୭ କିଲୋମିଟର ଖଟିଆରେ ବୁହାହେଲା ମୃତଦେହ
କଲମପୁର:ରାସ୍ତା ନାହିଁ କି ପୋଲ ନାହିଁ। ଘର ତ ଦୂରର କଥା ଗାଁକୁ ପହଞ୍ଚିଲା ନାହିଁ ଆମ୍ବୁଲାନ୍ସ। ଦୀର୍ଘ ୭ କିଲୋମିଟର ଦୂର ଖଟିଆରେ ବୁହା ହେଇ ଘରକୁ ନିଆଗଲା ମୃତଦେହ। ଏ ହେଉଛି କଳାହାଣ୍ଡି ଜିଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କେରେପାଇ ପଞ୍ଚାୟତ ମୁରଲୀମୁହିଁ ଗାଁର କରୁଣ କାହାଣୀ। ମୁରଲୀମୁହିଁ ଗାଁର ୪୫ ବର୍ଷିୟା ମଧୁ ମାଝୀ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଗତ ୧୬ ତାରିଖ ଦିନ ପରିବାର ଲୋକ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ୧୭ ତାରିଖ ବୁଧବାର ମଧୁ ମାଝୀର ଦେହାନ୍ତ ହେଇଥିଲା। ଏକ ଆମ୍ବୁଲାନ୍ସ ସହାୟତାରେ ମୃତଦେହକୁ ପରିବାର ଲୋକ ଆଣୁଥିବା ବେଳେ ସର୍ଗିପଦର ନିକଟରୁ ମାଝିଗାଁ, ସେରକାପାଇ ଦେଇ ମୁରଲୀମୁହିଁ ପର୍ଯ୍ୟନ୍ତ ଦୀର୍ଘ ୭ କିଲୋମିଟର ରାସ୍ତା ଏବଂ ପୋଲର ବ୍ୟବସ୍ଥା ନଥିବାରୁ ଆମ୍ବୁଲାନ୍ସ ସର୍ଗିପଦର ଛକ ନିକଟରେ ମୃତଦେହକୁ ଛାଡିବା ପାଇଁ ବାଧ୍ୟ ହେଇଥିଲା। ଯାହାରି ଫଳରେ ପରିବାର ଲୋକ ଦୀର୍ଘ ୭ କିଲୋମିଟର ଏକ ଖଟିଆରେ ବୋହି ମୃତଦେହକୁ ନିଜ ଘରକୁ ପହଞ୍ଚାଇଥିଲେ। ସର୍ଗିପଦରର ରାଜା ରାମ ନାଏକ ଓ ମାଝୀଗାଁର ବାଲେଶ୍ୱର ନାକେ ପ୍ରମୁଖ ଯୁବକ ଶବକୁ ମୁରଲୀମୁହିଁ ଗାଁକୁ ପହଂ·ଇବାରେ ସକ୍ରିୟ ସହଯୋଗ କରିଥିଲେ।
Comments are closed.