ବେଆଇନ ମରମ ଖାଦାନରେ ଚଢ଼ାଉ, ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ମରଣାତ୍ମକ ଆକ୍ରମଣ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ତହସିଲଦାର ଓ ଆରଆଇଙ୍କୁ ମରମ ମାଫିଆ ମରଣାତ୍ମକ ଆକ୍ରମଣ କରିଥିବା ସୂଚନା ମିଳିଛି। ମୁକ୍ତାପଶି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ ବେଆଇନ ମରମ ଖୋଳା ହେଉଥିବା ଖବର ପାଇବା ପରେ ତହସିଲଦାର ସିରିଆଲ ଶୁଭ୍ର ପଟେଲ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବ ପରେ ପୂର୍ବରୁ ଛକି ରହିଥିବା ୭ରୁ ୮ଜଣ ଦୁର୍ବୁତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତହସିଲଦାର ଶ୍ରୀ ପଟେଲ କାମାକ୍ଷା ନଗର ମେଡିକାଲ ରେ ଚିକିଶ୍ଚିତ ହେଉଥିବା ବେଳେ, ସେଠାକୁ କାମାକ୍ଷା ନଗର ଉପଜିଲାପାଳ ଜ୍ୟୋତି ଶଙ୍କର ସାହୁ ଓ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ପହଞ୍ଚି ତହସିଲଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ସେପଟେ ଘଟଣା ସ୍ଥଳରୁ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଥିବା ବେଳେ, ଖୁବ ଶୀଘ୍ର ସମସ୍ତ ଦୁର୍ବୁତ୍ତଙ୍କୁ ଧରା ଯିବ ବୋଲି ଉପଜିଲାପାଳ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ପଥରଖମ୍ବ ଗାଁ ନିକଟରେ ଦୁର୍ବୃତ୍ତମାନେ ବେଆଇନ ଭାବେ ଜେସିବି ଲଗାଇ ମାଟି ଖୋଳୁଥିବା ସମୟରେ ଚଢ଼ାଉ କରିଥିଲେ ତହସିଲଦାର। ଦୁଇଟି ଟ୍ରାକ୍ଟର ଯୋଗେ ମାଟି ଚାଲାଣ ହେଉଥିଲା। ଏହି ମାଟି ଖୋଳା ଯିବାର ଫଟୋ ଉଠାଉଥିବା ବେଳେ ଦୁର୍ବୃତ୍ତମାନେ ବାଡ଼ି ଧରି ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ସାର୍ଟ ଧରି ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏହି ସମୟରେ ପରଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ ତହସିଲ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣୀ ପ୍ରେମାନନ୍ଦ ବେହେରା ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଏପରି ନ କରିବାକୁ ବାରଣ କରିଥିଲେ। ଦୁର୍ବୃତ୍ତମାନେ ତହସିଲଦାରଙ୍କୁ ଛାଡ଼ି ଏହି ଦୁଇ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ତହସିଲଦାର ଘଟଣାସ୍ଥଳରୁ କାର୍‌ ଧରି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କାର୍‌ ଉପରକୁ ଦୁର୍ବୃତ୍ତମାନେ ଜେସିବି ମେସିନ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ତେବେ ସୌଭାଗ୍ୟକୁ ଜେସିବି ଆଗରୁ କାର୍‌ ହଟାଇ ଦେବାରୁ ବଡ଼ ଅଘଟଣରୁ ତହସିଲଦାର ରକ୍ଷା ପାଇ ଯାଇଛନ୍ତି।

Comments are closed.