କର୍ଣ୍ଣାଟକ: ରିସୋର୍ଟରେ ପହଞ୍ଚିଲେ ବିଜେପି ନେତା, ରାତିରେ କୋଚି ଯିବେ କଂଗ୍ରେସ ବିଧାୟକ!
ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତି ସାପ ଶିଢିର ଖେଳ ଭଳି ଆଗେଇ ଚାଲିଛି। କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିଥିଲେ ମଧ୍ୟ ବହୁମତ ପାଇଁ ଆବଶ୍ୟକ ସମର୍ଥନ ହାସଲ କରିପାରିନାହିଁ। ବିଜେପି ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ ପାଇଁ ପ୍ରୟାସ ଜାରି ରଖିଛି। ଏପଟେ କଂଗ୍ରେସ ଘୋଡ଼ା ବେପାରକୁ ନେଇ ସତର୍କ ରହିଛି। କଂଗ୍ରେସ ନିଜର ସବୁ ବିଧାୟକଙ୍କୁ ବେଙ୍ଗାଲୁରୁର ଏକ ରିସୋର୍ଟରେ ରଖିଥିବାବେଳେ ଏବେ ସେମାନଙ୍କୁ କେରଳର କୋଚି ନେଇଯିବାକୁ ଯୋଜନା କରିଛି। ଗୁରୁବାର ରାତିରେ କଂଗ୍ରେସ ବିଧାୟକ କୋଚି ଅଭିମୁଖେ ବାହାରିବେ ବୋଲି କୁହାଯାଉଛି। କର୍ଣ୍ଣାଟକରେ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଅଶୋକ ଗେହଲୋଟ୍, ଜେଡିଏସ୍ ନେତା ଏଚ୍ଡି କୁମାରଙ୍କ ସହ ବେଙ୍ଗାଲୁରୁସ୍ଥିତ ଇଗଲଟନ ରିସୋର୍ଟରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ବୈଠକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଉପସ୍ଥିତଥିଲେ। ବୈଠକରେ କୁମାରସ୍ୱାମୀ ଜେଡିଏସ୍ ବିଧାୟକଙ୍କୁ କେଉଁଆଡେ ନେବାକୁ ରାଜି ହୋଇଥିଲେ। ଫଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜେଡିଏସ୍ ମୁଖ୍ୟ ଏଚ୍.ଡ଼ି ବେଗୌଡ଼ାଙ୍କ ସହ କଥା ହୋଇଥିଲେ। ଶେଷରେ ଜେଡିଏସ୍, କଂଗ୍ରେସ ସହ ନିଜ ବିଧାୟକଙ୍କୁ ନେଇ କୋଚି ଯିବାକୁ ରାଜି ହୋଇଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଶୁକ୍ରବାର ସୁପ୍ରିମକୋର୍ଟରେ ବିଜେପି ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ। ଏହା ପୂର୍ବରୁ କଂଗ୍ରେସ ବିଧାୟକଙ୍କୁ ଏକଜୁଟ ରଖିବାକୁ ସମସ୍ତ ଚେଷ୍ଟା ଚଳାଇଛି। କଂଗ୍ରେସ ନେତା ରାମାଲିଙ୍ଗା ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ବିଜେପିର କେତେକ ନେତା ରିସୋର୍ଟରେ ପ୍ରବେଶ ପହଞ୍ଚି ବିଧାୟକଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ। ତେଣୁ ସେମାନେ ରିସୋର୍ଟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରିସୋର୍ଟରୁ କଂଗ୍ରେସର ୨ ଜଣ ବିଧାୟକ ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି। କର୍ଣ୍ଣାଟକରେ ବାରମ୍ବାର ବଦଳୁଥିବା ସ୍ଥିତିକୁ ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜେଡିଏସ୍ ଅଧ୍ୟକ୍ଷ ଏଚ୍.ଡି ଦେବଗୌଡ଼ା ଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ରାତିରେ ଜେଡିଏସ୍ ଏବଂ କଂଗ୍ରେସ ବିଧାୟକ ମିଳିତ ଭାବେ କୋଚି ଯିବେ ବୋଲି କୁହାଯାଉଛି। ସୂଚନା ଅନୁସାରେ କଂଗ୍ରେସ ନିଜ ବିଧାୟକଙ୍କୁ ଏକ ଘରୋଇ ବିମାନରେ ପଡୋଶୀ ଦେଶକୁ ନେବାକୁ ଯୋଜନା କରିଥିଲା। ମାତ୍ର ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ଅନୁମତି ଦେଇନଥିଲା। ବିଧାୟକଙ୍କୁ ଆନ୍ଧ୍ରପ୍ରଦେଶ, କେରଳ କିମ୍ବା ଦିଲ୍ଲୀର ରାଷ୍ଟ୍ରପତି ଭବନକୁ ନିଆଯିବ ବୋଲି କଂଗ୍ରେସ ନେତା ଡି.କେ ଶିବକୁମାର କହିଥିଲେ। ଶେଷରେ ଜେଡିଏସ୍ ନେତା ବିଶ୍ୱରାଜ ସେମାନେ କେରଳ ଯିବେ କଂଗ୍ରେସ କଥା ଜଣାନାହିଁ ବୋଲି କହିଥିଲେ। ଜେଡିଏସ୍ ବିଧାୟ୍ୱାନେ ପଞ୍ଚତାରକା ହୋଟେଲ ସଙ୍ଗରୀଲାରେ ଅଛନ୍ତି। ସେମାନେ ରାତିରେ ବେଙ୍ଗାଲୁରୁ ଯିବେ ଓ ସେଠାରୁ କେରଳ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି।