ଗଣତନ୍ତ୍ରର ବିଜୟ ହୋଇଛି: କେଜରିୱାଲ

0

ନୂଆଦିଲ୍ଲୀ : ଦିଲ୍ଲୀର ନିର୍ବାଚିତ ସରକାରଙ୍କ ପରାମର୍ଶ ଗ୍ରହଣ କରିବାକୁ ଉପରାଜ୍ୟପାଳ ବାଧ୍ୟ ବୋଲି ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହା ଦ୍ୱାରା ବାସ୍ତବରେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ଆପ୍‍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ଏହା ଏକ ଯୁଗାନ୍ତକାରୀ ରାୟ। ଏହି ରାୟ ପରେ ଏଣିକି ସ୍ୱୀକୃତି ନିମନ୍ତେ ଉପରାଜ୍ୟପାଳଙ୍କ ନିକଟକୁ ଆଉ କୌଣସି ସରକାରୀ ଫାଇଲ ପଠାଇବାକୁ ପଡ଼ିବ ନାହିଁ। ଉପରାଜ୍ୟପାଳଙ୍କ ପ୍ରଶ୍ନ ଏବଂ ମନ୍ତବ୍ୟ କାରଣରୁ ସରକାରୀ କାର୍ଯ୍ୟ ଆଉ ବାଧାପ୍ରାପ୍ତ ହେବ ନାହିଁ। ନିର୍ବାଚିତ ସରକାର ନିଜ ଇଚ୍ଛାରେ ଏଣିକି ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି କରିପାରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି। ଅନ୍ୟପଟେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ପ୍ରସଙ୍ଗରେ କେଜରିୱାଲ ଏବଂ ତାଙ୍କ ସରକାରକୁ ଧକ୍କା ଲାଗିଛି। ଦିଲ୍ଲୀ ପୂର୍ବରୁ ସ୍ୱତନ୍ତ୍ର ମାନ୍ୟତା ଲାଭ କରିଛି। ଏହାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ। ଏଣୁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାର ସମନ୍ୱୟ ରକ୍ଷା ପୂର୍ବକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ସତ୍ତ୍ବେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଜାରି ରହିବ ବୋଲି ସିସୋଦିଆ କହିଛନ୍ତି।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ଅରାଜକତାବାଦୀଙ୍କ ପ୍ରତି ଶକ୍ତ ଧକ୍କା ବୋଲି ବିଜେପି କହିଛି। ବିଜେପି ମୁଖପାତ୍ର ସମ୍ବିତ୍‍ ପାତ୍ର କହିଛନ୍ତି, କେଜରିୱାଲ ଆଦୌ ସୌହାର୍ଦ୍ୟପୂର୍ଣ୍ଣ କାର୍ଯ୍ୟ କରିବାକୁ ଉଦ୍ୟମ କରିନାହାନ୍ତି; ବରଂ ସବୁବେଳେ ଧାରଣା ରାଜନୀତି ଏବଂ ଅରାଜକତା କରୁଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏବେ ସେ ଅରାଜକତାର ରାଜନୀତି ଛାଡି ଉତ୍ତମ ପ୍ରଶାସନ ଦିଗରେ ଧ୍ୟାନ ଦେବା ଉଚିତ୍‍। ଜମିଜମା, ପୁଲିସ ଏବଂ ଆଇନଶୃଙ୍ଖଳା ବିଭାଗ ଉପରାଜ୍ୟପାଳଙ୍କ ନିକଟରେ ରହିଥିବା ବେଳେ ଦିଲ୍ଲୀରେ ଆଇନ ପ୍ରଣୟନ କ୍ଷମତା ସଂସଦର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କହିଛନ୍ତି। ଏଣୁ ଅରାଜକତା ଛାଡି ସାମୁହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି।

kalyan agarbati
Leave A Reply