ଶ୍ରମିକଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଏମଏସ ରାଷ୍ଟ୍ରୀୟ ସଭାପତି

କେନ୍ଦୁଝରଗଡ଼: ଭାରତୀୟ ମଜଦୁର ସଂଘର ସପ୍ତଦଶ ତ୍ରୟବାର୍ଷିକ ରାଜ୍ୟ ଅଧିବେଶନ ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇଦିନ ଧରି କେନ୍ଦୁଝରଠାରେ ଅନୁଷ୍ଠିତ ହେବାକୁଥିବା ପରିପ୍ରେକ୍ଷୀରେ ଶୁକ୍ରବାର ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ ସଭାପତି ହିରଣ୍ମୟ ପାଣ୍ଡ୍ୟା ଏଥିରେ ଯୋଗଦେଇ ଶ୍ରମିକମାନଙ୍କ ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ସହ ସମାଜରେ ଶ୍ରମିକ ସ୍ୱାଭିମାନ ସହିତ ମୁଣ୍ଡଟେକି ବଞ୍ଚିବା ପାଇଁ ଭାରତୀୟ ମଜଦୁର ସଂଘ ସର୍ବଦା ତତ୍ପର ବୋଲି କହିଥିଲେ। ଶ୍ରମିକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ବାବଦ ଯାହାକିଛି ମିଳୁଛି ତାହା ଭାରତୀୟ ମଜଦୁର ସଂଘର ନିରବଛିନ୍ନ ଆନ୍ଦୋଳନ ଓ ଜାଗରଣ କାରଣରୁ ସମ୍ଭବ ହୋଇଛି ବୋଲି ଶ୍ରୀ ପାଣ୍ଡ୍ୟା ଥିବା କହିଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ରାଜ୍ୟର ବିକାଶରେ ଯୋଗଦାନ ଅତୁଳନୀୟ ଓ ଅବିଶ୍ୱସନୀୟ ହୋଇଥିବା ବେଳେ ରାଜ୍ୟ ସରକାର ଶ୍ରମିକମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଶ୍ରମିକମାନଙ୍କୁ ପ୍ରତ୍ୟକ ପରିସ୍ଥିତିରେ ଉପେକ୍ଷା କରି ଆସୁଛନ୍ତି ବୋଲି ଶ୍ରୀ ପାଣ୍ଡ୍ୟା ଅଭିଯୋଗ କରିଛନ୍ତି। ରାଜ୍ୟରେ ସରକାର ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ନକରି ପ୍ରତ୍ୟେକକ୍ଷେତ୍ରରେ ଠିକା କର୍ମଚାରୀ ଓ ଯୋଜନା ଶ୍ରମିକ ନିୟୋଜନ କରି ଶ୍ରମିକ ଶୋଷଣ ବୃଦ୍ଧି ସହିତ ଠିକା ସଂସ୍ଥା ମାନଙ୍କୁ କୋଟିପତି କରିବାରେ ପରୋ୪ରେ ସହଯୋଗ କରିଆସୁଛନ୍ତି ବେଲି ଶ୍ରୀ ପାଣ୍ଡ୍ୟା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଯୋଜନା ଶ୍ରମିକ ମାନଙ୍କୁ ବ୍ୟବହାର କରୁଛନ୍ତି ଅଥଚ ବେତନ ଓ ସୁବିଧା କଥା ଉଠିଲେ ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଛନ୍ତି ବୋଲି ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ପୃଥିରାଜ ପଣ୍ଡା ଅଭିଯୋଗ କରିଛନ୍ତି।

prayash

କେନ୍ଦୁଝର ଜିଲାରେ ଅନେକ ଖଣି ଓ ଶିଳ୍ପ କାର୍ଯ୍ୟକ୍ଷମ ସତ୍ତ୍ବେ ପ୍ରକଳ୍ପ ବିସ୍ଥାପିତ ଜମିହରା ପ୍ରଜା ସମସ୍ତ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇ ଆସୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଛନ୍ତି। ଜାଣିଶୁଣି ସ୍ଥାନୀୟ ଉଚ୍ଚଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିରୁ ବଞ୍ଚିତ କରାଯାଉଛି, ଫଳତଃ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ଖଣିଜ ସମ୍ପଦ ଓ ପ୍ରାଚୁର୍ଯ୍ୟରେ ଭରପୁର ଓଡ଼ିଶା ରାଜ୍ୟର ଭିଭିଭୂମି ବିକାଶ ଅଭାବ କାରଣରୁ ନାଗରିକ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ବିଏମ୍‌‌ଏସ୍‌‌ ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ କହିଛନ୍ତି। ଓଡ଼ିଶା ସରକାର ଏକ ପ୍ରକାର ଶ୍ରମିକ ବିରୋଧୀ ପୁଞ୍ଜିପତି ସମର୍ଥକ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରମିକ ଛଟେଇ ଓ ଆଞ୍ଚଳିକ ଲୋକଙ୍କୁ ରୋଜଗାର ପ୍ରଦାନ କ୍ଷେତ୍ରରେ ଶିଳ୍ପପତି ଓ ପୁଞ୍ଜିପତିମାନଙ୍କ ହାତବାରିଶି ସାଜିଛନ୍ତି। ଭାରତୀୟ ମଜଦୁର ସଂଘ ସରକାରଙ୍କ ଏତାଦୃଶ ଶ୍ରମିକ ସମାଜ ବିରୋଧୀ ମନୋଭାବକୁ ଶ୍ରୀ ତ୍ରିପାଠୀ ଦୃଢ଼ ନିନ୍ଦା କରିଛନ୍ତି। ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ଆଗାମୀ ଦିନରେ ଖୁବ୍‌‌ ଶୀଘ୍ର କେନ୍ଦୁଝରରେ ଏକ ବଡ ଧରଣର ଆନ୍ଦୋଳନ ହାତକୁ ନେବାକୁ ସ୍ଥିର କରାଯାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି। ପ୍ରାରମ୍ଭରେ ସଙ୍ଗଠନର ଜିଲା ସଭାପତି ନିହାର ରଞ୍ଜନ ମିଶ୍ର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇଦିନ ଧରି ଅଡିଟୋରିୟମଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ମଜଦୁର ସଂଘର ପୂର୍ବକ୍ଷେତ୍ର ସଙ୍ଗଠନ ସମ୍ପାଦକ ଗିରୀଶ ଚନ୍ଦ୍ର ମହାନ୍ତ, ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀନିବାସ ରାଓ ଓ ଡାକ୍ତର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିିତ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ।

Comments are closed.