କେନ୍ଦ୍ରାପଡ଼ା: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ନିକଟରେ ଗୋପବନ୍ଧୁ ଡିଜିଟାଲ ପାଠାଗାର ଲୋକାର୍ପିତ ହୋଇଛି। ଏହି ଅବସରରେ ପାଠାଗାର ସମ୍ମୁଖରେ ଗୋପବନ୍ଧୁଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ରଥ କହିଲେ, କେନ୍ଦ୍ରାପଡ଼ା ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା; କାରଣ ଏହି ପାଠାଗାରରେ ଥିବା ପୁସ୍ତକ ଉତ୍କଳମଣିଙ୍କ ଚେତନା ଜାଗ୍ରତ କରାଇବା ସହ ସମାଜସେବା ପାଇଁ ବୁଦ୍ଧିଜୀବୀଙ୍କୁ ପ୍ରେରଣା ଯୋଗାଇବ। ଏଠାରେ ଅଧ୍ୟୟନ କରି ଅନେକ ଯୁବକଯୁବତୀ ଦେଶରେ ସୁନାମ ଅର୍ଜନ କରିପାରିବେ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଲେ, ଯେତେବେଳେ କେନ୍ଦ୍ରାପଡ଼ା ଜିଲାରେ ରାସ୍ତାଘାଟ ନଥିଲା ସେତେବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଡଙ୍ଗାରେ ବୁଲି ବନ୍ୟା ଓ ବାତ୍ୟା ବିପନ୍ନଙ୍କ ନିକଟରେ ରିଲିଫ ପହଞ୍ଚାଉଥିଲେ। ଗୋପବନ୍ଧୁଙ୍କ ଦର୍ଶନରୁ ଆଗାମୀ ପିଢିର ଯୁବକଯୁବତୀ ବହୁ ଜ୍ଞାନ ଅର୍ଜନ କରିପାରିବେ। ଜିଲାପାଳ ଅମ୍ରିତ ଋତୁରାଜ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣିତ ହେବା ପାଇଁ କହିଥିଲେ। ଏହି ଅବସରରେ ‘ସମାଜ’ ପକ୍ଷରୁ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଦ୍ବାରା ପ୍ରକାଶିତ ୭୦ଟି ପୁସ୍ତକ ପ୍ରଥମ ଦଫାରେ ପ୍ରଦାନ କରାଯାଇଥିଲା। ଅଧିକ ପୁସ୍ତକ ପାଠାଗାରକୁ ପ୍ରଦାନ କରାଯିବ ବୋଲି ଶ୍ରୀ ରଥ କହିଥିଲେ। ବିଧାୟକ ଆଞ୍ଚଳିକ ପାଣ୍ଠିରୁ ୨୯ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ଏକ ଜୀବନରକ୍ଷାକାରୀ ବ୍ୟବସ୍ଥା ଥିବା(ଭେଣ୍ଟିଲେଟର) ଆମ୍ବୁଲାନ୍ସକୁ ଶ୍ରୀ ରଥ ବିଧାୟକ ଶ୍ରୀ ବେହେରା ଓ ଜିଲାପାଳ ଶ୍ରୀ ଋତୁରାଜଙ୍କ ସହିତ ରୋଗୀସେବା ପାଇଁ ଉତ୍ସର୍ଗ କରିଥିଲେ।
ଭାବଗ୍ରାହୀ କଳାନିକେତନ ପକ୍ଷରୁ ସମ୍ପାଦକ ବିମଳ ପ୍ରସାଦ ପରିଡ଼ାଙ୍କ ସଂଯୋଜନାରେ ସ୍ୱାଗତ ସଂଗୀତ ଓ ‘ମିଶୁ ମୋର ଦେହ ଏଦେଶ ମାଟିରେ’ ସଂଗୀତ ଗାନ କରାଯାଇଥିଲା। ଜାତୀୟସ୍ତରୀୟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ରଥଙ୍କ ଏକ ଚିତ୍ର ଆଙ୍କି ତାଙ୍କୁ ଉପହାର ଦେଇଥିଲେ। କାର୍ଯ୍ୟକ୍ରମରେ ସାହିତ୍ୟିକ ଡଃ. ବାସୁଦେବ ଦାସ, ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା, କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ତୁଳସୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜିତ ରଞ୍ଜନ ସାହୁ, ଇନ୍ଦୁପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଅଭିଜିତ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।



