କ୍ରୀଡ଼ାବିତ୍‌ଙ୍କ ପାଇଁ ଉତ୍ସର୍ଗୀକୃତ କଳିଙ୍ଗ ଷ୍ଟାଡିୟମ

୧୮ଟି ବର୍ଗରେ ଅଭ୍ୟାସ କରୁଛନ୍ତି ୪୪୪୧ ଖେଳାଳି

କଟକ : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିନରେ ଥିବା କଳିଙ୍ଗ ଷ୍ଟାଡିୟମ୍‌ ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ଉତ୍ସର୍ଗୀକୃତ । ୧୨ ହଜାର ଦର୍ଶକ କ୍ଷମତାବିଶିଷ୍ଟ ଆଥ୍‌ଲେଟିକ୍‌ ଷ୍ଟାଡିୟମ୍‌ଠାରୁ ଆରମ୍ଭ କରି ୧୫ ହଜାର ଦର୍ଶକ କ୍ଷମତାବିଶିଷ୍ଟ ହକି ଷ୍ଟାଡିୟମ୍‌, ଦେଶର ସର୍ବବୃହତ୍‌ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର, ଇନ୍‌ଡୋର ଆଥ୍‌ଲେଟିକ୍ସ ଷ୍ଟାଡିୟମ୍‌, ସ୍ପୋର୍ଟସ କ୍ଲାଇମ୍ବିଂ, ଟେନିସ୍‌ କମ୍ପ୍ଲେକ୍ସ, ବ୍ୟାଡ଼ମିଣ୍ଟନ୍‌ କମ୍ପ୍ଲେକ୍ସ, ଇନ୍‌ଡୋର ଆକ୍ୱାଟିକ୍‌, ଜିମ୍‌ନାଷ୍ଟିକ୍‌ ସେଣ୍ଟର, ସୁଟିଂ କମ୍ପ୍ଲେକ୍ସ ଆଦି ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

ଏସୀୟ ଦୌଡ଼କୁଦ ଚମ୍ପିଆନସିପ୍‌ଠାରୁ ଆରମ୍ଭ କରି ୨୦୧୮ ଓ ୨୦୧୩ରେ ଦୁଇଥର ପୁରୁଷ ହକି ବିଶ୍ବକପ, ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌, ସାଫ୍‌ ଫୁଟ୍‌ବଲ୍‌ ଚମ୍ପିଅନ୍‌ସିପ୍‌, ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଆଦି ଅନେକ କ୍ରୀଡ଼ା ଇଭେଣ୍ଟକୁ ସଫଳତାର ସହ ଆୟୋଜନ କରିବାକୁ କଳିଙ୍ଗ ଷ୍ଟାଡିୟମ୍‌ ସମର୍ଥ ହୋଇଛି । କେବଳ ପ୍ରତିଯୋଗିତା ଆୟୋଜନ ନୁହେଁ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭା ଚୟନ କରି ସେମାନଙ୍କ ରହଣି, ଖାଦ୍ୟପେୟ, ଉନ୍ନତ ତଥା ଗୁଣାତ୍ମକ ତାଲିମ ପ୍ରଦାନ କରି ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିବା ନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଲକ୍ଷ୍ୟ ରଖିଛି। ଉନ୍ନତ ପ୍ରଶିକ୍ଷଣ ସହ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଜରିଆରେ କ୍ରୀଡ଼ାବିତ୍‌ଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଉଦ୍ୟମ ଜାରି ରଖିଛି। ବର୍ତ୍ତମାନ ୧୮ଟି କ୍ରୀଡ଼ାବର୍ଗରେ ମୋଟ ୪୪୪୧ ଜଣ କ୍ରୀଡ଼ାବିତ୍‌ ନିୟମିତ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଅଭ୍ୟାସ କରୁଛନ୍ତି ।

କ୍ରୀଡ଼ା ଛାତ୍ରାବାସର କ୍ରୀଡ଼ାବିତ୍‌ଙ୍କ ସହ ଉତ୍କର୍ଷ କେନ୍ଦ୍ର, ତୃଣମୂଳ ସ୍ତରୀୟ ତାଲିମ, ସମର କ୍ୟାମ୍ପ ଆଦି ଜରିଆରେ ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୟର ଛାତ୍ରଛାତ୍ରୀ ଏଠାରେ କ୍ରୀଡ଼ା ଅଭ୍ୟାସ କରୁଛନ୍ତି । ବିଭିନ୍ନ ସ୍ଥାନରୁ ଆସୁଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସନ୍ତରଣ ବର୍ଗରେ ସର୍ବାଧିକ ୧୩୯୮ ଜଣ, ଦୌଡ଼କୁଦରେ ୫୪୦ ଜଣ, ଫୁଟ୍‌ବଲ୍‌ରେ ୨୩୫ ଜଣ, ହକିରେ ୫୫୦ ଜଣ, ଜିମ୍‌ନାଷ୍ଟିକ୍‌ରେ ୧୭୬ ଜଣ, ଭାରୋତ୍ତୋଳନରେ ୨୨୧ ଜଣ, ଟେନିସ୍‌ରେ ୧୦୦ ଜଣ, ସ୍ପୋର୍ଟସ କ୍ଲାଇମିଂରେ ୬୦ ଜଣ, ସୁଟିଂରେ ୧୯୬ ଜଣ, ଭଲିବଲ୍‌ରେ ୧୧୨ ଜଣ ବାସ୍କେଟବଲରେ ୧୨୫ ଜଣ, ସ୍କେଟିଂରେ ୮୦ ଜଣ, ଜୁଡ଼ୋରେ ୯୭ ଜଣ, ରଗ୍‌ବୀରେ ୧୦୦ ଜଣ, କବାଡ଼ିରେ ୫୩ ଜଣ, ଜିମ୍‌ନାସିୟମ୍‌ରେ ୩୬୯ ଜଣ, ଯୋଗରେ ୨୦ ଜଣ ଏବଂ ସାଇକଲ ଚାଳନାର ୯ ଜଣ କ୍ରୀଡ଼ାବିତ୍‌ ନିୟମିତ ଏଠାକାର ପ୍ରାକୃତିକ ପରିବେଶ ମଧ୍ୟରେ ଅଭ୍ୟାସ କରୁଛନ୍ତି।

Comments are closed.