ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କୋଭିଡ ପାଇଁ ୨୨ କୋଟି

ଦାଖଲ ହୋଇନି ୧୩.୩୫ କୋଟିର ବିନିଯୋଗ ପ୍ରମାଣପତ୍ର

ସମ୍ବଲପୁର : କୋଭିଡ ସମୟରେ ମଞ୍ଜୁର ହୋଇଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଦେଉନାହାନ୍ତି ସରକାରୀ ଅଧିକାରୀ। ସମ୍ବଲପୁର ଜିଲାରେ ୨୨ କୋଟି ମଞ୍ଜୁର ହୋଇଥିବାବେଳେ ଏଯାବତ୍‌ ୪ ବର୍ଷ ପରେ ବି ୧୩ କୋଟି ଟଙ୍କାର ୟୁସି ବାକି ରହିଛି। ଏନେଇ ଜିଲା ପ୍ରଶାସନ ବାରମ୍ବାର ତାଗିଦ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ।
କରୋନା ମହାମାରୀ ସମୟରେ ଓଡ଼ିଶା ସରକାରଙ୍କ ମେମୋ ସଂଖ୍ୟା ୧୦୦୩୫/ସିଏମଆରଏଫ୍ ତା ୨୪.୦୩.୨୦୨୦ ଜରିଆରେ କୋଭିଡ-୧୯ ମୁକାବିଲା ଓ ପରିଚାଳନା ପାଇଁ ପାଣ୍ଠି ଜିଲା ରେଡକ୍ରସ ସୋସାଇଟି ଜରିଆରେ ଦିଆଯାଇଥିଲା। କୋଭିଡ ମୁକାବିଲା ଓ ପରିଚାଳନା ପାଇଁ ଜିଲା ପ୍ରଶାସନର ନିର୍ଦେଶକ୍ରମେ ରେଡକ୍ରସ ପକ୍ଷରୁ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା। ସମ୍ବଲପୁର ଜିଲାରେ ୨୨,୩୮,୯୧,୪୯୫ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଏଥିରୁ କେବଳ ୯,୦୩,୨୩,୪୪୭ ଟଙ୍କାର ବିନିଯୋଗ ପ୍ରମାଣପତ୍ର ମିଳିଛି। ବଳକା ୧୩,୩୫,୬୮,୦୪୮ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଏଯାବତ୍‌ ମିଳିନଥିବାର ରେଡକ୍ରସ ସୂତ୍ରରୁ ପ୍ରକାଶ। ବାରମ୍ବାର ରିମାଇଣ୍ଡର୍‌ ପତ୍ର ସତ୍ତ୍ବେ ସେମାନେ ଏହା ଜମା କରୁନାହାନ୍ତି। ଏଥିପାଇଁ ଗତ ମାର୍ଚ୍ଚରେ ସମସ୍ତ ଅଧିକାରୀଙ୍କୁ ଜିଲାପାଳ ଆପାତକାଳୀନ ବିଭାଗ ଜରିଆରେ ପତ୍ର ସଂଖ୍ୟା ୬୨୨୦/ଇଏମ୍‌ଜି ତା ୩୦.୦୩.୨୦୨୪ ନେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନଥିବା ଜଣାପଡ଼ିଛି।
ସିଏମଆରଏଫ୍‌ରୁ କୋଭିଡ ପରିଚାଳନା ପାଇଁ ଅଧୀକ୍ଷକ, ଭିମସାର, ବୁର୍ଲାଙ୍କ ନାମରେ ୧୧,୩୬,୫୨,୭୬୯ ଟଙ୍କା ଦିଆଯାଇଥିବାବେଳେ ୮,୮୪,୭୫,୧୮୮ ଟଙ୍କାର ୟୁସି ବାକି ରହିଛି। ସିଡିଏମଆଣ୍ଡପିଏଚ୍‌ଓ, ସମ୍ବଲପୁରଙ୍କ ୯,୧୩,୬୧,୨୩୦ ଟଙ୍କାରୁ ୩,୫୭,୮୧,୭୬୦ ଟଙ୍କାର ୟୁସି ବାକି, ବିଡିଓ ଜମନକିରାଙ୍କ ୧୦ ଲକ୍ଷ ଟଙ୍କାରୁ ୧ ଲକ୍ଷ ଟଙ୍କା ୟୁସି ବାକି, ବିଡିଓ ରେଙ୍ଗାଲିଙ୍କ ୫ ଲକ୍ଷରୁ ଆଦୌ ୟୁସି ଦେଇନାହାନ୍ତି, ଆରଟିଓ ସମ୍ବଲପୁରଙ୍କ ୧,୫୯,୩୭,୧୬୧ ଟଙ୍କାରୁ ୭୨,୭୦,୭୬୫ ଟଙ୍କା ୟୁସି ବାକି, ନିର୍ବାହୀ ଅଧିକାରୀ ଏନଏସି କୁଚିଣ୍ଡାଙ୍କ ୧୪,୩୦,୯୦୦ ଟଙ୍କାରୁ ଆଦୌ ୟୁସି ଦେଇନାହାନ୍ତି ଏବଂ ଓଏଆଇସି ସମ୍ବଲପୁର ୯୪୩୫ ଟଙ୍କାର ଆଦୌ ୟୁସି ଦେଇନଥିବା ସୂଚନା ମିଳିଛି।
ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ଜରୁରୀକାଳୀନ ସ୍ଥିତିରେ ପାଣ୍ଠି ମଞ୍ଜୁର କରୁଛନ୍ତି। କିନ୍ତୁ ଏହି ମଞ୍ଜୁର ଅର୍ଥରାଶି ସମ୍ପୃକ୍ତ ପ୍ରକଳ୍ପ ବା ଯୋଜନା ପାଇଁ ଖର୍ଚ୍ଚ ହେବାପରେ ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କ୍ଷେତ୍ରରେ ଉଦାସୀନତା ପ୍ରକାଶ କରାଯାଉଛି। କେଇବର୍ଷ ତଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିର ସମ୍ବଲପୁର ଜିଲାରେ ପ୍ରାୟ ୫୦ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନଥିବାରୁ ତତ୍‌କାଳୀନ ଅଧ୍ୟକ୍ଷ କ୍ଷୋଭ ପ୍ରକାଶ କରିବାସହ ଅବ୍ୟବହୃତ ରାଶି ଫେରସ୍ତ ସହ ପ୍ରକଳ୍ପ ବାତିଲ କରିବାକୁ ନିର୍ଦେଶ ଦେଇଥିଲେ।
ଜରୁରୀକାଳୀନ ଅଧିକାରୀ ରସନା ଭୋଇଙ୍କ ଅନୁଯାୟୀ କାହିଁକି ବିନିଯୋଗ ପ୍ରମାଣପତ୍ର ଆସିନାହିଁ ଏନେଇ ସେ ବିଭାଗରେ ଅବଗତ ହେବାପରେ ପଦକ୍ଷେପ ବିଷୟରେ ସୂଚନା ଦେଇପାରିବେ। ସିଡିଏମଓ ଡା. ସୁଜାତାରାଣୀ ମିଶ୍ର କହିଛନ୍ତି ଯେ କୋଭିଡ ସମୟରେ ସେ ସମ୍ବଲପୁରରେ ନଥିଲେ। ତେବେ, କାହିଁକି ୟୁସି ଦିଆଯାଇନି ସେନେଇ ପଚାରିବୁଝିବେ ବୋଲି କହିଛନ୍ତି। ଭିମସାର ଅଧୀକ୍ଷକ ଡା. ଲାଲମୋହନ ନାଏକଙ୍କୁ ଯୋଗାଯୋଗ ଫୋନ ଉଠାଇନଥିଲେ।

Comments are closed.