ହିନ୍ଦୁ ଧର୍ମର ଆସ୍ଥା ଓ ପରମ୍ପରା ସଂରକ୍ଷଣ ଦାବି କଲା ଉତ୍କଳ ଭାରତ ହିନ୍ଦୁ ପରିଷଦ
କେନ୍ଦୁଝରଗଡ଼: ହିନ୍ଦୁ ଧର୍ମର ବିଶ୍ୱାସ, ଆସ୍ଥା ଓ ପରମ୍ପରା ସଂରକ୍ଷଣ ଦାବିରେ ଉତ୍କଳ ଭାରତ ହିନ୍ଦୁ ପରିଷଦ ପକ୍ଷରୁ ମଙ୍ଗଳବାର କାଳିପଡ଼ିଆରୁ ଏକ ପଦଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନାରାବାଜି କରିଛନ୍ତି। ପରିଷଦର ମୁଖ୍ୟ ସତ୍ୟରଞ୍ଜନ ନାୟକଙ୍କ ନେତୃତ୍ୱରେ ସଙ୍ଗଠନର ବହୁ ହିନ୍ଦୁ ଯୁବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲାରେ ଗୋ ସୁରକ୍ଷା ଆଇନକୁ କଡାକଡି ଭାବେ ଲାଗୁ କରିବା ସହ ଗୋ ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଗୋଚର ଜମିକୁ ବ୍ୟବହାର କରନଯାଇ ଗୋମାତାଙ୍କ ନିମନ୍ତେ ସଂରକ୍ଷିତ ରଖିବା, ଜିଲାର ପ୍ରତି ବ୍ଲକରେ ଗୋ-ଶାଳା ନିର୍ମାଣ, ଓଡ଼ିଆ ହିନ୍ଦୁ ଦେବୋତ୍ତର ଆଇନ ମୁତାବକ ମଠ, ମନ୍ଦିର ଏବଂ ମଠ ମନ୍ଦିରର ସମ୍ପତ୍ତି ଓ ସାଧୁ ସନ୍ଥମାନଙ୍କୁ ସୁରକ୍ଷା ପ୍ରଦାନ ଦାବି କରାଯାଇଛି। ଏଥିସହ ଜିଲାରେ ଧର୍ମାନ୍ତରୀକରଣ ଆଇନକୁ କଡାକଡି ଭାବେ ଲାଗୁ କରିବା, ଜିଲାର ବିଭିନ୍ନ ଅଞ୍ଚଳରେ ବାଂଲାଦେଶୀ ଓ ରେହିଙ୍ଗିୟାଙ୍କ ଅନୁପ୍ରବେଶକୁ ବନ୍ଦ କରିବା ସହ ବେଆଇନ ଭାବେ ସରକାରୀ ଜମିକୁ ଯେଭଳି ଭାବେ ଜବରଦଖଲ କରି ଅନୈତିକ କାର୍ଯ୍ୟରେ ଲିପ୍ତ ରଖୁଛନ୍ତି ସେମାନଙ୍କୁ ଚିହ୍ନଟ କରି ବୀହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅଣହିନ୍ଦୁ ଯୁବକମାନେ ନିଜର ପରିଚୟ ଲୁଚାଇ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଆଳରେ ଲଭ-ଜିହାଦ ଷଡଯନ୍ତ୍ରର ଶୀକାର କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡିତା ଓ ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ନିମନ୍ତେ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଉପରୋକ୍ତ ମର୍ମରେ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।
Comments are closed.