କଣ୍ଟାବାଞ୍ଜି : ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଜୁରାବନ୍ଧ ଗାଁର ଆଦିବାସୀ ମହିଳାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଏବଂ ବିଷ୍ଠା ଖୁଆଇ ନୃଶଂସ କାର୍ଯ୍ୟ ମାନବିକତାର ସବୁ ସୀମା ଟପି ଯାଇଛି ବୋଲି ଜ଼ିଲା ଆଦିବାସୀ କଲ୍ୟାଣ ସଂଘ କ୍ଷୋଭ ପ୍ରକାଶ କରିଛି । ବଙ୍ଗୋମୁଣ୍ଡା ଥାନା କେସ ନଂ.୨୮୮ ତା ୧୬. ୧୧. ୨୦୨୪ ରେ ଅଭିଯୋଗ ଅନୁସାରେ ଜୁରlବନ୍ଦ ଗାଁର ଅଭୟ ବାଗ ନାମକ ଅଣ ଆଦିବାସୀ ଯୁବକ ସେହି ଗାଁର ଆଦିବାସୀ ସମାଜର ସ୍ୱର୍ଗତ କେତୁ ମିର୍ଦ୍ଧାଙ୍କ ଝିଅ କୁମାରୀ ସସ୍ମିତା ମିର୍ଦ୍ଧା ଗାଧୋଇ ଘରକୁ ଫେରୁଥିବା ବେଳେ ଠେଲାପେଲା କରି ତଳେ କଚାଡି ଦେଇଥିଲା ଏବଂ ଜାତି ଆକ୍ଷେପ କରି ଗାଳିଗୁଲଜ କରି ବିଷ୍ଠା ଖୁଆଇ ଦେଇଥିଲା । ଆଦିବାସୀ ଯୁବତୀଙ୍କ ବଡ଼ ମା’ ଚମ୍ପା ମିର୍ଦ୍ଧା ଛଡ଼ାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ଅଭୟ ବାଗ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା । ଘଟଣାକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅପରାଧୀକୁ ଗିରଫ କରିନାହିଁ । ଦିନକୁ ଦିନ ଆଦିବାସୀ ମାନଙ୍କ ପ୍ରତି ଅତ୍ୟାଚାର, ନିର୍ଯାତନା, ଶୋଷଣ, ଦମନ, ନୃଶଂସ ଆଚରଣ ବୃଦ୍ଧି ହେଉଛି।
ଆଦିବାସୀଙ୍କ ପ୍ରତି ସରକାରଙ୍କ ବୈମାତୃକ ଭାବ, ଆଦିବାସୀ ଦମନ ନୀତି ଏବଂ ଆଦିବାସୀ ବିରୋଧୀ ମନୋଭାବ ସ୍ପଷ୍ଟ ହେଉଛି । ସରକାରଙ୍କ ଆଦିବାସୀ ମାରଣ ନୀତିକୁ ଜ଼ିଲା ଆଦିବାସୀ କଲ୍ୟାଣ ସଂଘ ଉଦବେଗ ପ୍ରକାଶ କରିଛି । ଆସାମୀକୁ ତୁରନ୍ତ ଗିରଫ ସହିତ ଆଦିବାସୀ ସୁରକ୍ଷା ଦାବୀ କରିଛି ସଂଘ । ସେହିଭଳି ଖପ୍ରାଖୋଲ ବ୍ଲକର ସାନଗୁର୍ଜିଭଟା ଗାଁର ଆଦିବାସୀ ମହିଳା ପରିବାରର ଶିଶୁ ବିକ୍ରି ମାମଲାକୁ ଦୀର୍ଘ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ଶିଶୁଟିକୁ ଉଦ୍ଧାର କରି ନ ପାରିବା ଆଦିବାସୀ ମାନଙ୍କ ପ୍ରତି ଅବହେଳା ଉପେକ୍ଷା ପାତର ଅନ୍ତର ନୀତି ବୋଲି ଆଦିବାସୀ ସଂଘ ସରକାରକୁ କଟୁ ସମାଲୋଚନା କରିଛି । ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ, ସାମାଜିକ ବିକାଶ ଦିଗରେ ସରକାର ଉଦାସୀନତା ଅବଲମ୍ବନ କରୁଥିବାରୁ ଶିଶୁ ବିକ୍ରି ଭଳି ଘଟଣା ଘଟୁଛି ବୋଲି ଦର୍ଶାଇ ଆଜି ଅପରାହ୍ନରେ ସ୍ଥାନୀୟପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ, ଏକ ଖବର ଦାତା ସମ୍ମିଳନୀରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସଂଘର ବ୍ଲକ ସଭାପତି ମନରଞ୍ଜନ ଭୋଇ, ଆଦିବାସୀ ନେତା ଚକ୍ରଧର ଯାନୀ, ଆର୍ତ୍ତ ଭୋଇ, ନରୋତ୍ତମ ମାଝୀ, ଖେଳନ୍ତି ସମରଥ ମିଥିଲା ମାଝୀ, ପତ୍ରଙ୍ଗି ମାଝୀ, ଲକ୍ଷ୍ମୀ ମାଝୀ ପ୍ରମୁଖ ସରକାରକୁ ଦୃଢ଼ ନିନ୍ଦା କରି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।



