କେଜରିୱାଲଙ୍କ ଅନଶନକୁ ନାଟକ କହିଲେ ରାହୁଲ

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ତାଙ୍କ ସରକାରର ଅନ୍ୟ ସଦସ୍ୟମାନେ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନରେ ଚଳାଇଥିବା ଅନଶନକୁ ‘ନାଟକ’ (ଡ୍ରାମା) ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କେଜରିୱାଲଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଉନ୍ନୟନ ମନ୍ତ୍ରୀ ଗୋପାଳ ରାୟ ସୋମବାର ଠାରୁ ଉପରାଜ୍ୟପାଳଙ୍କ ଘରେ ଅନଶନ ଚଳାଇଛନ୍ତି। ଦିଲ୍ଲୀର ଆଇଏଏସ୍‍ ଅଫିସରମାନେ ଚଳାଇଥିବା ଧର୍ମଘଟର ଅବସାନ ଘଟାଇବାକୁ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରି ଆମ ଆଦମୀ ପାର୍ଟି (ଆପ୍‍) ଏହି ଅନଶନ ଚଳାଇଛି। ଆପ୍‍ ସହିତ ବିଜେପିର ଅନଶନକୁ ମଧ୍ୟ ରାହୁଲ ନାଟକ ବୋଲି କହିଛନ୍ତି। ବିଜେପି ସାଂସଦ ପ୍ରଭେଶ ସିଂହ ସାହେବ ବର୍ମା, ବିଧାୟକ ବିଜେନ୍ଦ୍ର ଗୁପ୍ତା ଓ ମଜିନ୍ଦର ସିଂହ ଶିର୍ସା ଏବଂ ଆପ୍‍ର ନିଲମ୍ବିତ ବିଧାୟକ କପିଲ ମିଶ୍ର ପ୍ରମୁଖ କେଜରିୱାଲ ସରକାରର ବିଫଳତା ପ୍ରତିବାଦରେ ଜୁନ୍‍ ୧୫ରୁ ଅନଶନ ଚଳାଇଛନ୍ତି। ରାହୁଲ କହିଛନ୍ତି ଆପ୍‍ ଓ ବିଜେପିର ଏହି ନାଟକ ଯୋଗୁଁ ଦିଲ୍ଲୀବାସୀ ନାନା ପ୍ରକାର ହିନସ୍ତା ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦିଲ୍ଲୀବାସୀଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ରାହୁଲ କହିଛନ୍ତି।

kalyan agarbati
Leave A Reply