ଭୁବନେଶ୍ବର : ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଏବଂ ପରମ୍ପରା କାଳଜୟୀ ହୋଇଥିବାବେଳେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟରେ ଭରପୁର ଆମ ରାଜ୍ୟର ଲୋକକଳା, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ସଂଗୀତ ଓ ଖାଦ୍ୟ ପରମ୍ପରାର ସ୍ବାତନ୍ତ୍ର୍ୟ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତ। ଓଡିଶାକୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରାଇବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରଥମ ଦିନ ‘ଓଡ଼ିଶାର ଶ୍ରେଷ୍ଠ ସୁରକ୍ଷିତ ରହସ୍ୟର ଉନ୍ମୋଚନ’ ପ୍ରସଙ୍ଗ ଉପରେ ଆୟୋଜିତ ଅଧିବେଶନରେ ପ୍ରଭାତୀ ପରିଡା ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନଗୁଡିକ ଉପରେ ଆଲୋକପାତ କରିଛନ୍ତି।
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉପଲକ୍ଷେ ଓଡିଶାକୁ ଦେଶ ଓ ବିଦେଶରୁ ଆସିଥିବା ଅତିଥିମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ, ଫଳରେ ସେମାନେ ଆମର କଳା, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ। ଆମ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷିତ କରିବା ସହିତ ଲୋକକଳା ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ ଇକୋ-ରିଟ୍ରିଟଗୁଡିକର ବହୁଳ ପ୍ରଚାର ଓ ପ୍ରସାର କରିବା ଦିଗରେ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି ଏବଂ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ମହିଳାମାନଙ୍କର ଅଗ୍ରଣୀ ଭୂମିକା ରହିବ ବୋଲି ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ।
ଆଲୋଚନାରେ ଭାରତର ଜି-୨୦ ଶେରପା ଅମିତାଭ କାନ୍ତ, ବିଶିଷ୍ଟ ସେଫ୍ ସଞ୍ଜୀବ କପୁର, ଲଲିତ ସୁରୀ ହସପିଟାଲିଟି ଗ୍ରୁପର ସିଏମଡ଼ି ଜ୍ୟୋସ୍ନା ସୁରୀ, ୱେଡ଼ିଙ୍ଗ ଲାଇନର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଏମଡ଼ି ଚେତନ ବୋହରା, ଓଡ଼ିଶା ପର୍ଯ୍ୟଟନର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ଅଭୟାରଣ୍ୟ, ଅରଣ୍ୟ ସମ୍ପଦ, ବନ୍ୟପ୍ରାଣୀ ସମ୍ପଦ ଓ ଖାଦ୍ୟ ସଂସ୍କୃତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପାରମ୍ପରିକ ଖାଦ୍ୟକୁ ନେଇ ଓଡ଼ିଶାର ବିଶ୍ୱସ୍ତରୀୟ ପରିଚିତି ବାବଦରେ ମଧ୍ୟ ମତବିନିମୟ ହୋଇଥିଲା।
ବେଲଗାଡ଼ିଆ ପ୍ୟାଲେସର ନିର୍ଦ୍ଦେଶକ ଅକ୍ସିତା ଏମ ଭଞ୍ଜଦେଓ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



