ସଡକ ଦୁର୍ଘଟଣାରେ ଶିଶୁ ପୁତ୍ର ସହ ପୂର୍ବତନ ମହିଳା ସରପଞ୍ଚ ଗୁରୁତର

କଲମପୁର – କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର କଲମପୁର ଇଲେକ୍ଟ୍ରି ଅଫିସ ନିକଟରେ ସଡକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର । ଦୁଇଟି ସ୍କୁଟି ମଧ୍ୟରେ ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ପଣ୍ଡିଗାଁ ପଞ୍ଚୟତର ପୂର୍ବତନ ସରପଞ୍ଚ ବନଜା ବାସିନୀ ମହାପାତ୍ର ଗୁରୁତର ହେଇଥିବା ବେଳେ ତାଙ୍କ ଶିଶୁ ପୂତ୍ର ରୋସନ ମଧ୍ୟ ଆହତ ହେଇଛି ।

ସୁଚନା ଅନୁସାରେ ଶ୍ରୀମତୀ ମହାପାତ୍ର ନିଜସ୍କୁଟିରେ ଶିଶୁ ପୂତ୍ର ରୋସନକୁ ସାଙ୍ଗରେ ଧରି ଗ୍ରୀନ ଭେଲି ସ୍କୁଲ ଠାରୁ କଲମପୁର ଥୁଆମୁଳ ରାମପୁର ରାସ୍ତା ଦେଇ ପଣ୍ଡିଗାଁ ଠାରେ ଥିବା ନିଜ ଘରକୁ ଫେରୁଥିବା ବେଳେ କଲମପୁର ଇଲେକ୍ଟ୍ରି ଅଫିସ ନିକଟରେ ଅନ୍ୟ ଏକ ସ୍କୁଟି ସହ ଧକ୍କା ହେଇଥିଲା । ସମ୍ପୃକ୍ତ ସ୍କୁଟି ଚାଳକ ଜଣକ ହଠାତ୍‌ ବାଁ ପଟରୁ ଡାହାଣ ପଟକୁ ଚାଲିଯିବାରୁ ବନଜା ନିଜ ସ୍କୁଟି ଉପରୁ ନିୟନ୍ତ୍ରଣ ହରାଇ ଧକ୍କା ହେଇଥିଲେ ।

ଫଳରେ ଶ୍ରୀମତୀ ମହାପାତ୍ର ଏବଂ ତାଙ୍କ ଶିଶୁ ପୂତ୍ର ରାସ୍ତା ଉପରେ ପଡି ଗୁରୁତର ହେଇଥିଲେ । ଏହି ସମୟରେ ଏକ ଗାଡିରେ ଦଳୀୟ କାର୍ଯ୍ୟରେ ଭୁବନେଶ୍ୱର ବାହାରିଥିବା ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ତାଙ୍କ ସ୍ୱାମୀ ନରସିଂ ମାଝୀ ଓ ବନ୍ଧକନାର ପୂର୍ବତନ ସରପଂଚ ତଥା ବି.ଜେ.ଡି ନାରୀ ନେତ୍ରୀ ମଧୁଛନ୍ଦା ଭଞ୍ଜ ପ୍ରମୁଖ ବନଜା କୁ ଉଦ୍ଧାର କରି କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମୁଣ୍ଡରେ ଗଭୀର ଆଘାତ କାରଣରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପାଇଁ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି ପରାମର୍ଶ ଦେବା ପରେ ତୁରୁନ୍ତ ଆମ୍ବୁଲେନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି ।

Comments are closed.