କାମାକ୍ଷାନଗର: କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଲତୁମାସ୍ଥିତ ଆଳତୁମା ଉଚ୍ଚ ବିଦ୍ୟାଳୟ ବହୁ ସମସ୍ୟା ଘେରରେ ରହିଥିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଳତୁମା ଗ୍ରାମର ଶିକ୍ଷାର ବିକାଶ ପାଇଁ ଗ୍ରାମର ବରିଷ୍ଠ ନାଗରିକମାନେ ୧୯୮୦ ମସିହାରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ। କ୍ରମେ ସରକାର ବିଦ୍ୟାଳୟର ପରିଚାଳନା ଭାର ହାତକୁ ନେଇଥିଲେ। ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ସଠିକ ଭାବେ ପରିଚାଳନା କରାଯାଇ ଆସୁଥିବାବେଳେ ଗତ ୧୯୧୭ ମସିହାରେ ପ୍ରାଥମିକ ବିଦ୍ୟାଳୟଟି ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ହୋଇଥିଲା। କିନ୍ତୁ ଏବେ କିଛି ବର୍ଷ ଧରି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁଁ ଏବେ ଶିକ୍ଷାଦାନରେ ଅହେତୁକ ବାଧା ସୃଷ୍ଟି ହୋଇଛି। ଏବେ ବିଦ୍ୟାଳୟରେ ସମୁଦାୟ ୨୬୨ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବାବେଳେ ତନ୍ମଧ୍ୟରୁ ୧୨୭ ଜଣ ଛାତ୍ରୀ ଏବଂ ୧୩୫ ଜଣ ଛାତ୍ର ରହିଛନ୍ତି। ବିଦ୍ୟାଳୟରେ ଦୀର୍ଘ ଦିନ ଧରି ପ୍ରଧାନଶିକ୍ଷକ ପଦ ଖାଲି ଥିବାବେଳେ ୨ଟି ଶିକ୍ଷକ ପଦ ସହିତ ୨ଟି ପିଅନ ପଦବୀ ମଧ୍ୟ ଖାଲି ରହିଛି। ଗ୍ରାମବାସୀଙ୍କ ଦ୍ୱାରା ଟାଇଲ ଘର ନିର୍ମାଣ କରାଯାଇ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ମରାମତି ଅଭାବରୁ ଏବେ ସେଥିରେ ବିଦ୍ୟାର୍ଥୀ ବସି ଅଧ୍ୟୟନ କରିବା ସମ୍ଭବ ହେଉନାହିଁ। ଫଳରେ ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ଦେଖା ଦେଇଛି।
ବିଦ୍ୟାଳୟରେ ଶିକ୍ଷକ, ଶ୍ରେଣୀ ଗୃହ ଅଭାବ ରହିଥିବାରୁ ଶିକ୍ଷାଦାନରେ ଅନ୍ତରାୟ ସୃଷ୍ଟି କରିଛି। ସରକାରଙ୍କ ଶିକ୍ଷାନୀତି ଏହି ବିଦ୍ୟାଳୟରେ ସଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି। ଏ ସଂକ୍ରାନ୍ତରେ ବହୁବାର ଦାବି ହୋଇ ଆସୁଥିଲାବେଳେ କେହି ଏଥିପ୍ରତି ଗୁରିତ୍ୱ ଦେଉନଥିବା ବେଳେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ଶ୍ରେଣୀଗୃହର ନିର୍ମାଣ ଓ ମରାମତି ସହିତ ପ୍ରଧାନ ଶିକ୍ଷକ ସହିତ ଆବଶ୍ୟକୀୟ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନତ୍ମକ ପଦକ୍ଷେପ ନେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରକାଶ।



