ୟେଦୁରପ୍ପାଙ୍କ ବିରୋଧରେ ଅଡିଓ ଟେପ୍ ଜାରି କଲେ କୁମାରସ୍ବାମୀ
ବେଙ୍ଗାଲୁରୁ : ଅନ୍ୟ ଏକ ଗୁୁରୁତ୍ବପୂର୍ଣ୍ଣ ରାଜନୈତିକ ଗୋଟିଚାଳନାକ୍ରମେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପାଙ୍କ ବିରୋଧରେ ସରକାର ଭାଙ୍ଗିବା ଷଡ଼ଯନ୍ତ୍ରର ନମୁନା ଉପସ୍ଥାପନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୁମାରସ୍ବାମୀ ଏକ ଅଡିଓ ଟେପ୍ ଶୁଣାଇଛନ୍ତି; ଯେଉଁଥିରେ ୟେଦୁରପ୍ପା ସରକାରୀ ଦଳର ବିଧାୟକଙ୍କୁ କିଣିବା ପାଇଁ କଥାବାର୍ତ୍ତା କରୁଥିବା କୁହାଯାଉଛି। ୟେଦୁରପ୍ପା ଓ ଜେଡି(ଏସ୍) ବିଧାୟକ ନାଗନଗୌଡ଼ା କାନ୍ଦକୁରଙ୍କ ପୁଅ ଶରଣଙ୍କ ମଧ୍ୟରେ କଥାବାର୍ତ୍ତା ହେଉଛି ଓ ୟେଦୁରପ୍ପା ଶରଣଙ୍କୁ ୨୫ ଲକ୍ଷ ଟଙ୍କା ସହିତ କାନ୍ଦକୁରଙ୍କୁ ମନ୍ତ୍ରୀ ପଦ ଯାଚୁଥିବା ଶୁଣାଯାଉଛି। ଏହି ଟେପ୍ର ସତ୍ୟାସତ୍ୟ ନେଇ କେହି ପ୍ରଶ୍ନ କରି ନାହାନ୍ତି। ଅପରପକ୍ଷରେ ୪ କଂଗ୍ରେସ ବିଧାୟକ ଅନୁପସ୍ଥିତ ଥିବାରୁ ରାଜ୍ୟ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବିଜେପିକୁ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଆହ୍ବାନ ଜଣାଇଛନ୍ତି।