ନାବାଳିକା ଦୁଷ୍କର୍ମକାରୀ ବାପାକୁ ୨୦ବର୍ଷ ଓ ପୁଅକୁ ୨୫ବର୍ଷ ଜେଲ

କେନ୍ଦୁଝରଗଡ଼: ଜନୈକା ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅତିରିକ୍ତ ଜିଲାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି ପୋକ୍ସୋ କେନ୍ଦୁଝର ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ବାପାକୁ ୨୦ବର୍ଷ ଓ ପୁଅକୁ ୨୫ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ୨୬ ଅକ୍ଟୋବର ୨୦୨୧ରେ ବାଂଶପାଳ ବଜାରକୁ ସଉଦା ପାଇଁ ଯାଇଥିବା ଜଣେ ୧୫ବର୍ଷର ନାବାଳିକା ସଉଦା କିଣି ଘରକୁ ଫେରୁଥିବା ବେଳେ ସଦର ଥାନା ଅଧିନ ବିଜାଗୋଠ ଗ୍ରାମର ବୁବୁନ ସେଠୀ (୨୨) ତା’ର କେତେକ ସାଙ୍ଗ ସହ ଏକ ବୋଲେରୋ ଯୋଗେ ସମ୍ପୃକ୍ତା ନାବାଳିକା ଜଣକୁ ରାସ୍ତାରୁ ଜୋରଜବରଦସ୍ତ ଉଠାଇନେଇ ବିଲେଇପଦାକୁ ପଳାଇଥିଲେ। ସେଠାରେ ଏକ ଟ୍ରକରେ ସମ୍ପୃକ୍ତ ନାବାଳିକାକୁ ବୁବୁନ ମଦ ପିଆଇ ଚେତାଶୂନ୍ୟ କରିବା ପରେ ଦୁଷ୍କର୍ମ କରିଥିଲା। ରିମୁଳି ନିକଟରେ ନାବାଳିକାର ଚେତା ଫେରିବା ପରେ ଟ୍ରକରେ ଥିବାଦେଖି ଚିତ୍କାର କରିବାରୁ ସେଠରେ ଉପସ୍ଥିତ ଥିବା କେତେକ କିନ୍ନର ନାବାଳିକାର ଚିତ୍କାର ଶୁଣି ସ୍ଥାନୀୟ ରିମୁଳି ଫାଣ୍ଡିରେ ଜଣାଇଥିଲେ।

ଖବରପାଇ ରିମୁଳି ଫାଣ୍ଡି ପୁଲିସ ଉକ୍ତ ଟ୍ରକକୁ ପିଛାକରି ନାବାଳିକାଜଣକୁ ଉଦ୍ଧାର କରିବା ସହ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତହିଁ ପରଦିନ ଝିଅ ସମ୍ପର୍କରେ ଖବରପାଇ ରିମୁଳି ଫାଣ୍ଡିରୁ ପରିବାର ଲୋକେ ସଙ୍ଗରେ ନେଇ ଘରକୁ ଆସିଥିଲେ। ୨୮ ଅକ୍ଟୋବର ୨୦୧୬ରେ ବୁବୁନର ମା’, ଭଉଣୀ ଓ ଭିଣୋଇ ଦୁଷ୍କର୍ମର ଶୀକାର ସମ୍ପୃକ୍ତ ନାବାଳିକା ଘରେ ପହଞ୍ଚି ବୁବୁନ ସହ ବିବାହ କରିବା କଥା କହି ବାଂଶପାଳସ୍ଥିତ ବୁବୁନର ବଡବାପା ଘରକୁ ଆଣି ଛାଡି ଦେଇଥିଲେ।

ସେଠାରେ ବୁବୁନ ପୁଣିଥରେ ନାବାଳିକାଜଣକୁ ସପ୍ତାହେବ୍ୟାପୀ ଦୁଷ୍କର୍ମ କରିବା ପରେ ଶର୍ଗିଗଡକୁ ୪ମାସ ଧରି ସ୍ଥାନାନ୍ତର କରି ସେଠାରେ ମଧ୍ୟ ଶାରିରୀକ ସମ୍ପର୍କ ସ୍ଥାପନ କରି ଆସୁଥିଲା। ଏହାପରେ ପୀଡିତା ନାବାଳିକାକୁ ବୁବୁନ ସୁନ୍ଦରଗଡ ଜିଲା ନଗରିଆସ୍ଥିତ ତା’ର ମାଉସୀ ଘରକୁ ପଠାଇ ଦେଇଥିଲା। ବୁବୁନର ବାପା ନଗରିଆରୁ ନାବାଳିକାଜଣକୁ ବାଂଶପାଳକୁ ସଙ୍ଗରେ ଆଣି ପୁଣିଥରେ ନଗରିଆ ଫେରିବା ବାଟରେ ରାକମଘାଟି ନିକଟରେ ଦୁଷ୍କର୍ମ କରିବା ପରେ ନଗରିଆରେ ଛାଡି ଦେଇଥିଲା।

ଘଟଣା ସମ୍ପର୍କରେ ବିଶ୍ରା ଚାଇଲ୍ଡଲାଇନ ଖବରପାଇ ପୀଡିତା ନାବାଳିକାଜଣକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଝିଅ ଦୁଷ୍କର୍ମକାରୀ ବାପା ଓ ପୁଅଙ୍କ ବିରୋଧରେ ସଦର ଥାନାରେ ୨୨ ମାର୍ଚ୍ଚ ୨୦୨୨ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ଆରମ୍ଭ କରି ସଦର ଥାନା ପୁଲିସ ଉଭୟ ଅଭିଯୁକ୍ତ ବାପା ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ୧୮ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଜିଲାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି ପୋକ୍ସୋ କେନ୍ଦୁଝରର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତଦ୍ୱୟଙ୍କୁ ଦୋଷୀସାବ୍ୟସ୍ତ କରି ପୁଅ ବୁବୁନ ସେଠୀକୁ ୨୫ବର୍ଷ ଜେଲ ଓ ୩୩ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୩ବର୍ଷ ୩ମାସ ସଶ୍ରମ କାରାଦଣ୍ଡ ଏବଂ ବାପା ଦୋଳଗୋବିନ୍ଦ ସେଠୀକୁ ୨୦ବର୍ଷ ଜେଲ ଓ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାଙ୍କୁ ୬ଲକ୍ଷ ଟଙ୍କା ଆର୍ଥୀକ ସହାୟତା ଯୋଗାଇ ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ପୋକ୍ସୋ ଗଣେପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Comments are closed.