www.samajalive.in
Saturday, December 6, 2025
26.1 C
Bhubaneswar

ଏଥର ଦୁଇ ଦିନ ଗୁଣ୍ଡିଚା, ମିଳିବନି ନବଯୌବନ ଦର୍ଶନ

ପୁରୀ : ଚଳିତ ବର୍ଷ ରଥଯାତ୍ରାରେ ୧୯୭୧ ମସିହା ବ୍ୟବସ୍ଥାର ପୁନରାବୃତ୍ତି ହେବ। ଆଗାମୀ ୭ ତାରିଖରେ ଗୋଟିଏ ଦିନରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା। ଏଥିଯୋଗୁଁ ସେଦିନ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା, ପହଣ୍ଡି ଏବଂ ରଥଟଣା ବିଳମ୍ବ ହେବ। ସେଦିନ ସନ୍ଧ୍ୟା ପୂର୍ବରୁ ତିନିରଥ ଟଣା ହୋଇପାରିବ କି ନାହିଁ ଆଶଙ୍କା ପ୍ରକାଶ ପାଇଛି। ଶ୍ରୀଗୁଣ୍ଡିଚାରେ ଅପରାହ୍ଣ ୫ଟାବେଳେ ରଥଟଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ତେଣୁ ଦୁଇଦିନ ଗୁଣ୍ଡିଚା ଯାତ୍ରା ପାଳନ କରାଯିବ।
ପରମ୍ପରା ଅନୁଯାୟୀ ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣାଯିବ। ଯଦି ସମୟ ମିଳେ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ। ୧୯୭୧ରେ ଏଭଳି ନୀତି ପାଳନ କରାଯାଇଥିଲା। ସନ୍ଧ୍ୟା ପୂର୍ବରୁ ନୀତି ରକ୍ଷା ପାଇଁ କେବଳ ତାଳଧ୍ବଜ ରଥ ଗୋଟିଏ ଥର ଟଣାଯାଇଥିଲା। ପରଦିନ ଅନ୍ୟ ଦୁଇଟି ରଥ ଟଣାଯାଇ ଶରଧାବାଲି ନିଆଯାଇଥିଲା। ପୁରୀରେ ଦୁଇଦିନ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ କରାଯାଇଥିଲା। ଏଥିପାଇଁ ଭକ୍ତଙ୍କ ସଂଖ୍ୟା ଦୁଇରୁ ତିନି ଗୁଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି। ତେଣୁ ପୁରୀ ବଡ଼ଦାଣ୍ଡକୁ ଦୁଇଦିନ ‘ନୋ ଭେହିକିଲ ଜୋନ୍‌’ କରାଯିବ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ଗଳିଗୁଡ଼ିକରେ ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ। ପୁରୀ ବାହାରେ ଗାଡ଼ିଗୁଡ଼ିକର ପାର୍କିଂ ବ୍ୟବସ୍ଥା କରାଯିବ। ଏଥିପାଇଁ ଜୁଲାଇ ୭ ଏବଂ ୮ରେ ସମାନ ସୁରକ୍ଷା ବ୍ୟବସ୍ଥା କରାଯିବ। ପ୍ରାୟ ୧୫୦ ପ୍ଲାଟୁନ ସୁରକ୍ଷା ବଳ ଏବଂ ୨ ହଜାର ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯିବ। ରଥ କର୍ଡନ ଦାୟିତ୍ବରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହେବେ। ଆତଙ୍କବାଦୀ ନିରୋଧ ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳ, ସ୍ବତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ ବିଭିନ୍ନ ସ୍ଥାନରେ ନିୟୋଜିତ ହେବେ। ଜଳ, ସ୍ଥଳ ଏବଂ ଆକାଶ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର ଏବଂ ରଥଗୁଡ଼ିକର ସୁରକ୍ଷା ସମେତ ଦଳାଚକଟା ପରିସ୍ଥିତି ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦୁଇଦିନ ଶ୍ରୀଗୁଣ୍ଡିଚା ପାଳନ କରାଗଲେ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ରଥଯାତ୍ରା ପାଇଁ ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ ସ୍ବତନ୍ତ୍ର ବସ୍ ଚଳାଚଳ କରିବ। ଶ୍ରୀଗୁଣ୍ଡିଚା ଏବଂ ପରଦିନ ସନ୍ଧ୍ୟାରେ ରଥଗୁଡ଼ିକ ବଡ଼ଦାଣ୍ଡର ଯେଉଁଠି ଅଟକିବ ସେଠାରେ ସଙ୍ଗେ ସଙ୍ଗେ ବ୍ୟାରିକେଡ ନିର୍ମାଣ କରାଯିବ। ତେଣୁ ଚଳିତ ବର୍ଷ ରଥଯାତ୍ରା ପରିଚାଳନା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ ହେବ ବୋଲି କୁହାଯାଉଛି। ରଥଯାତ୍ରା ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସେଥିରେ ଅଧ୍ୟକ୍ଷତା କରିଥିଲେ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୈଠକରେ ନୀତି ନିର୍ଘଣ୍ଟ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ନୀତି ସବ୍ କମିଟି ଏବଂ ଛତିଶା ନିଯୋଗ ପ୍ରସ୍ତୁତ କରିଥିବା ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ନୀଳାଦ୍ରି ବିଜେ ନୀତି ନିର୍ଘଣ୍ଟ ଉପରେ ମୋହର ମାରିଛି ପରିଚାଳନା କମିଟି। ଏହାଛଡ଼ା ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁ ରଥ ଉପରେ ବିଜେ କରିଥିବାବେଳେ କୌଣସି ଅଣ ସେବକଙ୍କୁ ଚଢ଼ିବା ପାଇଁ ଅନୁମତି ଦିଆଯିବ ନାହିଁ। ଠାକୁରଙ୍କ ପହଣ୍ଡି ସମୟରେ କୌଣସି ଭକ୍ତ ସ୍ପର୍ଶ କରିପାରିବେ ନାହିଁ। ରଥଟଣା ଏବଂ ସୁନାବେଶ ବେଳେ ଠାକୁରଙ୍କ ସମ୍ମୁଖରେ ଛିଡ଼ା ନହେବାକୁ ସେବକଙ୍କୁ ନିର୍ଦେଶ ଦିଆଯାଇଛି।
ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ପହଣ୍ଡି ଦର୍ଶନ ଟିକଟ ବିକ୍ରି ବନ୍ଦ ରଖାଯିବ। ପରିଚାଳନା କମିଟି ବୈଠକରେ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ନଥିପତ୍ର ଡିଜିଟାଇଜେସନ କରିବାକୁ ସ୍ଥିର କରାଯାଇଛି। ଏଥିପାଇଁ ପୂର୍ବରୁ ନିର୍ଦ୍ଧାରିତ ଅବଧିକୁ କମିଟି ମଙ୍ଗଳବାର ବୃଦ୍ଧି କରିଛି। ତେବେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ନାହିଁ। ଏହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ବିସ୍ମିତ କରିଛି। ଆଗାମୀ ରଥଯାତ୍ରା ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଆବଶ୍ୟକ ମରାମତି କରାଯିବା ସହ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି କରିବାକୁ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଥିଲା। ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ନିମନ୍ତେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ରଥ ଯାତ୍ରା ଆଉ ମାତ୍ର ୧୧ ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ କେବେ ରତ୍ନଭଣ୍ଡାର ଖୋଲାଯିବ ସେଥିନେଇ ଅନିଶ୍ଚିତତା ଦେଖା ଦେଇଛି। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ଅତିରିକ୍ତ ଜିଲାପାଳ କୈଳାସ ଚନ୍ଦ୍ର ନାୟକ, କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର, ଡ. ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଜଗନ୍ନାଥ କର, ଅନନ୍ତ ତିଆଡ଼ି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର, ମହନ୍ତ ରାମକୃଷ୍ଣ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories