କଣ୍ଟାବାଞ୍ଜିରେ ୱାଗନ ପିରିୟଡିକାଲ ଓଭରହଲିଂ କାରଖାନାର ଶିଳାନ୍ୟାସ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିରେ ରେଳବାଇ ଜାଗାରେ ଦୀର୍ଘ ଦିନରୁ ବିଭିହ୍ନ ମହଲରେ ଦାବି ହୋଇ ଆସୁଥିବା ୱାଗନ ପିରିୟଡିକାଲ ଓଭର ହଲିଂ କାରଖାନାର ଶିଳାନ୍ୟାସ ହୋଇଛି । ଏଥିପାଇଁ ୨୪୪.୭୭ କୋଟି ବ୍ୟୟ ଅଟକଳ କରାଯାଇଛି । କଣ୍ଟାବାଞ୍ଜି ରେଳବାଇ ଷ୍ଟେସନ ସମ୍ମୁଖରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ, ସମ୍ମାନୀୟ ଅତିଥି ଭାବରେ ସମ୍ବଲପୁର ରେଳବାଇ ମଣ୍ଡଳ ଡ଼ିଆରଏମ ତୁଷାରକାନ୍ତ ପାଣ୍ଡେ, ସିନିଅର ଡିସିଏମ ଗରିମା ତିୱାରି, ସିନିଅର ଡ଼ିଇଏନ ଅଙ୍କିତ ବର୍ମା ମଞ୍ଚାସୀନ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଗଣପତି ରାଓ ।

ଏହି ଅବସରେ ଡ଼ିଆରଏମ ପାଣ୍ଡେ ତାଙ୍କ ସ୍ୱାଗତ ଭାଷଣରେ ସମ୍ବଲପୁର ରେଳବାଇ ମଣ୍ଡଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସାଂସଦ ଶ୍ରୀମତୀ ସିଂଦେଓଙ୍କ ପ୍ରଚେଷ୍ଟାରେ କଣ୍ଟାବାଞ୍ଜିରେ ସ୍ଥାନୀୟ ଜନସାଧରଣଙ୍କ ବହୁଦିନର ଦାବି ସାକାର ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ସାଂସଦ ସିଂଦେଓ ତାଙ୍କ ବକ୍ତବ୍ୟରେ ଦୀର୍ଘ ଦିନର କଣ୍ଟାବାଞ୍ଜିବାସୀଙ୍କ ଦାବି ସାକାର ହେବାକୁ ଯାଉଛି ବୋଲି କହିଥିଲେ । ଏହି ଅଞ୍ଚଳର ଯୁବକ, ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାର ଯାଉଥିଲେ । ଏଣିକି ସ୍ଥାନୀୟ ଲୋକେ କାମ ପାଇବେ, ଆଉ ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ ବୋଲି ସେ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଲକ୍ଷ୍ମଣ ବାଗ, ରାଜେଶ ଅଗ୍ରୱାଲ ବହୁ ବିଜେପି କର୍ମୀ, ବୁଦ୍ଧିଜୀବୀ, ସ୍ଥାନୀୟା ବାସିନ୍ଦା ଉପସ୍ଥିତ ଥିବାବେଳେ, ରେଳବାଇ ସମ୍ବଲପୁର ମଣ୍ଡଳ ସୂଚନା ଅଧିକାରୀ ତ୍ରିବିକ୍ରମ ସେଠ, ଏଡ଼ିଇଏନପି ଗୋରୀ ନାଇଡ଼ୁ, ଷ୍ଟେସନ ମ୍ୟାନେଜର କେ. ସି. ମୁଣ୍ଡ, କନିଷ୍ଟ ଯନ୍ତ୍ରୀ ମନୋଜ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.