ପୁଞ୍ଜିପତିଙ୍କ ସୁରକ୍ଷା ପାଇଁ ହୋଇପାରୁନି ପଥପାର୍ଶ୍ବରେ ଚାରାରୋପଣ

ଜାତୀୟ ରାଜପଥରୁ କଟିଛି ୭୧୦୪୦ ଗଛ, ମିଳିଛି ୪୫କୋଟି ଟଙ୍କା 

କେନ୍ଦୁଝରଗଡ଼: ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ୨୬୯ କି.ମି. ରାସ୍ତାକୁ ୧୯୯୯ ମସିହାରେ ଜାତୀୟ ରାଜପଥ ୨୧୫ ମାନ୍ୟତାର ୧୨ବର୍ଷ ପରେ ୨୦୧୧ରେ ୪ଲେନ୍‌‌ ପର୍ଯ୍ୟାୟ ବିଶିଷ୍ଟ ନିର୍ମାଣ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣକୁ ହସ୍ତାନ୍ତର ହୋଇଥିଲା। ରାସ୍ତା ନିର୍ମାଣ ଓ ମରାମତି ସୁବିଧା ଦୃଷ୍ଟିରୁ ପରବର୍ତ୍ତି ସମୟରେ ପାଣିକୋଇଲି-ରିମୁଳି ୧୬୩ କି.ମି. ରାସ୍ତାକୁ ୨୦ନଂ ଏବଂ ରିମୁଳି-ରାଜାମୁଣ୍ଡା ୧୦୬ କି.ମି. ରାସ୍ତାକୁ ୫୨୦ନଂ ଜାତୀୟ ରାଜପଥ ଘୋଷଣା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ପାଇଁ କେନ୍ଦୁଝର ଜିଲାର ଯରଦା ଠାରୁ ଗୁଆଲି ପର୍ଯ୍ୟନ୍ତ ୧୮୩କି.ମି. ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ରାଜାରାଜୁଡା ଅମଳର ୭୧୦୪୦ଟି ମୂଲ୍ୟବାନ ଗଛକୁ କଟାଯାଇଥିଲା।

ପାଣିକୋଇଲି-ରିମୁଳି ପ୍ରକଳ୍ପ ପାଇଁ ଅଣଜଙ୍ଗଲ ଜମିରୁ ୧୬୨୪୫ ଏବଂ ଜଙ୍ଗଲ ଜମିରୁ ୩୧୧୮୬ଗଛକୁ ମିଶାଇ ମୋଟ ୪୭୪୩୧ଟି ଗଛକୁ କଟାଯାଇଛି। ସେହିଭଳି ରିମୁଳି-ରାଜାମୁଣ୍ଡା ପକଳ୍ପ ପାଇଁ ଅଣଜଙ୍ଗଲ ଜମିରୁ ୫୭୪୧ ଏବଂ ଜଙ୍ଗଲ ଜମିରୁ ୧୭୮୬୮ ଗଛକୁ ମିଶାଇ ମୋଟ ୨୩୬୦୯ଟି ମୂଲ୍ୟବାନ ଗଛ କଟାଯାଇଛି। ଗଛକଟା, ଚାରାରୋପଣ ଓ ରକ୍ଷଣାବେକ୍ଷଣ ଏବଂ ଜଙ୍ଗଲଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କେନ୍ଦୁଝର ବନଖଣ୍ଡ ବିଭାଗକୁ ମୋଟ ୪୫କୋଟି ୨୮ଲକ୍ଷ ୫୭ହଜାର ୬୦୦ଟଙ୍କା ମିଳିଥିଲେ ହେଁ ଜିଲାର ଯୋଡା ଖଣିକ୍ଷେତ୍ରରୁ ପାରାଦ୍ୱୀପକୁ ପାଇପଯୋଗେ ଲୁହାପଥର ଗୁଣ୍ଡ ପରିବହନ ପାଇଁ ପୁଞ୍ଜିପତିଙ୍କ ସୁରକ୍ଷା ନିମନ୍ତେ ରାସ୍ତା ନିର୍ମାଣ ହୋଇ ଟୋଲ ଟିକସ ଆଦାୟର ୭ବର୍ଷ ପରେ ମଧ୍ୟ ପଥପାଶ୍ୱର୍ ଚାରାରୋପଣ ହୋଇନପାରିବା ବିଭାଗୀୟ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି।

୪ଥାକିଆ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ ଗଛ କାଟିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ପାଣିକୋଇଲି-ରିମୁଳି ରାସ୍ତାରେ ଥିବା ଅଣଜଙ୍ଗଲ ଜମିର ଗଛ କାଟିବା ବାବଦ ଏବଂ ଏଥିନିମନ୍ତେ ୧୦ଗୁଣା ଚାରାରୋପଣ ନିମନ୍ତେ ୫କୋଟି ୯୮ଲକ୍ଷ ୨୭ହଜାର ୩୦୩ଟଙ୍କା କେନ୍ଦୁଝର ବନ ବିଭାଗ କାମ୍ପା ପାଣ୍ଠିରେ ଜମା ମଧ୍ୟ କରାଯାଇଛି। ଅଣଜଙ୍ଗଲ ଜମିରେ ୧୦ଗୁଣା ଚାରାରୋପଣ ପାଇଁ ମିଳିଥିବା ଅର୍ଥ ମଧ୍ୟରୁ ଘଟଗାଁ ରେଞ୍ଜ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ୩୪୦.୫୪ହେକ୍ଟର ଜମିରେ ୧କୋଟି ୯ଲକ୍ଷ ୯୩ହଜାର ଟଙ୍କା ବ୍ୟୟରେ ୧ଲକ୍ଷ ୨ହଜାର ୧୬୨ଟି ଚାରାରୋପଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ଉକ୍ତ ରାସ୍ତାରେ ଥିବା ୧୫୧.୯୪ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ ପାଇଁ ସେହି ସମୟର ବାସ୍ତବିକ ମୂଲ୍ୟ (ଏନ୍‌‌ପିଭି) ବାବଦକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କେନ୍ଦଝର ବନଖଣ୍ଡ ବିଭାଗରେ ୧୩କୋଟି ୮୬ଲକ୍ଷ ୪୯ହଜାର ୪୫୫ଟଙ୍କା ଦାଖଲ ମଧ୍ୟ କରାଯାଇଛି। କ୍ଷତିପୂରଣ ବନୀକରଣ ନିମନ୍ତେ ୧କୋଟି ୫୪ଲକ୍ଷ ୭୫ହଜାର ୫୦୦ଟଙ୍କା ବନ ବିଭାଗକୁ ମିଳିଥିବା ବେଳେ ତେଲକୋଇ ରେଞ୍ଜ ଅର୍ନ୍ତଗତ ବନ୍ଧନଝରି ସଂରକ୍ଷିତ ଜଙ୍ଗଲରେ ୩୦୩.୮୮ହେକ୍ଟର ଜମିରେ ୮୬ଲକ୍ଷ ୧୩ହଜାର ଟଙ୍କା ବ୍ୟୟରେ ୬୦ହଜାର ୭୭୬ଟି ଚାରାରୋପଣ କରାଯାଇଥିବା ବନବିଭାଗ ପକ୍ଷରୁ ଦର୍ଶାଯାଇଛି। ସଠିକ୍‌‌ ପାଶ୍ୱର୍ ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନା (ସାଇଡ୍‌‌ ସ୍ପେସିଫିକ୍‌‌ ୱାଇଲ୍ଡ ଲାଇଫ୍‌‌ କଞ୍ଜରଭେସନ ପ୍ଲାନ) ନିମନ୍ତେ ୨କୋଟି ୬୫ଲକ୍ଷ ୭୨ହଜାର ଟଙ୍କା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟରେ ଜମା ହୋଇଛି।

ରିମୁଳି-ରାଜାମୁଣ୍ଡା ୪ଥାକିଆ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ ଗୁଆଲି ପର୍ଯ୍ୟନ୍ତ କେନ୍ଦୁଝର ବନଖଣ୍ଡ ଅଧିନରେ ଥିବା ୭୭.୭୧୧୫ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ ପାଇଁ ସେହି ସମୟର ବାସ୍ତବିକ ମୂଲ୍ୟ (ଏନ୍‌‌ପିଭି) ବାବଦକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କେନ୍ଦୁଝର ବନଖଣ୍ଡ ବିଭାଗରେ ୧୫କୋଟି ୬୯ଲକ୍ଷ ୯ହଜାର ୯୫୯ଟଙ୍କା ଦାଖଲ ମଧ୍ୟ କରାଯାଇଛି। କ୍ଷତିପୂରଣ ବନୀକରଣ ନିମନ୍ତେ ୫କୋଟି ୩ଲକ୍ଷ ୫୨ହଜାର ଟଙ୍କା ବନ ବିଭାଗକୁ ମିଳିଥିବା ବେଳେ ଅନୁମତି ନଥାଇ ଗଛ କାଟି ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଆଦେଶକ୍ରମେ ପେନାଲ ଏନପିଭି ବାବଦକୁ ୯ଲକ୍ଷ ୮୩ହଜାର ୩୮୩ଟଙ୍କା ଏବଂ ପେନାଲ କଞ୍ଜରଭେସନ ଆଫରେଷ୍ଟେସନ (ପିସିଏ) ବାବଦ ୪୦ଲକ୍ଷ ୮୮ହଜାର ଟଙ୍କା ଜୋରିମାନା ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବନ ବିଭାଗରେ ଦାଖଲ କରାଯାଇଛି।

ରାସ୍ତା ପ୍ରଶସ୍ତିକରଣ ପାଇଁ କଟା ଯାଇଥିବା ଗଛ ବାବଦକୁ ବନ ବଭାଗକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚାରରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ୪୫କୋଟିରୁ ଉଦ୍ଧ୍ୱର୍ ଟଙ୍କା ଯୋଗାଇ ଦିଆଯାଇଥିଲେ ହେଁ ସମୁଦାୟ ପ୍ରକଳ୍ପରେ ଥିବା ପଥପାଶ୍ୱର୍ରେ ଆଜିପର୍ଯ୍ୟନ୍ତ ଗୋଟିଏ ହେଲେ ଚାରାରୋପଣ ହୋଇନପାରିବା ପଥଚାରୀ ଓ ବନ୍ୟପ୍ରାଣୀ ସୁରକ୍ଷା ନେଇ ଉଠିଛି ଅନେକ ପ୍ରଶ୍ନ। ତେବେ ଜିଲାର ଯୋଡା ଖଣିକ୍ଷେତ୍ର ଅଞ୍ଚଳରୁ ପାରାଦ୍ୱୀପକୁ ପାଇପଯୋଗେ ଲୁହାପଥର ଗୁଣ୍ଡ ପରିବହନ ପାଇଁ ଜାତୀୟ ରାଜପଥ ପାଶ୍ୱର୍ରେ ପାଇପ୍‌‌ ବିଛା କାର୍ଯ୍ୟ ଜାରି ରହିଥିବାରୁ ପୁଞ୍ଜିପତିଙ୍କୁ ସୁରକ୍ଷା ଦେବା ଆଳରେ ପାଣିକୋଇଲି-ରାଜାୁଣ୍ଡା ଜାତୀୟ ରାଜପଥ ପଥପାଶ୍ୱର୍ ଚାରାରୋଣ କାର୍ଯ୍ୟ ହୋଇପାରୁନଥିବା ଜନୈକ ବିଭାଗୀୟ ଅଧିକାରୀ ନିଜ ନାମକୁ ଗୋପନ ରଖି ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ, ପାଣିକୋଇଲି-ରିମୁଳି ରାସ୍ତାର ହସନପୁର, ଖଣ୍ଟଘର ଓ ବନାଯୋଡି ଠାରେ ଟୋଲ ସ୍ଥାପନ କରାଯାଇ ୧୭ ଅଗଷ୍ଟ ୨୦୧୭ରୁ ଆଜକୁ ୭ବର୍ଷ ଧରି ଟୋଲ ଟିକସ ଆଦାୟ ଜାରି ରହିଥିବା ବେଳେ ବର୍ଷକ ତଳେ ରିମୁଳି-ରାଜାମୁଣ୍ଡା ରାସ୍ତାର କଣ୍ଡରା ଓ ଜାମୁଡିହି ଠାରେ ମଧ୍ୟ ଟୋଲ ଟିକସ ଆଦାୟ ଜାରି ରହିଛି। କେନ୍ଦୁଝର ଜିଲା ଦେଇ ଯାଇଥିବା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥର କେବଳ କେନ୍ଦୁଝର ଜିଲାର ୧୮୩କି.ମି ରାସ୍ତାର ଉଭୟପାଶ୍ୱର୍ରେ ଥିବା ପଥପାଶ୍ୱର୍ ରାସ୍ତା ଏବଂ ରାସ୍ତା ମଝିରେ ଚାରାରୋପଣ ନିମନ୍ତେ ଓଡିଶା ବନ ଉନ୍ନୟନ ନିଗମ ଲିଃ.କୁ କେନ୍ଦୁଝର ବନଖଣ୍ଡ ବିଭାଗ ପକ୍ଷରୁ ଆଜକୁ ୬ବର୍ଷ ତଳେ ୧ ଫେବୃୟାରୀ ୨୦୧୮ରୁ ଚିଠି କରାଯାଇଥିଲେ ହେଁ ଚାରାରୋପଣ ନେଇ ଅଦ୍ୟାବଧି କୌଣସି ଅଗ୍ରଗତି ହୋଇନଥିବା ଜଣାପଡିଛି।

 

Comments are closed.