବି ଷୋଳ ସୁଆଙ୍ଗ କରାଯାଇଥାଏ।

ଝୁଣାଖେଳ, ଘାସି ଘାସିଆଣି, ପରଭା, ଶିବ ପାର୍ବତୀ, ଯୋଗୀଯୋଗୀଆଣି, ଚଢେୟା ଚଢେୟାଣି, କେଳା କେଳୁଣି,ସାପୁଆ, ବାଇଧନ, ଶବର ଶବରାଣୀ, ପତର ସଉରା, ବୀଣାକାର ଆଦି ମୁଖ୍ୟ। ଏହା ବ୍ୟତୀତ ହାସ୍ୟରସାତ୍ମକ ସୁଆଙ୍ଗ ଦିଅର ଭାଉଜ, ଶାଳୀ ଭେଣେଇ,ଅଜାନାତୁଣୀ ଆଦି ସ୍ଥାନ ବିଶେଷରେ ପରିବେଷଣ କରାଯାଇଥାଏ। ଏହି ସୁଆଙ୍ଗ ଗୁଡିକ ସାମାଜିକ ଚଳଣୀ, କର୍ତ୍ତବ୍ୟନିଷ୍ଠା,ନୀତିଶିକ୍ଷା, ସାମାଜିକ ସଂପର୍କ ବୋଧ ଉପରେ ଶିକ୍ଷାଦେଇଥାଏ। ମହାବିଷୁବ ସଂକ୍ରାନ୍ତି ଦିନ ଦଣ୍ଡୁଆମାନେ ଠାକୁରଙ୍କୁ ଧରି ଗ୍ରାମକୁ ପ୍ରବେଶ କରିଥାନ୍ତି। ମେରୁ ପଡିଆରେ ମେରୁଯାତ୍ରା କରାଯିବ ସହ ଠାକୁରଙ୍କ ବିଭିନ୍ନ ପୂଜା ଅର୍ଚ୍ଚନା କରାଯାଇଥାଏ।

ମଣିଷ ଯେତେବି ଆଧୁନିକ ସଭ୍ୟତା ଓ ଚାକଚକ୍ୟ ମଧ୍ୟରେ ଯେତେବି ଆଗେଇ ଯାଉଥାଉନା କାହିଁକି ଆଜିବି ତାର ପରମ୍ପରା ଓ ସଂସ୍କୃତିକୁ ବଜାଇ ରଖିଛି। ବୌଦ୍ଧଜିଲ୍ଲାର ତିନି ବ୍ଲକର ବିଭିନ୍ନ ଗ୍ରାମ ଓ ସଦର ମହକୁମାରେ ଏହି ଦଣ୍ଡ ଉଠିଥାଏ। ବୌଦ୍ଧଜିଲାରେ ଏହି ଦଣ୍ଡଯାତ୍ରା ଆଜିବି ବୌଦ୍ଧ ଅଂଚଳର ଲୋକକଳା, ଲୋକନୃତ୍ୟ, ଲୋକଗୀତ ପ୍ରଚୀନ ଲୋକ ସଂସ୍କୃତିର ସୂର୍ଣ୍ଣଭ ସ୍ୱାକ୍ଷର ବହନ କରିଆସୁଛି। ସରକାର ଲୋକନୃତ୍ୟ, ଲୋକଗୀତକୁ ଉଦ୍ଦଜିବିତ କରାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଲୋକମହୋତ୍ସବ କରାଇ ପ୍ରାଚୀନ ସଂସ୍କୃତି, ଲୋକକଳା, ନୃତ୍ୟଗୀତକୁ ଉଦ୍ଦଜିବିତ କରାଇ ଆସୁଥିବା ବେଲେ ଅତି ପ୍ରଚୀନ ଦଣ୍ଡଯାତ୍ରାରେ ସେ ସବୁଥାଇ ମଧ୍ୟ ସରକାରୀ ପ୍ରୋତ୍ସାହନର।ବାବ ଦେଖିବାକୁ ମିଳୁଛି।

Comments are closed.