କଲମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଗଡ଼ିଲା ପ୍ରବାସୀ ଶ୍ରମିକ ସଚେତନତା ରଥ 

କଲମପୁର: କଳାହାଣ୍ଡି ଜିଲ୍ଲାରେ ଥମୁନାହିଁ ପ୍ରବାସୀ ଶ୍ରମିକର ଦୁଃଖ । ଦିନକୁ ଦିନ ଜଟିଳ ହେଉଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା । କେତେବେଳେ ଦଲାଲର ପ୍ରରୋଚନାରେ  ରାଜ୍ୟ ବାହାରକୁ ଖଟିବାକୁ ଯାଇ କିଏ ହାତ ଗୋଡ କଟା ଅବସ୍ଥାରେ ଫେରୁଛି ତ କିଏ ମାଡ ଗାଳି ଭଳି ନିର୍ଯ୍ୟାତନାର ଶିକାର ହୋଇ ଫେରୁଛି । ପୁଣି କେହି ଶବ ହୋଇ ଫେରୁଛି ତ ଅନ୍ୟ କାହା ଭାଗ୍ୟରେ ଗାଁ ମାଟି ଜୁଟୁ ନାହିଁ । ଆଉ କିଏ ସବୁଦିନ ପାଇଁ ନିଖୋଜ ହୋଇଯାଉଛି । ପ୍ରବାସୀ ଶ୍ରମିକଙ୍କ ଏହି ସମସ୍ତ ସମସ୍ୟାର କାରଣ ସେମାନଙ୍କ ମଧ୍ୟରେ ସଚେତନତାର ଅଭାବ । ସରକାରଙ୍କ ଦ୍ୱାରା ସ୍ୱୀକୃତ ଶ୍ରମିକ ଠିକାଦାର ମାଧ୍ୟମରେ ନିଜ ନାମ ପଞ୍ଜିକୃତ କରାଇ ରାଜ୍ୟ ବାହାରକୁ ଯିବା ପାଇଁ ବ୍ୟବସ୍ଥା ରହିଛି । ଏହାସହ ନିଜ ନିଜ ପଞ୍ଚାୟତ ମାଧ୍ୟମରେ ମଧ୍ୟ ଶ୍ରମିକମାନେ ନାମ ପଞ୍ଜିକୃତ କରାଇ କେଉଁ ରାଜ୍ୟ ଓ କେଉଁ ସଂସ୍ଥାକୁ ଯାଉଛନ୍ତି ସେନେଇ ସୂଚନା ଦେଲେ ସେମାନଙ୍କ ପରିବାର ସରକାରଙ୍କ ସମସ୍ତ ଯୋଜନାରେ ସାମିଲ ହୋଇପାରିବେ ।  ତେଣୁ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ପ୍ରବାସୀ ଶ୍ରମିକଙ୍କୁ ସଚେତନ କରିବା ପାଇଁ ଏକ ସଚତନତା ରଥ ସମଗ୍ର ଜିଲ୍ଲା ପରିକ୍ରମା କରୁଛି । ମଙ୍ଗଳବାର ଏହି ରଥ କଲମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ପହଞ୍ଚିଥିଲା । ବିଡିଓ ପ୍ରସନ୍ନ କୁମାର ପଟେଲ ଏବଂ ସମାଜିକ ସୁରକ୍ଷା ଅଧିକାରୀ ଖିତିସୁତା ମେହେର ରଥର ସ୍ୱାଗତ କରିଥିଲେ । ଏହାପରେ ସମଗ୍ର ବ୍ଲକର ୧୧ ଗୋଟି ପଞ୍ଚାୟତର ୫୫ ଖଣ୍ଡ ଗାଁରେ ରଥ ପରିକ୍ରମା କରିବା ନେଇ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ବିଡିଓ ପ୍ରସନ୍ନ ପଟେଲ । ଏହାପରେ କଲମପୁର ପଞ୍ଚାୟତ କାର୍ଯ୍ୟାଳୟ ସମେତ ସମସ୍ତ ଗାଁ ଅଭିମୁଖେ ରଥ ଗଡିଥିଲା । ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ଏବଂ ସେମାନଙ୍କ ପରିବାର ପ୍ରତି ସରକାରଙ୍କ ତରଫରୁ କିଭଳି ସହାୟତା କରାଯାଉଛି ସେ ନେଇ ଏହି ରଥ ବାର୍ତ୍ତା ଦେଉଛି । ଏହି ରଥ ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ ବାର୍ତ୍ତାର ଲିଫଲେଟ ପ୍ରଦାନ କରାଯାଉଛି। ଯାହା ଦ୍ୱାରା ଲୋକେ ସଚେତନ ହୋଇପାରିବେ ।

kalyan agarbati

Comments are closed.