କଲମପୁର: ହାତୀ ନଦୀର ବଙ୍କାପଲା ଖଣ୍ଡି ଡଙ୍ଗରୀଗୁଡା ଠାରେ ପୋଲ ନିର୍ମାଣ ପାଇଁ ପ୍ରଶାସନିକ ଉଦ୍ୟମ ହେଉଛି। ଶୁକ୍ରବାର ଗ୍ରାମ ଉନ୍ନୟନ ବିଭାଜନ ଧର୍ମଗଡ ତରଫରୁ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ରାଜେନ୍ଦ୍ର କୁମାର ମାଝୀ ଓ କନିଷ୍ଠ ଯନ୍ତ୍ରୀ ଜେନା ନାଏକ ପ୍ରମୁଖ ଖଣ୍ଡି ଡଙ୍ଗରୀଗୁଡା ଠାରେ ପହଂଚି ପୋଲ ନିର୍ମାଣ ସ୍ଥାନ ର ନିରୁପଣ କରିବା ସହ ଆବଶ୍ୟକିୟ ସର୍ଭେ କାର୍ଯ୍ୟ କରିଥିଲେ। ଏହାସହ ପୋଲର ଉଭୟ ପାର୍ଶ୍ବରେ ଥିବା ଜମି ସମ୍ବନ୍ଧରେ ଆଲୋଚନା କରିଥିଲେ। ପୋଲ ନିର୍ମାଣ ବେଳେ ପ୍ରଭାବିତ ହେଉଥିବା ବେସରକାରୀ ଜମି ସମ୍ବନ୍ଧରେ ଗ୍ରାମବାସୀ ଓ ଜମି ମାଲିକଙ୍କ ସହ ଆଲୋଚନା କରିଥିଲେ।
ସୁଚନାଯୋଗ୍ୟ ଯେ, ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ହାତୀ ନଦୀ ଚୀର ସ୍ରୋତା ପାଲଟିଛି। ବର୍ଷ ତମାମ ନଦୀ ରେ ପାଣି ପ୍ରବାହିତ ହେଉଥିବା କାରଣରୁ ଲୋକେ ଦେଶୀ ଡଙ୍ଗା ସହାୟତାରେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଇ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି। ଏହି କାରଣରୁ ପୋଲ ନିର୍ମାଣ ପାଇଁ ଉଭୟ ବଙ୍କାପଲା ଓ ଖଣ୍ଡିଡଙ୍ଗରୀଗୁଡା ଅଂଚଳବାସୀଙ୍କ ତରଫରୁ ଦୀର୍ଘ ଦିନରୁ ଦାବି ହେଇ ଆସୁଛି। ଏହି ପୋଲ ନିର୍ମାଣ ହେଲେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ସହିତ ମଣ୍ଡଳ, କୋଟାଗାଁ, ନୁଆଗାଁ ପଂଚାୟତର ୧୦ ହଜାର ଲୋକ ଗମନା ଗମନର ସୁବିଧା ପାଇ ପାରିବେ। ସେହିଭଳି ଦେପୁର ପଂଚାୟତର ଲୋକଙ୍କ ସମେତ ଜୁନାଗଡ ବ୍ଲକ ଦାସିଗାଁ ପଂଚାୟତର ଲୋକ ମଧ୍ୟ ଗମନା ଗମନର ସଠିକ ସୁବିଧା ପାଇ ପାରିବେ। ଏହି ପୋଲ ନିର୍ମାଣ ପାଇଁ ବିଜୁ ସେତୁ ଯୋଜନାରେ ସାମିଲ କରିବା ପାଇଁ ବିଧାୟକ ମୌଷଧି ବାଗ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ପୂର୍ବରୁ ଏହି ପୋଲ ନିର୍ମାଣ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ବହୁବାର ବିଭାଗୀୟ ମନ୍ତ୍ରୀ, ସଚୀବ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି।


